ଗୋଆରୁ ଭିନ୍ନକ୍ଷମ ହୋଇ ଫେରିଥିଲେ ମୋହନ, ପୁଣି ସକ୍ଷମ କଲା ପୁନର୍ବାସ କେନ୍ଦ୍ର

ସୁନ୍ଦରଗଡ଼ : ସୁଦୂର ଗୋଆକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇ ଭିନ୍ନକ୍ଷମର କଲବଲ ଜୀବନ ଜିଉଁଥିବା ଟାଙ୍ଗରପାଲି ବ୍ଲକର ଭାଲୁବାହାଲ୍ ଗାଁର ମୋହନ ଲାକ୍ରା ଏବେ ପୁଣି ସକ୍ଷମ ହୋଇ ଉଠିଛନ୍ତି। ସୁନ୍ଦରଗଡ଼ ପୁନର୍ବାସ କେନ୍ଦ୍ର ପକ୍ଷରୁ ତାଙ୍କୁ କୃତ୍ରିମ ଗୋଡ଼ ଲଗାଇ ଦେବା ପରେ ଏବେ ବିଲବାଡ଼ି କାମ ଅକ୍ଲେଶରେ କରିପାରୁଛନ୍ତି। ଦିନେ ଆଶା ବାଡ଼ି ନଧରିଲେ ଘରୁ ପାଦେ ବାହାରିବା ସମ୍ଭବ ନଥିଲା। ଏବେ ପୂର୍ବ ପରି ବେଶ ଶକ୍ତ ପାଦ ପକାଇ ଆଗେଇ ଚାଲିଛନ୍ତି।

ଗୋଆରୁ ଗୋଟିଏ ଗୋଡ଼ ହରାଇ ଗାଁକୁ ଫେରି ଆସିବା ପରେ ଭାଙ୍ଗି ପଡ଼ିଥିଲେ ମୋହନ। ଏକଦା ପଥରକୁ ଚୁନା କରିବାର ଶକ୍ତି ରଖିଥିବା ମୋହନଙ୍କ ଦେହ କ୍ଷୀଣ ହୋଇଯାଇଥିଲା। ଗୋଟିଏ ଗୋଡ଼ରେ ଆଶା ବାଡ଼ିକୁ ଭରା ଦେଇ ଚାଲୁଥିବାରୁ ସେ ଆଉ ସାଧାରଣ କାମଟେ ବି କରିପାରୁ ନଥିଲେ। ମୋହନଙ୍କ ଦଶା ଦେଖି ସ୍ତ୍ରୀ ପିଲା ବି ବିଚଳିତ ହୋଇପଡ଼ିଥିଲେ। ତାଙ୍କ ଭରସାରେ ପରିବାର ଚଳୁଥିବାରୁ ଆଗକୁ କ’ଣ କରିବେ, କେମିତି ଚଳିବେ ସେ ଚିନ୍ତାରେ ଘାରି ହେଉଥିଲେ ମୋହନ ଓ ତାଙ୍କ ସ୍ତ୍ରୀ। ତେବେ ଆଗକୁ ଯେ ବିନା ଆଶା ବାଡ଼ିରେ ଚାଲିପାରିବେ, ପୂର୍ବ ପରି ସକ୍ଷମ ଲୋକ ଭଳି ବିଲବାଡ଼ି କାମ କରିପାରିବେ ସେ ଆଶା ଆଉ ନଥିଲା।

ଠିକ୍‌ ଏହି ସମୟରେ ଦିନେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସିଆଇଆରଟିଡି’ର ମୁଖ୍ୟ ନଟକିଶୋର ମିଶ୍ର ଦେବଦୂତ ଭଳି ମୋହନଙ୍କ ପାଖରେ ପହଞ୍ଚିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ହେଉଥିବା ସୂଚନା ଦେବା ସହ ଦେ ନିଜେ ତାଙ୍କୁ କେନ୍ଦ୍ରକୁ ଆଣିଥିଲେ। ମୋହନଙ୍କ କଟାଗୋଡ଼ରେ କୃତ୍ରିମ ଗୋଡ଼ ଲଗାଇ ଦିଆଗଲା। ଏଥିପାଇଁ ମୋହନଙ୍କୁ ଟଙ୍କାଟେ ବି ଖର୍ଚ୍ଚ କରିବାକୁ ପଡ଼ିଲା ନାହିଁ। ଏହି କୃତ୍ରିମ ଅଙ୍ଗ ଦ୍ବାରା ଏବେ ସେ ପୂର୍ବ ପରି ବିଲରେ ଧାନ ଚାଷ ଘର ବାରିରେ ପନିପରିବା ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ମୋହନ ମୁହଁରେ ବହୁ ଦିନରୁ ଲିଭିଯାଇଥିବା ହସ ପୁଣି ଥରେ ଫୁଟିଛି, ଆଉ ସେ ହସ ସଞ୍ଚରି ଯାଇଛି ପରିବାରର ମୁହଁକୁ। ଆଉ ନୂଆ ଜୀବନ ଦେଇଥିବା ପୁନର୍ବାସ କେନ୍ଦ୍ର ଓ ସିଆଇଆରଟିଡି ପାଖରେ କୃ୍ତଜ୍ଞତାରେ ନଇଁ ଯାଇଛନ୍ତି ପୂରା ପରିବାର।

ସମ୍ବନ୍ଧିତ ଖବର