ଶ୍ରୀ ଜଗନ୍ନାଥଙ୍କ କଳାକୃତି ଗଢ଼ିବାରେ ମଗ୍ନ ପୁଷ୍ପାଞ୍ଜଳି : ମୁଁ କିଛି ନ‌ୁହେଁ, ଜଗା ସବୁ କରୁଛି

ବ୍ରହ୍ମପୁର: ଆଖିରେ ମୋଟା ଚଷମା। ହାତରେ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ। କେତେବେଳେ ପ୍ଲାଷ୍ଟିକ ବୋତଲ ତ ଆଉ କେ‌ତେବେଳ‌େ ସୋଲ। ପୁରୁଣା ଟଙ୍କା ଓ ଚାମଚକୁ ନେଇ ମଧ୍ୟ କଳାକୃତି ଗଢ଼ିଥାନ୍ତି। ମଞ୍ଜିକୁ ମଞ୍ଜି ଅଠାରେ ଯୋଡ଼ି ପଟ୍ଟଚିତ୍ର କରନ୍ତି। ସମୟ ଉପରେ ଆଉ ନିଘା ନଥାଏ। ଚିତ୍ର କରିବା ଓ ମୂର୍ତ୍ତି ତିଆରିରେ ତାଙ୍କୁ ଆତ୍ମ‌‌ସ‌ନ୍ତୋଷ ମିଳିଥାଏ। ତାଙ୍କରି କଳାକୃତ୍ତିକୁ ଦେଖିଲେ ଆଖି ଖୋସି ହୋଇଯାଏ। ଏହିପରି ଭାବେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶହ ଶହ କଳାକୃତି କରିବାରେ ଲାଗିପଡ଼ିଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁର ସହରର ଗଜପତି ନଗରର ସପ୍ତମ ଲାଇନରେ ରହୁଥିବା ପୁଷ୍ପାଞ୍ଜଳି ପଟ୍ଟନାୟକ। ଜୀବନର ୭୦ଟି ବସନ୍ତ ଦେଖିଥିବା ପୁଷ୍ପାଞ୍ଜଳି ଏବେ ବୟସର ଅପରାହ୍ନରେ ପହଞ୍ଚିଛନ୍ତି ସତ, କିନ୍ତୁ ନିଜର କଳାକୁ ଛାଡ଼ିପାରୁ ନାହାନ୍ତି। ନିଜ ଘରେ କାଳିଆ ଠାକୁରଙ୍କ ଛୋଟିଆ ସଂଗ୍ରହାଳୟ ଗଢ଼ିଛନ୍ତି।

୩୫ ବର୍ଷ ପୂର୍ବେ ଶ୍ରୀଜଗନ୍ନାଥଙ୍କୁ ସ୍ବପ୍ନରେ ଦେଖିଥିଲେ। ଏହାପରେ ଠାକୁରଙ୍କ ଦଶର୍ନ ପାଇଁ ପରିବାରବର୍ଗଙ୍କ ସହ ପୁରୀ ଯାଇଥିଲେ। ବାହୁଡାଯାତ୍ରାର ଭିଡ଼ରେ ଝିଆରି ହଜିଯାଇଥିଲା। କିନ୍ତୁ ଠାକୁରଙ୍କ କୃପାରୁ ଝିଆରିଙ୍କୁ ଖୋଜିପାଇ ଘରକୁ ଫେରିଥିଲେ। ନନ୍ଦିଘୋଷ ରଥକୁ ଦେଖିଥିଲେ, କିନ୍ତୁ ଜଗନ୍ନାଥଙ୍କୁ ଆଉ ଦେଖି ନପାରି ଘରକୁ ଫେରିବାରୁ ମନରେ ଦୁଃଖ ରହାଯାଇଥିଲା। ହଠାତ୍ ତାଙ୍କ ମନକୁ କଣ ଆସିଲା ଦିନେ ଘରେ କାଗଜ ଉପରେ କଜଳରେ ଆଖି, ସିନ୍ଦୁରରେ ପାଟି ଓ ହଳଦିରେ ବସ୍ତ୍ର ତିଆରି କରିଥିଲେ। ସେଥିରେ ଠାକୁର ଏମିତି ସୁନ୍ଦର ଦେଖାଯାଉଥିଲେ, ତାହାକୁ ଅଧିକ ସୁନ୍ଦର କରିବା ପାଇଁ ଚିତ୍ର ଆଙ୍କିବା ଓ ମୂର୍ତ୍ତି ତିଆରି ଆରମ୍ଭ କରିଥିଲେ।

୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ୧୪ ବର୍ଷରେ ବିବାହ କରିଥିବା ପୁଷ୍ପାଞ୍ଜଳି ହାତରେ କେବେ ତୁଳୀ ଧରି ନଥିଲେ। ବିନା ପ୍ରଶିକ୍ଷଣରେ ଧୀରେ ଧୀରେ ସେ ଆଜି କଳାକୃତି କରିବାରେ ଲାଗିପଡ଼ିଛନ୍ତି। ୧୦୮ ପ୍ରକାର ଶସ୍ୟ (ମଞ୍ଜି)ରେ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର ଗଢ଼ିଲେ। ଧାନ, ଗହମ, କୋଳଥ, ମୁଗ, ବିରି, ରାଶି, ଜିରା, ଗୁଆ, କାଜୁ, ବୋଇତାଳୁ ମଞ୍ଜି, ଶିମ୍ବ ମଞ୍ଜି, କଖାରୁ, ତରଭୁଜ, ଚିନାବାଦମ୍, ଭେଣ୍ଡି ଭଳି ବିଭିନ୍ନ ମଞ୍ଜିରେ କଳାକୃତି ତିଆରି କରିଥିଲେ। ମଞ୍ଜିକୁ ମଞ୍ଜି ଯୋଡ଼ିବା କଷ୍ଟକର ବ୍ୟପାର ହୋଇଥିଲେ ମଧ୍ୟ ନିଜର ମନପ୍ରାଣକୁ ସମର୍ପି ଭଗବତ ବିଶ୍ବାସରେ ସୃଜନଶୀଳ ମନୋବୃତ୍ତି ନେଇ ତିଆରି କରିଥାନ୍ତି ବିଭିନ୍ନ କୃତି। ଏହି କଳାକୃତି ତିଆରି କରିବା ପରେ ଧୂଳି ଠାରୁ ରକ୍ଷା ପାଇଁ ତାହାକୁ ପଲିଥିନ୍ ଘୋଡ଼ାଇ ରଖିଥାନ୍ତି। ମଞ୍ଜିଗୁଡ଼ିକ ଖରାପ ନହେବା ପାଇଁ ସେଥିରେ ବିଭିନ୍ନ ରଙ୍ଗ ମଧ୍ୟ ଦେଇଥାନ୍ତି। ଏହାପରେ ସୋଲ, ଚୁମୁକି, ଆଟା, କାଗଜ ଓ ଲେସ୍ ଦ୍ବାରା ଆହୁରି ସୁନ୍ଦର ପଟ୍ଟଚିତ୍ର ତିଆରି କରିବାରେ ଲାଗିଲେ। ଧୀରେ ଧୀରେ ବର୍ଜ୍ୟବସ୍ତୁକୁ ନେଇ ସେ ଜଗନ୍ନାଥଙ୍କ ମୂର୍ତ୍ତି ବଡ଼ଠାକୁର ବଳଦେବ ଓ ମା’ ସୁଭଦ୍ରାଙ୍କ ମଧ୍ୟ ମୂର୍ତ୍ତି ତିଆରି କରିବାରେ ଲାଗିପଡ଼ିଲେ।

ସେ ଜଣେ ଗୃହିଣୀ ସହିତ କବି, ଲେଖିକା, ଅଭିନେତ୍ରୀ ଓ ସମାଜସେବୀ ମଧ୍ୟ ଅଟନ୍ତି। ବର୍ତ୍ତମାନ ସୁଦ୍ଧା ଗଳ୍ପ, କବିତା ଓ ପ୍ରବନ୍ଧ ଭଳି ୩୬ ପୁସ୍ତକ ଲେଖିସାରିଲେଣି। ପରିବାରର ଭିତରେ ରହି ଅବସରରେ ସମୟରେ କଳାକୃତ୍ତି ତିଆରି କରିଥାନ୍ତି। ସ୍ବାମୀ ଆରପାରିକୁ ଚାଲିଯାଇଥିବା ବେଳେ ବଡ଼ ଝିଅ ସରିତାଙ୍କ ସେ ବ୍ରହ୍ମପୁରରେ ରହୁଛନ୍ତି। ସାନ ଝିଅ ସସ୍ମିତା ଓ ନାତୁଣୀ ଏହି କଳା ଶିକ୍ଷା କରିଛନ୍ତି। ଏହି ଶିକ୍ଷାକୁ ଆଗାମୀ ପିଢ଼ିକୁ ମୁକ୍ତହସ୍ତରେ ଦେବାକୁ ମଧ୍ୟ ସ‌େ ପ୍ରସ୍ତୁତ ରହିଛନ୍ତି। ମୁଁ କିଛି ନୁହେଁ ସବୁ ସେହି ଜଗା କରୁଛି ବୋଲି ସେ କହିଛନ୍ତି। ପରିଣତ ବୟସରେ ସେ ମଧ୍ୟ କଳାକୃତି ପାଉଁ ଉଦାହରଣ ସାଜିଛନ୍ତି।

ସମ୍ବନ୍ଧିତ ଖବର