ବାପା ଆର ପାରିରେ, ମା’ ମାନସିକ ରୋଗୀ, ଭାଇ ରୋଗଗ୍ରସ୍ତ : ଜୀବନ ବଞ୍ଚାଇବାକୁ ମେଧାବୀ ବଡ଼ ପୁଅର ସଂଘର୍ଷ

ବେଙ୍ଗାଲୁରୁରେ ରୋଜଗାର କରୁଛି ଭଉଣୀ
ଭାଇର ଚିକିତ୍ସା ପାଇଁ ଖର୍ଚ୍ଚ କରି ସାରିଲେଣି ମେଧାବୃତ୍ତି ଟଙ୍କା

ପାତ୍ରପୁର, (ନୀଳା‌ଞ୍ଚଳ ପଟ୍ଟନାୟକ): କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁ ସାଥୀଙ୍କୁ ସାଙ୍ଗରେ ନେଇ ଆସେ। ଯାହାକି ରବୀନ୍ଦ୍ରଙ୍କ ଭାଗ୍ୟରେ ଘଟିଛି। ନିଜ ସୁନେଲି ଭବିଷ୍ୟତ ଗଠନ ଚିନ୍ତା ଛାଡ଼ି ମାନସିକ ରୋଗୀ ମା’ ଓ ଅଜଣା ରୋଗରେ ମୃତ୍ୟୁ ସହ ଲଢ଼ୁଥିବା ଭାଇର ଜୀବନ ବଞ୍ଚାଇବା ଲାଗି ସଂଘର୍ଷ ଜାରି ରଖିଛନ୍ତି। ଆଉ ଯୁକ୍ତ ଦୁଇ ପାସ୍ କରିବା ପରେ ଏକାକୀ ପରିବାରର ବୋଝକୁ ମୁଣ୍ଡାଇଛନ୍ତି। ସେପଟେ ଭଉଣୀ ବାହା ହେବା ବୟସରେ ରାଜ୍ୟ ବାହାରକୁ ଯାଇ ରୋଜଗାର କରୁଛି। ତଥାପି ଭାଙ୍ଗି ପଡ଼ିନାହାନ୍ତି ରବୀନ୍ଦ୍ର। ଭାଇର ଚିକିତ୍ସା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିବା ସହ ସବୁ ଦୁଃଖକୁ ଛାତି ତଳେ ଚାପି ରଖି ଲକ୍ଷ୍ୟପଥରେ ଆଗେଇ ଚାଲିଛନ୍ତି। ଆଉ ସରକାରୀ ସହାୟତାକୁ ଆଶ୍ରା କରିଛନ୍ତି।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତିଆପଦଲ୍ଲୀ ପଞ୍ଚାୟତ ନୂଆଗଡ଼ ଗ୍ରାମର ରବୀନ୍ଦ୍ର ବେହେରା। ବାପା ମଙ୍ଗଳା ବେହେରା ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ରାଜ୍ୟରେ ଦାଦନ ଖଟୁଥିଲେ। କରୋନା ଲକ୍‌ଡାଉନ୍ ପରେ ଗାଁକୁ ଫେରି ପ୍ରଥମେ ଆନୁଷ୍ଠନିକ ଓ ପରେ ଘରୋଇ ସଙ୍ଗରୋଧରେ ରହିଲେ। କିନ୍ତୁ ହଠାତ୍ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇ ତାଙ୍କର ଦୁଇଟିଯାକ କିଡ୍‌ନି ନଷ୍ଟ ହୋଇଥିଲା। ପାଣି ପରି ଟଙ୍କା ଖର୍ଚ୍ଚ ପରେ ବି ମଙ୍ଗଳା ଗତ ଜୁଲାଇ ୧୭ ତାରିଖରେ ଆରପାରିକୁ ଚାଲିଗଲେ। ଏହା ପରେ ‌ଯେମିତି ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା।

ପରିବାର କହିଲେ ତିନି ପୁଅ ରବୀନ୍ଦ୍ର, ସଞ୍ଜୟ ଓ ଅମର। ଭଉଣୀ ରୀତା ସବୁଠୁ ବଡ଼। ରୀତାଙ୍କ ଏବେ ବାହା ହେବା ବୟସ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଯୁକ୍ତ ତିନି ପାସ୍ କରିବା ପରେ ରୋଜଗାର ପାଇଁ ବେଙ୍ଗାଳୁରୁ ପଳାଇଛନ୍ତି। ଆଉ ଏଭଳି ସ୍ଥିତିରେ ପରିବାରର ସମସ୍ତ ଦାୟିତ୍ବ ବଡ଼ପୁଅ ରବୀନ୍ଦ୍ରଙ୍କ ଉପରେ। ମା’ ତୁଳସା ଦେବୀ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ମଝିଆ ଭାଇ ସଞ୍ଜୟ ଅଜଣା ରୋଗରେ ଆକ୍ରାନ୍ତ। ଫଳରେ ଉଭୟଙ୍କୁ ବଞ୍ଚାଇବାକୁ ରବୀନ୍ଦ୍ର ସଂଘର୍ଷ ଜାରି ରଖିଛି। ଦଶମରେ ୮୦ ପ୍ରତିଶତ ମାର୍କ ରଖି ବ୍ଲକ୍ ପାଇଁ ଗୌରବ ଆଣିଥିବା ରବୀନ୍ଦ୍ରଙ୍କ ମୁଣ୍ଡ ଉପରେ ମା’ ଓ ଦୁଇ ଭାଇଙ୍କ ଭରଣପୋଷଣ ସହ ରୋଷେଇ ଏବଂ ଆନୁଷଙ୍ଗିକ କାମର ସବୁ ଦାୟିତ୍ବ ପଡ଼ିଛି। ଏହା ମଧ୍ୟରେ ରବୀନ୍ଦ୍ର ଯୁକ୍ତ ଦୁଇରେ ୫୦ ପ୍ରତିଶତ ମାର୍କ ରଖି କଲେଜରେ ନାମ ଲେଖାଇଛନ୍ତି।

ହେଲେ ନିଜ ଭବିଷ୍ୟତକୁ ପଛରେ ପକାଇ ମା’ ଓ ଭାଇକୁ ସୁସ୍ଥ କରିବା ଲାଗି ଦିନରାତି ଏକ କରିଛନ୍ତି। ଦଶମ କ୍ଲାସ୍‌ରେ ସାହିତ୍ୟ ମେଧାବୃତ୍ତି ପରୀକ୍ଷାରେ ମିଳିଥିବା ୫ହଜାର ଟଙ୍କା ଏବଂ ଏନ୍ଆରଟିସ୍‌ ଓ ପ୍ରେରଣା ପ୍ରମୁଖ ସ୍କଲାରସିପ୍ ଆଦି ବାବଦକୁ ମିଳିଥିବା ମୋଟ ୪୦ ହଜାର ଟଙ୍କା ଭାଇର ଚିକିତ୍ସାରେ ଖର୍ଚ୍ଚ କରିସାରିଛନ୍ତି। ବର୍ତ୍ତମାନ ଟ୍ୟୁସନ୍ କରି ପରିବାର ପ୍ରତିପୋଷଣ କରୁଛନ୍ତି।

କିଛିବର୍ଷ ହେଲା ରବୀନ୍ଦ୍ର ଭାଇ ସଞ୍ଜୟଙ୍କୁ ବ୍ରହ୍ମପୁରର ଏକ ଘରୋଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଉଥିଲେ। ହେଲେ ସେଠାରେ ସୁସ୍ଥ ହୋଇ ନପାରିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ୍ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ଅର୍ଥାଭାବ ଯୋଗୁଁ ସଞ୍ଜୟକୁ ଉନ୍ନତମାନର ଚିକିତ୍ସା ମିଳିପାରୁନି। ସେ ବର୍ତ୍ତମାନ ସାମନ୍ତିଆପଲ୍ଲୀ ମହନ୍ତ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛି। ବିଦ୍ୟାଳୟ କିଛି ଶିକ୍ଷକ ସଞ୍ଜୟଙ୍କୁ ସୁସ୍ଥ କରିବା ଲାଗି ଯଥାସମ୍ଭବ ସହଯୋଗ କରିଛନ୍ତି। ହେଲେ ସରକାରୀ ସହାୟତା ମିଳିଲେ ଭାଇର ଚିକିତ୍ସା ପାଇଁ ଉଦ୍ୟମ ଆରମ୍ଭ କରିଥାନ୍ତି ବୋଲି ରବୀନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.