ଭଂଜନଗର: ଯେଉଁ ଛୁଆଟି ପାଇଁ ଓଷାଉପାସ କରିଥିଲେ, ଯେଉଁ ଛୁଆଟି ହେବା ଖୁସିରେ ମାତ୍ର ୮ ଦିନ ତଳେ ବର୍ଷପୁରାଣି କରିଥିଲେ, ଦୁନିଆକୁ ଭଲ ଭାବେ ଜାଣିବା ଆଗରୁ ମା ସହ ସେହି ଛୁଆ ଏହି ଦୁନିଆରୁ ବିଦାୟ ନେଇଛି | ନୂଆ ନୂଆ କଣ୍ଢେଇ ସହ ଏଇ କିଛିଦିନ ହେଲା ତ ଖେଳିବା ଆରମ୍ଭ କରିଥିଲା, ହେଲେ ଗତକାଲି ରାତିରେ କଅଁଳା ଛୁଆର ଜୀବନ ସହ ଦଇବ ଏମିତି ଖେଳ ଖେଳିଛି, ଯିଏ ସବୁଦିନ ପାଇଁ ଏହି ଦୁନିଆରୁ ବିଦାୟ ନେଇଯାଇଛି | ଆଜି ଆମେ ଆପଣଙ୍କୁ ଦିଗପହଣ୍ଡି ବସ ଟ୍ରାଜେଡିର ଏମିତି ଜଣେ ମୃତକଙ୍କ ବାବଦରେ କହିବୁ, ଯିଏ କି ଦୁନିଆ କଣ ଭଲ ଭାବେ ବୁଝିବା ଆଗରୁ, ବାପା-ମାଙ୍କ ଅସୀମ ସ୍ନେହ ପାଇବା ଆଗରୁ ଆଖି ବୁଜିଦେଇଛି | ଗଞ୍ଜା​ମ ଜିଲ୍ଲା ଦିଗପହଣ୍ଡି ଠାରେ ଘଟିଥିବା ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରେ ଭଞ୍ଜନଗର ତହସିଲ ଅଧିନ ମୁଜାଗଡ ଗ୍ରାମର ୨ ନିଷ୍ପାପ ଶିଶୁ ସମେତ ୫ ଜଣ ରହିଥିଲେ । ମୃତକ ମାନେ ହେଲେ ଶରତ ପ୍ରଧାନଙ୍କ ବୋହୂ ଶିବାନୀ ପ୍ରଧାନ(୨୭) ଓ ତାଙ୍କ ଏକ ବର୍ଷର ପୁଅ ଆଦ୍ଭିକ୍‌ |

Advertisment

ଆଦ୍ଭିକଙ୍କର ୮ ଦିନ ​ତଳେ ହୋଇଥିଲା ବର୍ଷପୁରାଣି,​ ମୃତ ଶିବାନୀ ତାଙ୍କ ଘରର ବଡ ବୋହୂ ହୋଇଥିବାବେଳେ ସେମାନଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା। ଅତି ଖୁସିରେ ତାର ନାମ ଆଦ୍ଭିକ୍‌ ରଖିଥିଲେ | ୮ ଦିନ ତଳେ ଅର୍ଥାତ୍‌ ୧୮ ତାରିଖ ଦିନ ମୁଜାଗଡରେ ଧୁମ୍‌ଧାମ୍‌ରେ ତାର ପ୍ରଥମ ଜନ୍ମ ଦିନ ପାଳନ ହୋଇଥିଲା। ଅନେକ ଅତିଥି ଯୋଗ ଦେଇଥିବା ବେଳେ ପରିବାର ଲୋକ ତାର ଭବିଷ୍ୟତ ନେଇ କେତେ କଣ ଭାବି ​ଥିଲେ। ଦୀର୍ଘାୟୁ ପାଇଁ ଆର୍ଶୀବାଦ ମଧ୍ୟ ଦେଇଥିଲେ। ପରିବାର ପ୍ରିୟଜନମାନେ ଆଣିଥିବା ଖେଳଣା, ପୋଷାକରେ ଘର ଭର୍ତ୍ତି ହୋଇଯାଇଥିଲା। ଅନେକ ଖେଳଣା ତ ଜରି ହିଁ ଖୋଲି ନଥିଲା। ଆଜି ଆଦ୍ଭିକ୍‌ର ଅକାଳରେ ମୃତ୍ୟୁ ଘଟିଥିବାରୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଜନ୍ମ ଦିନରେ ମିଳିଥିବା କିଛି ନୂଆ ପୋଷାକ ଓ ଖେଳଣାକୁ ଜୁଇରେ ପକାଯାଇଥିବା ବେଳେ ତାକୁ ଦେଖି ସମସ୍ତଙ୍କ ଆଖିରୁ ଅଶ୍ରୁ ଝରି ଆସିଥିଲା।