ରାଉରକେଲା: ସମଗ୍ର ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ୍‌ ଷଷ୍ଠଥର ପାଇଁ ବିଜୟୀ ହୋଇଛନ୍ତି। ମାତ୍ର, ବିଧାନସଭା ଆସନ ଗୁଡ଼ିକ ମଧ୍ୟରୁ ବିଜେଡି ୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି ୨ଟି ଆସନ ଏବଂ ଇଣ୍ଡି ମେଣ୍ଟର ଦୁଇ ସଦସ୍ୟ କଂଗ୍ରେସ୍‌ ଓ ସିପିଆଇଏମ୍‌ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

Advertisment

୨୦୦୯କୁ ବାଦ୍‌ ଦେଲେ ୧୯୯୮ରୁ ଲଗାତାର ସୁନ୍ଦରଗଡ଼ ସାଂସଦ ଭାବେ ଜିତି ଆସୁଥିବା ଜୁଏଲ୍‌ ଓରାମ୍ ଏଥର ଷଷ୍ଠଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୪ରେ ତାଙ୍କୁ କଡ଼ା ଟକ୍କର ଦେଇଥିବା ବିଜେଡିର ତାରକା ପ୍ରାର୍ଥୀ ଦିଲୀପ ତିର୍କି ଏଥର କିନ୍ତୁ ମୋଦୀ ଲହରର ସାମ୍‌ନା କରି ନପାରି ଲକ୍ଷାଧିକ ଭୋଟ୍‌ରେ ହାରିଛନ୍ତି। ବିଧାନସଭା ଆସନ ମଧ୍ୟରୁ ତଳସରାରେ କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ ବଦଳ ଓ ଅସନ୍ତୋଷ ମଧ୍ୟରେ ବିଜେପିର ଭବାନୀ ଭୋଇ ପୁଣିଥରେ ସହଜରେ ଆସନକୁ ହାତେଇ ନେଇଛନ୍ତି। ସେ ବିଜେଡିର ବିନୟ ଟପୋଙ୍କୁ ୧୭ ହଜାରରୁ ଅଧିକ ଭୋଟ୍‌ ପରାଜିତ କରିଛନ୍ତି। ରଘୁନାଥପାଲି ଆସନରେ ୩ ଥରର ବିଧାୟକ ସୁବ୍ରତ ତରାଇଙ୍କ ପ୍ରତି ଥିବା ଲୋକଙ୍କ ଅସନ୍ତୋଷକୁ ଭୁଲାଇବା ପାଇଁ ତାଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ବିଜେଡି ପାଇଁ ମହଙ୍ଗା ପଡ଼ିଛି। ରଘୁନାଥପାଲିବାସୀ ଅପେକ୍ଷାକୃତ କମ୍ ଜଣାଶୁଣା ବିଜେପିର ଦୁର୍ଗା ତନ୍ତୀ ତାଙ୍କୁ ୫ ହଜାରରୁ ଅଧିକ ଭୋଟ୍‌ରେ ପରାଜିତ କରିଛନ୍ତି। ଅପରପକ୍ଷରେ, ରାଉରକେଲାରେ ହୋଇଥିବା ହାଇଭୋଲ୍‌ଟେଜ୍‌ ଲଢ଼େଇର ଫଳାଫଳ ବିଜେପିକୁ ବଡ଼ ଝଟ୍‌କା ଦେଇଛି।

ଏଠାରେ ଏକ କଡ଼ା ମୁକାବିଲାରେ ହେଭିୱେଟ୍‌ ଦିଲୀପ ରାୟଙ୍କୁ ସାଢ଼େ ତିନି ହଜାରରୁ ଅଧିକ ଭୋଟ୍‌ରେ ହରାଇ ଚତୁର ରାଜନେତା ସାରଦା ନାୟକ ୨୦୧୪ ପରାଜୟର ବଦ୍‌ଲା ନେଇଛନ୍ତି। । ସେହିପରି କଂଗ୍ରେସ୍‌ରୁ ଆସି ବିଜେଡିରେ ମିଶିଥିବା ଆଦିବାସୀ ନେତା ଜର୍ଜ ତିର୍କି ଓ ତାଙ୍କ ପୁଅ ରୋହିତ୍ ଯୋସେଫ ତିର୍କିଙ୍କ ରାଜନୈତିକ ଭବିଷ୍ୟତ ଏଥର ବାଜିରେ ଲାଗିଥିଲାବେଳେ ସେମାନେ କୌଣସି ମତେ ତାକୁ ସୁରକ୍ଷିତ କରିପାରିଛନ୍ତି। ବୀରମିତ୍ରପୁରରୁ ବିଜେଡି ଟିକଟ୍‌ରେ ଲଢ଼ି ରୋହିତ ଏହି ଆସନକୁ ବିଜେପିଠାରୁ ଛଡ଼ାଇ ଆଣିଛନ୍ତି। ବିଜେପି ବିଧାୟକ ଶଂକର ଓରାମ ୬ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ସୁନ୍ଦରଗଡ଼ ସହର ଆସନରେ ହୋଇଥିବା ରୋଚକ ଲଢ଼େଇରେ ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ୯ ହଜାରରୁ ଅଧିକ ଭୋଟ୍‌ରେ ହରାଇ ଯୋଗେଶ ସିଂହ ପୁଣିଥରେ ବିଧାନସଭାକୁ ଫେରିବା ରାସ୍ତା ପରିଷ୍କାର କରିଛନ୍ତି। ପୂର୍ବରୁ ସେ ୨ଥର କଂଗ୍ରେସ୍‌ ଟିକଟ୍‌ରେ ଜିତିଥିଲେ ବି ପ୍ରଥମ କରି ବିଜେଡି ବିଧାୟକ ହେବାକୁ ଯାଉଛନ୍ତି।

ସେହିପରି, ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ପ୍ରାର୍ଥୀ ରାଜଗାଙ୍ଗପୁରର କଂଗ୍ରେସ୍‌ ବିଧାୟକ ଡା. ସିଏସ୍‌ ରାଜେନ୍ ଏକ୍କା ନିଜ ଆସନ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ଗତଥର ୧ ହଜାରରୁ କମ୍‌ େଭାଟ୍‌ରେ ଜିତିଥିବା ରାଜେନ୍ ଏଥର ନିଜ ଲୋକପ୍ରିୟତା ବଳରେ ଭୋଟ୍ ବ୍ୟବଧାନକୁ ୧୦ ହଜାରରୁ ଅଧିକ କରି ପାରିଛନ୍ତି। ସେହିପରି ବାମଗଡ଼ କୁହାଯାଉଥିବା ବଣାଇ ଆସନକୁ ସିପିଆଇଏମ୍‌ ଦଳ ନିଜ ପାଇଁ ସୁରକ୍ଷିତ ରଖିପାରିଛି। ବିଜେଡିର ଭୀମସେନ ଚୌଧୁରୀଙ୍କୁ ୨୩ ହଜାରରୁ ଅଧିକ ଭୋଟ୍‌ରେ ହରାଇ ସିପିଆଇଏମ୍‌ର ଲକ୍ଷ୍ମଣ ମୁଣ୍ଡା ଚତୁର୍ଥଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି।