ଖୋର୍ଦ୍ଧା: ଏକ ଅପହରଣ ଓ ଦାଦାବଟି ଆଦାୟ କରିବା ମାମଲାରେ ସମ୍ପୃକ୍ତ ଥିବା ଗ୍ୟାଙ୍ଗର ମୁଖିଆ ସୁନୀଲ ଓରଫ ସୂର୍ଯ୍ୟ ହାତଖଣ୍ଡି(ବୋମାଭିଡ଼ିବା ସମୟରେ ବିସ୍ଫୋରଣରେ ହାତ ନଷ୍ଟ ହୋଇଯାଇଥିବାରୁ ‘ସୂର୍ଯ୍ୟ ହାତଖଣ୍ଡି’ ଭାବେ ପରିଚିତ ଥିଲା) ସମେତ ୪ ଜଣ ଗିରଫ ହେବା ପରେ ଖୋର୍ଦ୍ଧା ଜିଲ୍ଲାରେ ସୃଷ୍ଟି ହୋଇଥିବା ନୂତନ ଅପରାଧିକ ସାମ୍ରାଜ୍ୟର ଅନେକ ରହସ୍ୟ ପଦାରେ ପଡ଼ିଛି । ହାଇଦର ଓ ଟିଟୋ ଭଳି ଖୋର୍ଦ୍ଧାରେ ମାଫିଆ ଗ୍ୟାଙ୍ଗ୍ ସୃଷ୍ଟି କରି ସମସ୍ତ ବେଆଇନ ଖଣି ଓ ଡ୍ରଗ୍ସ କାରବାରକୁ ହାତେଇବାକୁ ଚେଷ୍ଟା କରୁଥିବା ପଚରାଉଚରାରେ ପରେ ଜଣାପଡିଛି।
ଚଳିତ ବର୍ଷ ଦାଦାବଟି, ଧମକ ଦେବା ଓ ଘରେ ପଶି ଭଙ୍ଗାରୁଜା କରିବା ମାମଲାରେ ଖୋର୍ଦ୍ଧା ଦେଉଳଟାଙ୍ଗୀର ସୁନୀଲ ପ୍ରଧାନ ଓରଫ ସୂର୍ଯ୍ୟ ହାତଖଣ୍ଡି ଗିରଫ ହୋଇ ଜେଲ୍ ଯାଇଥିଲା । ସେଠାରେ ୪ ମାସ ରହିବା ପରେ ଜାମିନରେ ମୁକୁଳି ବାହାରକୁ ଆସି ପୁଣି ଦାଦାବଟି ପାଇଁ ଏକ ରିଏଲ୍ଇଷ୍ଟେଟ୍ କମ୍ପାନିର ପରିଚାଳକକୁ ଅପହରଣ କରିଥିଲା । ଏହି ଘଟଣା ପୁଲିସ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ଥିଲା । ଏସ୍ପି ରାଜକିଶୋର ଦୋରା ଖୋର୍ଦ୍ଧା ଗ୍ରାମାଂଚଳ ପୁଲିସ, ଜିଲ୍ଲାରେ ପ୍ରଥମ ଥର ପାଇଁ ଘଟିଥିବାରୁ ଏହାକୁ ଗୁରୁତର ସହ ନେଇଥିଲେ । ଅପହରଣର ୨୪ ଘଂଟା ମଧ୍ୟରେ ଅପହୃତ ପରିଚାଳକ ଜଟଣୀ ହରିରାଜପୁର ଜଙ୍ଗଲରୁ ଉଦ୍ଧାର ହୋଇଥିଲେ । ଚଢ଼ଉରେ ଗ୍ୟାଙ୍ଗର ୩ ସଦସ୍ୟ ଧରାପଡ଼ିଥିଲେ ମଧ୍ୟ ଗ୍ୟାଙ୍ଗର ମୁଖିଆ ସୂର୍ଯ୍ୟ ହାତଖଣ୍ଡି ଫେରାର୍ ହୋଇଯାଇଥିଲା ।
ସୂର୍ଯ୍ୟ ହାତଖଣ୍ଡି ସହ ଫେରାର୍ ଥିବା ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ଧରିବାକୁ ଏକ ବ୍ଲୁପ୍ରିଂଟ୍ ପ୍ରସ୍ତୁତ କରିଥିଲେ । ସ୍ୱତନ୍ତ୍ର ଭାବେ ଗଠିତ ଗୁଇନ୍ଦା ଟିମ୍ ଏସ୍ପିଙ୍କ ଅଧୀନରେ ପରିଚାଳିତ ହୋଇଥିବା ବେଳେ ଏସ୍ଡିପିଓ ସୁଶୀଲ ମିଶ୍ର, ଜଙ୍କିଆ, ଜଟଣୀ, ସଦର, ଟାଉନ୍ ଆଦି ଥାନାର ଅଧିକାରୀଙ୍କୁ ନେଇ ଅନ୍ୟ ଏକ ଟିମ୍ ସୂର୍ଯ୍ୟ ହାତଖଣ୍ଡିର ଅପରାଧିକ ଇତିହାସ ଓ ନେଟୱାର୍କକୁ ନେଇ ତଦନ୍ତ ଆରମ୍ଭ କରିଥିଲେ ।
ଏସ୍ପି ଶ୍ରୀ ଦୋରା ଏନେଇ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ମାମଲା ଥିବାରୁ ଏହାକୁ ସେ ଅଧିକ ଗୁରୁତର ସହ ନେଇଥିଲେ । ସ୍ୱତନ୍ତ୍ର ଗୁଇନ୍ଦା ଟିମ୍ ସୂର୍ଯ୍ୟର ଅତୀତ ଅପରାଧକୁ ନେଇ ବିଭିନ୍ନ ସ୍ଥାନରେ ଛାପା ମାରିଥିଲା । ଶେଷରେ ତାକୁ ଖୋର୍ଦ୍ଧା ଉପଖଣ୍ଡ ସରଦାପୁରରୁ ଗିରଫ କରାଯାଇଥିଲା । ଖୋର୍ଦ୍ଧା ଗ୍ରାମାଂଚଳରେ ୨ ବର୍ଷ ବ୍ୟବଧାନ ପରେ ଗତ ୬ ବର୍ଷ ଧରି ବିଭିନ୍ନ ଥାନାରେ ପ୍ରାୟ ୩୦ଟି ଜଘନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ସୂର୍ଯ୍ୟ ହାତଖଣ୍ଡିର ଗିରଫଦାରି ପୁଲିସ ପାଇଁ ଏକ ବଡ଼ ସଫଳତା ।
ସୂଚନା ମୁତାବକ, ସୂର୍ଯ୍ୟ ହାତଖଣ୍ଡି ୧୭-୧୮ ବର୍ଷ ବୟସରୁ ଅପରାଧିକ ଜଗତରେ ପାଦ ଥାପିଥିଲା । ପ୍ରଥମେ ପ୍ରଥମେ ବେଆଇନ ଖଣିରେ ଭଡ଼ାଟିଆ ଗୁଣ୍ଡା ଭାବେ କାମ କରୁଥିଲା । ସେ ଅଳ୍ପ ବୟସରୁ ହିଁ ବୋମା ଭିଡ଼ିବା କଳାରେ କୁଶଳତା ହାସଲ କରିଥିଲା । ୩-୪ବର୍ଷ ପୂର୍ବେ ବୋମା ଭିଡ଼ିବା ବେଳେ ତା’ର ବାମ ହାତର ପାପୁଲି ଉଡ଼ିଯାଇଥିଲା । ଏହାପର ଠାରୁ ତାକୁ ଅପରାଧିକ ଜଗତରେ ସୂର୍ଯ୍ୟ ହାତଖଣ୍ଡି ନାମରେ ପରିଚିତ ହୋଇଯାଇଥିଲା । ତେବେ ଖୋର୍ଦ୍ଧା ଗ୍ରାମାଂଚଳ ଜିଲ୍ଲାର ସଦର, ଜଙ୍କିଆ ଓ ଟାଉନ୍ ଥାନାରେ ୨୦ରୁ ଉଦ୍ଧ୍ୱର୍ ମାମଲା ଥିବା ବେଳେ ଜଟଣୀ, ବୋଲଗଡ଼, ବେଗୁନିଆ, ବାଘମାରୀ ଥାନାରେ ଅନ୍ୟ ମାମଲାଗୁଡ଼ିକ ଉପରେ ଅନୁସନ୍ଧାନ ଚାଲିଥିବା ଜଣାଯାଇଛି । ତେବେ ସୂର୍ଯ୍ୟ ହାତଖଣ୍ଡି ଜଙ୍କିଆ ଓ ସଦର ଥାନାରେ ସର୍ବାଧିକ ସକ୍ରିୟ ଥିଲା । ସେ ଏହି ଅଂଚଳରେ ଥିବା ବେଆଇନ ଖଣିଗୁଡ଼ିକରୁ ବଟି ଆଦାୟ କରିବା ସହ ବେଆଇନ ଚାଲାଣ ହେଉଥିବା ଟ୍ରକ୍ ଆଦିକୁ ସୁରକ୍ଷା ଦେବା ପାଇଁ ଦାୟିତ୍ୱ ନେଇଥିଲା । ସଦର ଥାନାରେ ୨୦୧୫ରେ ୨ଟି, ୨୦୧୬ରେ ୪ଟି, ୨୦୧୭ରେ ୩ଟି ଓ ୨୦୧୮ରେ ୩ଟି ୨୦୨୦ରେ ୩ଟି ଓ ଜଙ୍କିଆ ଥାନାରେ ୨ଟି ମାମଲା ରହିଛି । ଏଥିରେ ହତ୍ୟା ଉଦ୍ୟମ, ଦାଦା ବଟି, ବେଆଇନ ବନ୍ଧୁକ ରଖିବା, ବୋମା ମାଡ଼ କରିବା ଆଦି ମାମଲା ରହିଛି ।