ତିତ୍‌ଲିକୁ ୨ ବର୍ଷ, ଯାଇନି ଭୟ : ପୁଣି ଆସୁଛି ଏକ ସମ୍ଭାବ୍ୟ ବାତ୍ୟା

ସଜାଗ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ

ଫୁଲବାଣୀ : ତିତ୍‌ଲି ବାତ୍ୟାକୁ ଦୁଇ ବର୍ଷ ପୂରିଲା। ୨୦୧୮ ଅକ୍ଟୋବର ୧୨ ତାରିଖ ତିତ୍‌ଲି ବାତ୍ୟା ପ୍ରଭାବରେ କନ୍ଧମାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚାରିପାଞ୍ଚ ସ୍ଥାନରେ ଭୁସ୍ଖଳନ ହୋଇଥିଲା। ଏଥିରେ ଶତାଧିକ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ। ଚାଷ ଜମି ଉଜୁଡ଼ି ଯାଇଥିଲା। ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୬ରୁ ଅଧିକ ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲା। ସେଦିନର ମହାପ୍ରଳୟକୁ ଏବେ ବି କ୍ଷତିଗ୍ରସ୍ତ ପରିବାର ଭୁଲି ପାରିନାହାନ୍ତି। ଚାଷ ଜମିଠାରୁ ଆରମ୍ଭ କରି ଉଜୁଡା ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ତିତ୍‌ଲି ବାତ୍ୟାରେ ୩୮୫ ଗାଁର ୬ହଜାର ୭୭୦ ଲୋକ ପ୍ରଭାବିତ ହୋଇଥିଲେ। ସମୁଦାୟ ୧ହଜାର ୭୮୫ଟି ଘର ଭାଙ୍ଗିଥିଲା। ଟିକାବାଲିରେ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ‌ହୋଇଥିଲା। ଆଉ ଚକାପାଦରେ ନଦୀରେ ଭାସି ଜଣଙ୍କର ବି ମୃତ୍ୟୁ ହୋଇଥିଲା। କ୍ଷୟକ୍ଷତି ବାବଦକୁ ସମସ୍ତ କ୍ଷତିଗ୍ରସ୍ତ ଓ ପ୍ରଭାବିତଙ୍କୁ ସମୁଦାୟ ୯୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ହେଲେ ତିତ୍‌ଲି ବାତ୍ୟାରେ ସବୁଠାରୁ ବେଶୀ କ୍ଷୟକ୍ଷତି ହୋଇଥିଲା ଟିକାବାଲି ବ୍ଳକର ରୁଦାବିଦିଙ୍ଗିଆ ଓ ଦାରିଙ୍ଗବାଡି ବ୍ଲକର ବିଡକେବାଡି ଗାଁ। ଭୁସ୍ଖଳନ ଯୋଗୁଁ ପାହାଡ଼ ଧସିଲା। ଅଳ୍ପକେ ବର୍ତ୍ତିଯାଇଥିଲେ ଏହି ଦୁଇ ଗାଁର ଅଧିବାସୀ। ରୁଦାବିଦିଙ୍ଗିଆର ଗାଁର ଅଧିକାଂଶ ଚାଷ ଜମି ବାଲିଚର ହୋଇଯାଇଥିଲା। ରାସ୍ତାରେ ବଡ଼ ବଡ଼ ପଥର ପଡିବାରୁ ଯାତାୟାତ ବନ୍ଦ ହୋଇ ଯାଇଥିଲା। ଉଜୁଡ଼ା ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ସେହିଭଳି ବିଡକେବାଡି ଗାଁରେ ୨୨ଟି ଗାଈଗୋରୁଙ୍କ ମୃତ୍ୟୁ ହୋଇଯାଇଥିଲା। ଆଉ ଚାଷ ଜମି ବି ବାଲିଚର ହୋଇ ଯାଇଥିଲା। ଦୁଇ ଗାଁରେ ବାଲିଚର ହୋଇଥିବା ଚା‌ଷ ଜମିରେ ଆଜି ସୁଦ୍ଧା ଭଲ ଫସଲ ହେଉନାହିଁ। ତିତ୍‌ଲିକୁ ନେଇ ଏବେ ବି ଲୋକଙ୍କ ମଧ୍ୟରେ ଭୟ ଦୂର ହୋଇନାହିଁ। ପୁଣି ଏକ ବାତ୍ୟା ଆସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ତାଲିକାରେ କନ୍ଧମାଳ ଥିବାରୁ ଜିଲ୍ଲାବାସୀ ଆଶା ଆଶଙ୍କାରେ ରହିଛନ୍ତି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ‌ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବିଡିଓ ଓ ତହସିଲଦାରମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି। ତିତ୍‌ଲି ସମୟରେ ଦୁଇଟି ସ୍ଥାନରେ ଭୁସ୍ଖଳନ ହୋଇଥିବାରୁ ପାହାଡ଼ ପାଖରେ ବସବାସ କରୁଥିବା ‌ଲୋକମାନଙ୍କୁ ନିରାପଦ ସ୍ଥାନକୁ ଯିବାକୁ ସତର୍କ କରାଯାଇଥିବା ବେଳେ ଅତ୍ୟାବଶ୍ୟକ ଜିନିଷ ଓ ଖାଦ୍ୟ ମହଜୁଦ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର