ଆସୁଛି ବାତ୍ୟା ‘ନିଭାର୍’ : ଓଡ଼ିଶାକୁ ବିପଦ ନାହିଁ, ୨୫ରୁ ୨୭ ବର୍ଷିବ
ଭୁବନେଶ୍ୱର : ମାଡ଼ି ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା। ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ୨୫ ତାରିଖ ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ଏହା ପୁଡୁଚେରି ଓ ତାମିଲନାଡ଼ୁ ଦେଇ ଉପକୂଳ ଅତିକ୍ରମ କରିବ। ପାଣିପାଗ ବିଜ୍ଞାନୀମାନେ ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ନିଭାର୍’ ରଖିଥିବା ଜଣାଯାଇଛି। ତେବେ ଆଶ୍ବସ୍ତିକର କଥା ହେଲା ଯେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ୨୫ ଓ ୨୬ ତାରିଖରେ ହାତଗଣତି କିଛି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ଅଧିକାଂଶ ସ୍ଥାନରେ କେବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ହେବ ଓ ଶୀତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ତାମିଲନାଡ଼ୁ ସମେତ ଦକ୍ଷିଣ ଭାରତରେ ବାତ୍ୟା ‘ନିଭାର’ର ବିଶେଷ ପ୍ରଭାବ ପଡ଼ିବ। କିନ୍ତୁ ଓଡ଼ିଶାରେ କେବଳ ବର୍ଷା ହେବ। ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାକୁ ଛାଡ଼ି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ। ୨୬ ତାରିଖରୁ ବର୍ଷା ବଢ଼ିବ। ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀରରେ ମଧ୍ୟମଧରଣର ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ତେବେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳରେ ସ୍ବଳ୍ପ ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ପୁରୀ, ଖୋର୍ଧା, ନୟାଗଡ଼, କଟକ, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବରରେ ହାଲ୍କା ବର୍ଷା ହୋଇପାରେ। ସମ୍ଭାବ୍ୟ ବାତ୍ୟା ଯୋଗୁଁ ୨୪ ତାରିଖରୁ ଶୀତ କମିବ। ୨୯ ତାରିଖରୁ ପୁଣି ରାଜ୍ୟର ତାପମାତ୍ରା କମିବ, କିନ୍ତୁ ଡିସେମ୍ବର ୩ ପୂର୍ବରୁ ରାଜ୍ୟରେ ବିଶେଷ ଶୀତର ସମ୍ଭାବନା ନାହିଁ ବୋଲି ଡ. ପଶୁପାଳକ କହିଛନ୍ତି।
ଗତ ୨୪ ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ସର୍ବାଧିକ ବର୍ଷା ଗୋପାଳପୁରଠାରେ ୯.୬ ମିମି ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗଠାରେ ୯ ମିମି ଓ ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟାଠାରେ ୮ ମିମି ବର୍ଷା ରେକର୍ଡ କରାଯାଇଛି। ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୧.୪ ଡିଗ୍ରି ସୋନପୁରଠାରେ ରେକର୍ଡ ହୋଇଛି। ଏହାଛଡ଼ା ୧୫ ଡିଗ୍ରି ତଳକୁ ଆହୁରି ୩ଟି ସହରର ତାପମାତ୍ରା ରହିଥିଲା। ଝାରସୁଗୁଡ଼ାରେ ୧୩.୪ ଡିଗ୍ରି, ଫୁଲବାଣୀରେ ୧୪.୩ ଡିଗ୍ରି ଓ ତାଳଚେରରେ ୧୪.୬ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରହିଥିବା ଜଣାପଡ଼ିଛି। ଆଜି ସକାଳେ ଭବାନୀପଟଣା ଓ ଫୁଲବାଣୀଠାରେ ଘନ କୁହୁଡ଼ି ଦେଖାଯାଇଥିଲା। କୁହୁଡ଼ିର ସାନ୍ଦ୍ରତା ଏତେ ଥିଲା ଯେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ୍ ରହିଥିଲା।