ଭୁବନେଶ୍ବର : ବିଦାୟ ନେଉଛି ୨୦୨୨। ଏଥିସହ ବର୍ଷ ସାରାର ଖରା, ବର୍ଷା ଓ ଶୀତ କେମିତି ଥିଲା ତା’ର ଭଲ ଓ କିଛି ତିକ୍ତ ଅନୁଭୂତି ଆମ ପାଖେ ଛାଡ଼ିଯାଉଛି। ୨୦୨୨ରେ ରାଜ୍ୟରେ ସ୍ବାଭାବିକ ମୌସୁମୀ ବର୍ଷା ହୋଇଥିବା ବେଳେ ବିଶେଷ ଶୀତ ନଥିଲା। କିନ୍ତୁ ଗ୍ରୀଷ୍ମର ପ୍ରଚଣ୍ଡ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା। ବାତ୍ୟାଶୂନ୍ୟ ଥିବାରୁ ଏହି ବର୍ଷଟି ଓଡ଼ିଶା ପାଇଁ ଆଶ୍ବସ୍ତିକର ଥିଲା। ଭୂ-କମ୍ପର ଏକ ଛୋଟ ଝଟ୍‌କା ବର୍ଷ ଶେଷ ଆଡ଼କୁ ଅନୁଭୂତ ହୋଇଥିଲା। ମୋଟ୍‌ ଭାବେ ଜଳବାୟୂ ପରିବର୍ତ୍ତନ ଆଶଙ୍କା ଅନୁଭୂତି ଦେଇଥିଲା ୨୦୨୨।

Advertisment

ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ କିଛି ଦିନ ବିଳମ୍ବରେ ବି ଅପସାରିତ ହୋଇଥିଲା। ଚଳିତ ବର୍ଷ ୨୯ ମେ’ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ସ୍ପର୍ଶ କରିଥିବା ବେଳେ ୧୬ ଜୁନରେ ଓଡ଼ିଶାକୁ ଅଗ୍ରସର ହୋଇଥିଲା। ୨୦ ଜୁନରେ ସୁଦ୍ଧା ସାରା ଓଡ଼ିଶା ଓ ୨ ଜୁଲାଇ ସୁଦ୍ଧା ସାରା ଭାରତକୁ ସ୍ପର୍ଶ କରିଥିଲା ମୌମୁମୀ ବାୟୁ। ଚଳିତ ବର୍ଷର ମୌସୁମୀ ଋତୁ ୧ ଜୁନରୁ ୩୦ ସେପ୍ଟେମ୍ବର ମଧ୍ୟରେ ସାରା ରାଜ୍ୟରେ ୧୧୯୬.୮ମିମି (୪% ଅଧିକ) ବର୍ଷା ରେକର୍ଡ ହୋଇଥିଲା ଯାହାକି ସ୍ୱାଭାବିକର ପରିସରଭୁକ୍ତ। ଏଥିସହ ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ୪୮% ଅଧିକ ବର୍ଷ ରେକର୍ଡ ହୋଇଥିଲା। କନ୍ଧମାଳରେ ସର୍ବାଧିକ ୧୭୦୯ ମିମି ବର୍ଷା ହୋଇଥିଲା। ଅନ୍ୟପଟେ ଭଦ୍ରକରେ ୨୧% ନିଅଣ୍ଟିଆ ବର୍ଷା ହୋଇଥିଲା। ‌ସେଠାରେ ସର୍ବମୋଟ ୮୬୧.୮ ମିମି ବର୍ଷା ହୋଇଥିଲା।

publive-image

ଅନ୍ୟପଟେ ଚଳିତ ମୌସୁମୀ ଋତୁରେ ବଙ୍ଗୋପସାଗରରେ ୭ଟି ସିଷ୍ଟମ ସୃଷ୍ଟି ହୋଇଥିବା ବେଳେ ‌ଗୋଟିଏ ବି ବାତ୍ୟା ଓଡ଼ିଶାକୁ କ୍ଷତିଗ୍ରସ୍ତ କରିନି। ଚଳିତ ବର୍ଷ ବଙ୍ଗୋପସାଗରରେ ଗୋଟିଏ ଗଭୀର ଅବପାତ, ୩ଟି ଅବପାତ, ଗୋଟିଏ ସୁଦୃଶ ଲଘୁଚାପ ଓ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଯାହାକି ଜୁନ ମାସରେ ୩୭% ନିଅଣ୍ଟିଆ ବର୍ଷା ସତ୍ତ୍ବେ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ରାଜ୍ୟରେ ବର୍ଷାକୁ ସ୍ୱାଭାବିକ କରିବାରେ ସାହାଯ୍ୟ କରିଥିଲା। ଅଗଷ୍ଟ ମାସରେ ୩ଟି ଲଘୁଚାପ ବର୍ଷା ଯୋଗୁଁ ୧୩୨% ଅଧିକ ବର୍ଷା ରେକର୍ଡ ହୋଇଥିଲା। ୧୪ ଓ ୧୫ ଅଗଷ୍ଟରେ ରାଜ୍ୟରେ ୧୨୦ .୭% ଅଧିକ ବର୍ଷା ହେତୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୧ ଅକ୍ଟୋବରରେ ରାଜ୍ୟରୁ ମୌସୁମୀ ବିଦାୟ ଦେଇଥିଲା।

ବର୍ଷ ଆରମ୍ଭରୁ ରାଜ୍ୟରେ ବିଶେଷ ଶୀତ ପଡ଼ିନଥିଲା। ଜାନୁଆରି ଓ ଫେବ୍ରୁଆରି ମାସରେ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ମୋଟ୍‌ ୭ ଦିନ ଶୀତ ଲହରି ପ୍ରବାହିତ ହୋଇଥିଲା। ଚଳିତ ଡିସେମ୍ବରରେ ବିଲ୍‌କୁଲ ଶୀତ ଲହରି ଅନୁଭୂତ ହୋଇନାହିଁ। ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ୨୯ ଜାନୁଆରିରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ, ପାହାଡ଼ିଆ ଅଞ୍ଚଳରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିଠାରେ ୧୯ ଓ ୨୩ ଡିସେମ୍ବରରେ ୫ ଡିଗ୍ରି ରେକର୍ଡ କରାଯାଇଛି। ୨୦ ଓ ୩୦ ଜାନୁଆରିରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ, ୩୧ ଜାନୁଆରି ଓ ୬ ଫେବ୍ରୁଆରିରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଏବଂ ୧୩, ୧୪ ଓ ୧୫ ଫେବୃଆରିରେ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହୋଇଥିଲା।

publive-image The Indian Express

ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟବାସୀ ଡହଳବିକଳ ହୋଇଥିଲେ। ଏସି, ଫ୍ୟାନ୍‌ ଓ କୁଲର୍‌ କିଛି କାମ କରିନଥିଲା। ଦିନ ତ ଦିନ ସଂଧ୍ୟା ୬ଟାରେ ବି ତାତି ଅସହ୍ୟ ହେଉଥିଲା। ଏପ୍ରିଲ ୩୦ ତାରିଖରେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ଚଳିତ ବର୍ଷର ଉତ୍ତପ୍ତ ସହର ପାଲଟିଥିଲା। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୫ ଡିଗ୍ରି ରେକର୍ଡ ହୋଇଥିଲା। ରାଜ୍ୟରେ ୪୫ ଡିଗ୍ରି କିମ୍ବା ତା’ ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ୨୫, ୨୯ ଓ ୩୦ ଏପ୍ରିଲରେ ବୌଦ୍ଧଠାରେ ୪୫ ଡିଗ୍ରି, ବଲାଙ୍ଗୀରଠାରେ ୯ ଜୁନରେ ୪୫.୩ ଡିଗ୍ରି ଓ ଟିଟଲାଗଡ଼ ସହରରେ ୮ ଓ ୯ ଜୁନରେ ୪୫.୨ ଡିଗ୍ରି ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଥିଲା। ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ ମାସ ୨୪ ତାରିଖରେ ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ମଧ୍ୟ ସେ ଦିନ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୧ ଡିଗ୍ରି ରେକର୍ଡ କରାଯାଇଥିଲା। ଚଳିତ ବର୍ଷ ଏପ୍ରିଲ ୨୮, ୨୯ ଓ ୩୦ ତାରିଖରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଥିଲା।

ଆଶ୍ବସ୍ତିର କଥା, ଚଳିତ ବର୍ଷ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟାଗୁଡ଼ିକର କୌଣସି ସିଧାସଳଖ ପ୍ରଭାବ ରାଜ୍ୟ ଉପରେ ପଡ଼ିନଥିଲା। ଆନ୍ଧ୍ରପ୍ରଦେଶକୁ ପ୍ରଭାବ ପକାଇ ଥିବା ପ୍ରାକ-ମୌସୁମୀ ବାତ୍ୟା ‘ଅସାନି’ (୭ ରୁ ୧୨ମେ’)ଓ ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁରେ ବାଂଲାଦେଶକୁ ପ୍ରଭାବ ପକାଇଥିବା ‘ ସିତ୍ରାଙ୍ଗ’ ପାଇଁ ଓଡ଼ିଶା ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗିଥିଲା। ବର୍ଷ ଶେଷକୁ ଅର୍ଥାତ ୨୧ ଡିସେମ୍ବର ଦିନ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ସକାଳ ୯.୪୬ଟା ସମୟରେ ରିକ୍ଟର ସ୍କେଲରେ ୩.୪ ତୀବ୍ରତାର ଏକ ମୃଦୁଭୂମି କମ୍ପ ଅନୁଭୂତ ହୋଇଥିଲା। ଯାହାର ଗଭୀରତା ପୃଥିବୀ ପୃଷ୍ଠରୁ ପାଖାପାଖି ୫ କିମି ରହିଥିଲା।