କିଛି ସରକାରୀ ସହାୟତା ମିଳୁନି ଅସ୍ତରଙ୍ଗ ବ୍ଲକର ଏହି ଅସହାୟ ପରିବାରକୁ !

ସ୍ତ୍ରୀ ପକ୍ଷାଘାତ ରୋଗୀ,ସ୍ୱାମୀ ଯକ୍ଷ୍ମାରେ ପୀଡ଼ିତ, ଶାଶୁଘର ଛାଡ଼ି ଝିଅ ବି ରହୁଛି ସେମାନଙ୍କ ସାଥୀରେ

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ପଞ୍ଚାୟତରେ ଏକ ଅସହାୟ ପରିବାର ପେଟକୁ ଦାନା, ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ପାଇ କିଭଳି ଛଟପଟ ହେଉଛନ୍ତି, ତାହା ଦେଖିବାକୁ ମିଳିଛି। ବଡ଼ ଦୁଃଖ ଲାଗୁଛି| ପରିବାରକୁ ସାହା ହେବାକୁ କେହି ନାହାନ୍ତି| ଠିକ୍ ଏତିକି ବେଳେ ଗତ ଫନି ବାତ୍ୟା ପରିବାର ଉପରେ ଦାଉ ସାଜିଥିଲା | ଗରିବ କୁଡ଼ିଆକୁ ମାଟିରେ ମିଶାଇ ଦେଇଥିଲା ବାତ୍ୟା | ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ,ବାତ୍ୟା ପରେ ତାଳଦା ବିକାଶ ପରିଷଦ ଯୁବକମାନେ ପରିବାରକୁ ପ୍ରଥମେ କ୍ଲବ୍ ଘରେ ରଖିଥିଲେ |

ଗଣେଶ ପୂଜା ସମୟରେ ଅସୁବିଧା ହେବାରୁ ସ୍ଥାନୀୟ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଦୀର୍ଘ ୮ ମାସ ହେଲା ରହୁଛନ୍ତି | ସବୁଠାରୁ ବଡ ଦୁଃଖର ବିଷୟ ଯେ ପରିବାର ମୁଖ୍ୟ ବାବାଜୀ ସ୍ୱାଇଁ ଜଣେ ଯକ୍ଷ୍ମା ରୋଗୀ | ପୁରୀ କଲେରା ହସ୍ପିଟାଲରେ ଗୋଟିଏ ବର୍ଷ ରହିବା ପରେ ଘରକୁ ଫେରିଛନ୍ତି | ତାଙ୍କ ସ୍ତ୍ରୀ ବିଦୁଲତା ସ୍ୱାଇଁ ଜଣେ ପକ୍ଷାଘାତ ରୋଗୀ ଓ ଦୀର୍ଘ ଦିନ ହେବ ଶଯ୍ୟାଶାୟୀ ଅଟନ୍ତି| ଅନ୍ୟ ଏକ ଦୁଃଖ ତାଙ୍କର ଜଣେ ଝିଅ ଓସିଆଁ ଗ୍ରାମରେ ଦ୍ଵିତୀୟ ବିବାହ କରିଥିବା ବେଳେ ପାରିବାରିକ ଅଶାନ୍ତି ଯୋଗୁଁ ନିଜ ଛୋଟ ପୁଅକୁ ଧରି ବାପ ଘରେ ରହୁଛନ୍ତି | ଅସହାୟ ବାପ ମା’ଙ୍କ ବେକରେ ଏବେ ବନ୍ଧା ଆଉ ଏକ ପରିବାର |

ଗରିବ ବାବାଜୀଙ୍କ ପୁଅପାତି ନାହିଁ| ମୂଲ ଲାଗି ବା କାହାର ପାଇଟି କରି ଚଳନ୍ତି| ବର୍ଷେ ହେବ ଶରୀର ଅସୁସ୍ଥ ଯୋଗୁଁ ପର ଦୁଆରେ ମୂଲଲାଗି ଚଳିବା ଆହୁରି କଷ୍ଟ | ସ୍ୱାମୀ ଓ ସ୍ତ୍ରୀ ମଧ୍ୟରୁ କାହାକୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ମିଳିନି| ଆବାସ ଯୋଜନାରେ ବହୁ ପୂର୍ବରୁ ୨୨ ହଜାର ଟଙ୍କାର ସହାୟତା ରାଶି ମିଳିଥିଲେ ବି ସେହି ଟଙ୍କା ଏକ ଅଭାବଗ୍ରସ୍ତ ପରିବାର ପାଇଁ ସମୁଦ୍ରକୁ ଶଙ୍ଖେ ଭଳି । ଏହି ପରିବାରକୁ ବର୍ତ୍ତମାନ ପରିସ୍ଥିତିରେ କେବଳ ରାସନ କାର୍ଡରୁ ଚାଉଳ ମିଳୁଛି । ଅନ୍ୟ କୌଣସି ବି ସରକାରୀ ସହାୟତା ଏହି ପରିବାର ନିକଟରେ ପହଞ୍ଚିପାରୁନି | କେବଳ ଘର ଡିହ ବ୍ୟତୀତ ଜମିବାଡ଼ି ବୋଲି କିଛି ନାହିଁ| ଗତ ଫନି ବାତ୍ୟାରେ ଗରିବ ବାବାଜୀ ସ୍ୱାଇଁଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବାରୁ ସେମାନେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆଶ୍ରୟ ନେଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି | ବାତ୍ୟାରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ ଟଙ୍କାଟିଏ ସହାୟତା ମିଳିନି |

ଗତ କିଛି ଦିନ ତଳେ କାକଟପୁର ବିଧାୟକ ତଥା ରାଜ୍ୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପଞ୍ଚାୟତକୁ ପଦଯାତ୍ରା ସମୟରେ ଲୋକେ ଏହି ଗରିବ ପରିବାରର ଅବସ୍ଥା ଦେଖାଇଥିଲେ | କିନ୍ତୁ ମନ୍ତ୍ରୀ ଏଯାବତ୍ କୌଣସି ପଦକ୍ଷେପ ନେଇ ନାହାନ୍ତି| ଏଭଳି ପରିସ୍ଥିତିରେ ପ୍ରଶାସନ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ତାଳଦା ବିକାଶ ପରିଷଦର କର୍ମକର୍ତ୍ତା ନିବେଦନ କରିଛନ୍ତି |

ସମ୍ବନ୍ଧିତ ଖବର