ଭିନ୍ନକ୍ଷମ ଛୁଆ ପାଇଁ ସ୍ୱାମୀ କରିଦେଲେ ପର, ଭାଗ୍ୟକୁ ଆଦରି ବାପଘରେ ଏବେ ଭାଗ୍ୟଲତା

ପ୍ରତାପୁର: ନିଜ ଔରସରୁ ଜନ୍ମିତ ପୁତ୍ର ସନ୍ତାନ ଭିନ୍ନକ୍ଷମ ହେବାରୁ ନିଷ୍ଠୁର ହୋଇଯାଇଥିଲା ବାପା। ଏଭଳି ପିଲାକୁ ବଞ୍ଚାଇ ରଖିବାର ଆବଶ୍ୟକ ଦରକାର ନାହିଁ ବୋଲି କହି ପ୍ରତିଦିନ ପତ୍ନୀକୁ ନିର୍ଯାତନା ଦେଇଆସୁଥିଲା। ଏପରିକି ଛୁଆକୁ ଜୀବନରୁ ମାରିବା ପାଇଁ ନିଜେ ବିଷ କିଣି ଆଣି ପତ୍ନୀକୁ ପିଆଇବା ପାଇଁ ବାଧ୍ୟ କଲା। ହେଲେ ଜନ୍ମ କଲା ମା’ କେବେ ନିଷ୍ଠୁର ହୋଇପାରେନା। ତେଣୁ ସେ ସ୍ବାମୀ କଥାରେ ରାଜି ହୋଇ ନଥିଲା। ମାତ୍ର ପତି ବାରମ୍ବାର ବାଧ୍ୟ କରିବାରୁ ଶେଷରେ ବାଧ୍ୟ ହୋଇ ସେ ନିଜେ ବିଷ ପିଇ ଦେଇଥିଲା। ବହୁ ଚିକିତ୍ସା ପରେ ନିଜ ଜୀବନ ବଞ୍ଚିଗଲା ହେଲେ, ସ୍ବାମୀର ନିର୍ଯାତନା ଥମି ନଥିଲା। ପୁଅ ମୁହଁକୁ ନ ଚାହିଁବାକୁ ଜିଦରେ ଅଟଳ ଥିବା ପତିର ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ଛୁଆକୁ ଧରି ବାପଘର ଚାଲିଆସିଥିଲା।

ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ କୁଡୁତାଇ ପଞ୍ଚାୟତ ନୂଆବାଙ୍କତରା ଗ୍ରାମରେ। ଗ୍ରାମର ବିପ୍ର ଗୈଡ଼ଙ୍କ ଝିଅ ଭାଗ୍ୟଲତା ବୁଗୁଡ଼ା ବ୍ଳକ୍ ଜେମାଦେଇପୁର ଗାଁରେ ଧ୍ରୁବ ଗୌଡ଼ଙ୍କୁ ବିବାହ କରିଥିଲେ। ବେଶ୍ ହସ ଖୁସିରେ ବୈବାହୀକ ଜୀବନ କଟୁଥିଲା। ଭାଗ୍ୟଲତା ପାଞ୍ଚ ବର୍ଷ ତଳେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମର କିଛି ମାସ ପରେ ପିଲାଟି ଭିନ୍ନକ୍ଷମ ବୋଲି ଜଣାପଡ଼ିଥିଲା। ଶିଶୁଟି ଚଳପ୍ରଚଳ କରିପାରୁ ନଥିବା ବେଳେ ପାଟି ମଧ୍ୟ ଖୋଲୁ ନଥିଲା। ଯାହାକୁ ନେଇ ଭାଗ୍ୟଲତାଙ୍କ ସ୍ୱାମୀ ଧ୍ରୁବଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ତେଣୁ ସେ ପ୍ରଥମ ସନ୍ତାନକୁ ନେଇ ଜୀବନ ସାରା ହଟହଟା ହେବା ଅପେକ୍ଷା ତାକୁ ମାରି ଦେବାକୁ ସ୍ଥିର କରିଥିଲେ। ଏଥିପାଇଁ ସେ ନିଜେ ବିଷ କିଣି ଆଣି ଭାଗ୍ୟଲତାଙ୍କୁ ଦେବା ସହ ଛୁଆକୁ ପିଆଇ ଦେବା ପାଇଁ ବାଧ୍ୟ କରିଥିଲେ। ଏଥିରେ ଭାଗ୍ୟଲତା ରାଜି ନହେବାରୁ ସେ ତାଙ୍କୁ ନିର୍ଯାତନା ଦେଇଥିଲେ। ଏହାକୁ ସହି ନପାରି ସ୍ୱାମୀ ଆଣିଥିବା ବିଷକୁ ଭାଗ୍ୟଲତା ନିଜେ ପିଇ ଦେଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ସ୍ବାମୀଙ୍କ ଅତ୍ୟାଚାର ପୂର୍ବବତ୍ ଜାରି ରହିଥିଲା। ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷରେ ଭାଗ୍ୟଲତା ଛୁଆକୁ ନେଇ ବାପଘର ନୁଆଁ ବାଙ୍କତରାକୁ ଚାଲି ଆସିଥିଲେ।

ଇତିମଧ୍ୟରେ ସେ ପୁଣି ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ସନ୍ତାନଟି ଖେଳବୁଲ କରିବା ସହ ସଂପୂର୍ଣ୍ଣ ସୁସ୍ଥ ଅଛି। ହେଲେ ପ୍ରଥମ ସନ୍ତାନକୁ ୫ବର୍ଷ ହୋଇଥିଲେ ମଧ୍ୟ ସେ କେବଳ ଶୋଇ ରହୁଛି। ଏପରିକି କଡ଼ ମଧ୍ୟ ଲେଉଟାଇ ପାରୁନାହିଁ। ପାରିବାରିକ ଅସନ୍ତୋଷ ଓ ଅର୍ଥାଭାବ ପାଇଁ ପୁଅର ଚିକିତ୍ସା କରାଇ ପାରୁ ନଥିବାରୁ ଅକ୍ଷମ ମନେ କରିଛନ୍ତି ଭାଗ୍ୟଲତା। ବିବାହ ପରେ ମଧ୍ୟ ବାପାଙ୍କ ବୋଝ ହୋଇ ବଞ୍ଚିଥିବାରୁ ବହୁତ୍ ଦୁଃଖ ଲାଗୁଥିବା ସେ କହିଛନ୍ତି। ପେଟକୁ ସିନା ଅଭାବ ନାହିଁ, ହେଲେ ପୁଅର ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ। ସରକାର ତାଙ୍କ ପ୍ରତି କୃପାଦୃଷ୍ଟି ପକାନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର