୭ ବର୍ଷର ପୁଅ ବୁଝିଗଲା ଜୀବନ-ମୃତ୍ୟୁର ଖେଳ ! ବାପା ଚାଲିଗଲେ ମା’ ପାଖକୁ…

କଟକ: ସକାଳ ପାହେ, ଆଉ ଭିକ ମାଗିବାକୁ ବାହାରିଯାଆନ୍ତି ବାପା-ପୁଅ | ଖୋର୍ଦ୍ଧା ରେଳ ଷ୍ଟେସନ ସମ୍ମୁଖରେ ଡିଜେନ ମାଲକଲ ଓ ତାଙ୍କ ପୁଅ ମୁଖି ଅନେଇଥାନ୍ତି କେତେବେଳେ ଯାତ୍ରୀ ଆସିବେ ଆଉ କିଛି ସାହାଯ୍ୟ କରିବେ | ମା’ ପିଲାଦିନରୁ ଚାଲିଯାଇଥିବାରୁ ପୁଅ ମୁଖି ପାଇଁ ତା’ ବାପା ହିଁ ଥିଲେ ସବୁ କିଛି | ପେଟ ଓ ଭୋକର ସଂଘର୍ଷ ଭିତରେ ବାପା ଡିଜେନ ମାଲକଲଙ୍କୁ ହୋଇଗଲା ଯକ୍ଷ୍ମା | ପ୍ରଥମେ ଭୁବନେଶ୍ୱର ଓ ପରେ କଟକ ଏସସିବିରେ ଗତ ୨୫ ତାରିଖରେ ୭ ବର୍ଷର ପୁଅ ଭର୍ତ୍ତି କରିଥିଲା | ବାପାଙ୍କର ଏଭଳି ଅବସ୍ଥା ଦେଖି ପୁଅ ହତବାକ ହୋଇଯାଇଥିଲା |

ନିଜ ବାପାଙ୍କଠାରୁ ଠିକଣାଟିଏ ନେଇ ପିଉସୀ ଓ ଜେଜେମାଙ୍କୁ ଆଣିବାକୁ ଟ୍ରେନରେ ଯାଇଥିଲା | ଜେଜେମା ଓ ପିଉସୀଙ୍କୁ ନେଇ ଯେତେବେଳେ ଫେରିଲା, ଦେଖିଲା ବାପା ବେଡ଼ରେ ନାହାନ୍ତି | କୁଆଡେ ଗଲେ ବାପା, ତାଙ୍କୁ ଖୋଜିବାକୁ ମେଡିକାଲର ବାରଣ୍ଡାରେ ଏଣେତେଣେ ବୁଲୁଥିଲେ ଡିଜେନ ମାଲକଲଙ୍କ ପୁଅ ମୁଖି ଓ ବୁଢ଼ୀ ମା | କିଛି ସମାଜସେବୀ ଏମାନଙ୍କ ଅବସ୍ଥା ଦେଖି ପଚାରିବୁଝିଥିଲେ ପୂରା କାହାଣୀ | ଏହା ପରେ ସମାଜସେବୀଙ୍କ ସାହାଯ୍ୟରେ ଶବ ଗୃହରେ ଖୋଜାଯାଇଥିଲା ଅପରିଚିତଙ୍କ ଶବ | ମୁଖି ଚିହ୍ନି ପାରିଥିଲା ନିଜ ବାପାଙ୍କ ମୃତ ଶରୀର |

ମେଡିକାଲ କର୍ତୃପକ୍ଷ କହିଥିଲେ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା, ପାଖରେ କେହି ନ ଥିବାରୁ ଅପରିଚିତଙ୍କ ମୃତଦେହ ଭାବରେ ରଖାଯାଇଥିଲା | ଏହା ପରେ ସମାଜସେବୀମାନେ ମିଶି ମୃତ ଦେହକୁ ଆଣି ଖାନ ନଗର  ଶ୍ମଶାନରେ ସଂସ୍କାର କରାଇଥିଲେ | ପୁଅ ମୁଖି ବାପା ଡିଜେନ ମାଲକଲଙ୍କ ଚିତାରେ ମୁଖାଗ୍ନି ଦେଇଥିଲା | ଛୁଆଟିର ଜୀବନରେ ମା’ ପରେ ଲିଭିଲା ବାପା ଶବ୍ଦର ଅର୍ଥ | ମା’ ଆଉ ବାପାଙ୍କର କିଛି ସ୍ମୃତି ଗଣ୍ଠିଲି ହିଁ ଏବେ ପିଲାଟି ପାଇଁ ସବୁକିଛି |

ସମ୍ବନ୍ଧିତ ଖବର