ଜଣେ ଉଜାଡ଼ି ଥିଲା, ଆଉ ଜଣେ ସଜାଡ଼ି ଦେଲା

ଏସିଡ୍‌ ପୀଡ଼ିତା ଜାଣି ବି ପ୍ରେମ ବିବାହ କରିଥିଲେ ସରୋଜ, ‘ମୋ‌ତେ ନୂଆ ଜୀବନ ‌ଦେଇଥିବା ଦେବତା ସେ’

ଭୁବନେଶ୍ବର, (‌‌ସୋମନାଥ ପରିଡ଼ା) : ହାଲୋ ରାନୀ…। ଦେହ କେମିତି ଲାଗୁଛି। ହଁ… ଭଲ ଲାଗୁଛି ବାବା। ‌ତମେ ? ମୋ କଥା ଛାଡ଼, ମୁଁ ଭଲ ଅଛି। ଆଜି ମୁଁ ତୁମକୁ କିଛି କହିବାକୁ ଚାହୁଁଛି। ମୁଁ ଜାଣିନି ତୁମକୁ କେମିତି ଲାଗିବ? ‌ହେଲେ ଆମ ଦୁଇଜଣଙ୍କ ଅଣ୍ଡରଷ୍ଟାଣ୍ଡିଂ ଏକା। ଦୁହେଁ ଦୁହିଁଙ୍କୁ ଭଲ ଭାବେ ଜାଣିଛେ, ବୁଝିଛେ, ଚିହ୍ନିଛେ। ସୁଖ ଦୁଃଖ ବାଣ୍ଟୁଛେ…। ସାରା ଜୀବନ ମୁଁ ଏମିତି ରହିବାକୁ ଚାହୁଛି। ମୋ କହିବା କଥା ହେଲା, ମୁଁ ତୁମକୁ ଜୀବନ ସାଥୀ କରିବାକୁ ଚାହୁଛି ରାନୀ। ସରୋଜ ସାହୁ ଓରଫ୍‌ ବାବାଙ୍କ ଏ ପ୍ରେମ ନିବେଦନ ଓ ବିବାହ ପାଇଁ ପ୍ରସ୍ତାବ ସେତେବେଳେ ମେଡିକାଲ ବେଡ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳଙ୍କୁ ସ୍ତବ୍ଧ କରିଦେଇଥିଲା। ଏହା ସତ ନା ସ୍ବପ୍ନ, କିଛି ସମୟ ପର୍ଯ୍ୟନ୍ତ ଜାଣି ପାରିଲେନି। କିଛି ସମୟର ନିରବ ରହିବା ପରେ ଭାବଗମ୍ଭୀର ସ୍ବରରେ ରାନୀ କହିଲେ, ନାଇଁ ନାଇଁ ବାବା… ତମେ ଏଭଳି କୁହନି। ତମେ ମୋ ପାଇଁ ବହୁତ କରିଛ। ମୋ ଯତ୍ନ ନେଇଛ। ମୋ ପାଖେପାଖେ ରହି ଧୈର୍ଯ୍ୟ, ସାହାସ ଦେଇଛ। ତମେ ନଥିଲେ ହୁଏତ ମୁଁ ନଥା’ନ୍ତି। କିନ୍ତୁ ମୁଁ ଏତେ ସ୍ବାର୍ଥପର ହୋଇପାରିବିନି। ଜାଣି ଜାଣି ମୁଁ ସାରା ଜୀବନ ତୁମ ଉପରେ ବୋଝ ହୋଇପାରିବିନି। ଏବେ ମୁଁ ଅନ୍ଧ, ୮୦ ଭାଗ ଶରୀର ଜଳି ଯାଇଛି। କଥା ବି ଭଲ ଭାବେ କହି ପାରୁନି। ମୋ ଜୀବନ ନର୍କଯନ୍ତ୍ରଣାଠାରୁ କିଛି କମ୍‌ ନୁହେଁ। ମୋ ଭଳି ଅସୁନ୍ଦର ଝିଅକୁ କାହିଁକି ତୁମେ ଜୀବନସାଥୀ କରିବ? କିନ୍ତୁ ସରୋଜ ନଛୋଡ୍‌ବନ୍ଧା ଥିଲେ। ଶେଷରେ ସରୋଜଙ୍କ ଜିଦ୍‌ ଆଗରେ ପ୍ର‌ମୋଦିନୀ ହାର୍‌ ମାନିଲେ। ସର୍ତ୍ତ ରଖି କହିଲେ ଯେ ସର୍ଜରି ପରେ ଯଦି ମୋ ଦୃଷ୍ଟିଶକ୍ତି ଫେରିଆସେ ଓ ନିଜ କାମ କରିବାକୁ ସେ ସମର୍ଥ ହୁଏ, ତେବେ ଚିନ୍ତା କରି ନିଷ୍ପତ୍ତି ନେବି। ସେ ଦିନ ଦୁହିଁଙ୍କ ଭିତରେ ବାର୍ତ୍ତାଳାପ ଏତିକିରେ ସରିଥିଲା। ଏ କେଉଁ କାହାଣୀ ବା ଚଳଚ୍ଚିତ୍ରର ସଂଳାପ ନୁହେଁ। ବହୁଚର୍ଚ୍ଚିତ ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ଓ ତାଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଥିବା ସରୋଜଙ୍କ ନିଆରା ପ୍ରେମ କାହାଣୀ। ଆଜି ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ଦୁହେଁ ପରସ୍ପର ପ୍ରତି ଥିବା ଅସରନ୍ତି ଭଲ ପାଇବା, ସ୍ନେହ, ପ୍ରେମ ଓ ତ୍ୟାଗର ଅନୁଭୂତି ‘ସମ୍ବାଦ’ ସହ ବାଣ୍ଟିଛନ୍ତି।

୨୦୦୯ ମସିହା ଘଟଣା। ସେତେବେଳେ ପ୍ରମୋଦିନୀ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ। କଲେଜ ଯିବା ସମୟରେ ଅର୍ଦ୍ଧସାମରିକ ବାହିନୀର ଯବାନ ସନ୍ତୋଷ କୁମାର ବେଦାନ୍ତ ତାଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ନୃଶଂସ ପାଲଟି ଯାଇଥିଲା। ସେହି ବର୍ଷ ଏପ୍ରିଲ ୧୮ରେ ପ୍ରମୋଦିନୀ ଘରକୁ ଫେରୁଥିବା ବେଳେ ସନ୍ତୋଷ ଓ ତା’ ସହଯୋଗୀ ଅନିଲ ଦଳସିଂରାୟ ତାଙ୍କ ଉପରକୁ ଏସିଡ୍ ଫୋପାଡ଼ିଥିଲେ। ଏହି ଘଟଣା ପରେ ପ୍ରମୋଦିନୀଙ୍କ ଦୁନିଆ ବଦଳି ଯାଇଥିଲା। ପୋଡ଼ା ଘା’ର ଯନ୍ତ୍ରଣା ଓ ବିକୃତ ଚେହେରା ତାଙ୍କୁ ଭିତରୁ ଭିତରୁ ଖାଇ ଯାଉଥିଲା। ଈଶ୍ବରଙ୍କ ଆଶୀର୍ବାଦରୁ ଜୀବନ ସିନା ବଞ୍ଚିଗଲା, ହେଲେ ତାହା ମୃତ୍ୟୁଠାରୁ ବି ଅଧିକ ଭୟଙ୍କର ଓ କଷ୍ଟଦାୟକ ଥିଲା। ସେତେବେଳେ ତାଙ୍କ ଆଖିକୁ କିଛି ଦେଖାଯାଉନଥିଲା। ତାଙ୍କର ବହୁବାର ସର୍ଜରି କରାଯାଇଥିଲା ଓ ଏଥିପାଇଁ ତାଙ୍କୁ ବାରମ୍ବାର ହସ୍ପିଟାଲକୁ ଦୌଡ଼ିବାକୁ ପଡ଼ୁଥିଲା। ତେବେ ଦୀର୍ଘ ୫ ବର୍ଷ ଧରି ଏମିତି ଯନ୍ତ୍ରଣାରେ ଛଟପଟ ହେବା ପରେ ୨୦୧୪ ମସିହାରେ ତାଙ୍କ ଜୀବନର ମୋଡ଼ ବଦଳିଥିଲା। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ସରୋଜ ତାଙ୍କୁ ଦେଖିଥିଲେ। ସରୋଜ କଟକ ମଙ୍ଗଳବାଗ୍‌ରେ ରୁହନ୍ତି। ମଧ୍ୟବିତ୍ତ ପରିବାର। ବାପା କରୁଣାକର ସାହୁଙ୍କର ଏକ ଛୋଟ ଦୋକାନ ରହିଛି। ମା’ ସଂଯୁକ୍ତା ସାହୁ ଗୃହିଣୀ। ଦଶମ ପରେ ସେ ପରିବାରକୁ ସହ‌ଯୋଗ କରିବାକୁ ପାର୍ଟଟାଇମ୍‌ କାମ କରୁଥିଲେ। ପରିବାରର ଅଭାବ ଅନଟନ ସରୋଜଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚିତ କରିଥିଲା। ଗ୍ରାଜୁଏସନ ପରେ ଏକ ଘରୋଇ କମ୍ପାନିରେ ଚାକିରି କରି ପରିବାର ଚଳାଉଥା’ନ୍ତି। ପ୍ରମୋଦିନୀଙ୍କୁ ଦୟନୀୟ ଅବସ୍ଥାରେ ଦେଖିବା ପରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ ସରୋଜ। ରାତିରେ ଶୋଇ ପାରିନଥିଲେ। ପୁଣି ପରଦିନ ତାଙ୍କୁ ଦେଖିବାକୁ ଯାଇଥିଲେ। ଏମିତି ଦିନ ପରେ ଦିନ ଗଡ଼ି ଚାଲିଲା। ଧୀରେଧୀରେ ସେ ସମ୍ପୂର୍ଣ୍ଣ ଭାବେ ପ୍ରମୋଦିନୀଙ୍କ ଦାୟିତ୍ବ ନେଲେ। ତାଙ୍କ ଚିକିତ୍ସାରୁ ଆରମ୍ଭ କରି ବ୍ୟକ୍ତିଗତ ସମସ୍ତ ଭାର ନିଜ କାନ୍ଧକୁ ନେଇଥିଲେ ସରୋଜ।

ପ୍ରମୋଦିନୀଙ୍କ ଦୁଃଖ ଦୂର କରିବାକୁ ସରୋଜ ତାଙ୍କୁ ଅଧିକରୁ ଅଧିକ ସମୟ ଦେଲେ। ଏମିତିକି ଚାକିରି ଛାଡ଼ି ଦେଲେ। ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଥିବା ବନ୍ଧୁତା କେତେବେଳେ ପ୍ରେମରେ ବଦଳିଗଲା, ଜାଣି ପାରିନଥିଲେ। ଦୃଢ଼ମନା ସରୋଜ ସବୁ ଅପବାଦ, ନିନ୍ଦା, ବିରୋଧକୁ ପାଦରେ ଆଡ଼େଇ ୨୦୨୧ ମସିହାରେ ପ୍ରମୋଦିନୀଙ୍କୁ ବିବାହ କରି ସମାଜ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ୨୦୧୭ ମସିହାରେ ତତ୍‌କାଳୀନ ଜଗତ୍‌ସିଂହପୁର ଏସ୍‌ପି ଜୟନାରାୟଣ ପଙ୍କଜଙ୍କ ନିର୍ଦ୍ଦେଶକ୍ରମେ ପୁଣି ପ୍ରମୋଦିନୀଙ୍କ କେସ୍‌ ରି-ଓପନ୍‌ ହେଲା। ସେହିବର୍ଷ ଦୁଇ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଗତକାଲି ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଜୋରଗାଡ଼ିଆ ଅଞ୍ଚଳର ସନ୍ତୋଷ କୁମାର ବେଦାନ୍ତ ଓ ସହଯୋଗୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଚମ୍ପାଗଡ଼ ଅଞ୍ଚଳର ଅନିଲ ଦଳସିଂରାୟକୁ ଦୋଷୀ ସାବ୍ୟସ୍ତ କରାଯିବା ସହିତ ୧୪ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଜିଲ୍ଲା ଦୌରାଜଜ୍ (ମହିଳା କୋର୍ଟ)।

ସରୋଜ କୁହନ୍ତି, ସେତେବେଳେ ପ୍ରମୋଦିନୀଙ୍କ ଯନ୍ତ୍ରଣାକୁ ନିଜର କରିବାରେ ମୋତେ ଆନନ୍ଦ ମିଳୁଥିଲା। ସାରା ଜୀବନ ତାଙ୍କୁ ଖୁସିରେ ରଖିବାକୁ ସବୁ କିଛି କରିବାକୁ ମୁଁ ପ୍ରସ୍ତୁତ। ପ୍ରମୋଦିନୀ କହିଛନ୍ତି, ଏ ସମାଜରେ ଜଣେ ପୁରୁଷ ମୋତେ ଏସିଡ୍‌ ଫିଙ୍ଗି ନର୍କ ଯନ୍ତ୍ରଣା ଦେଲା। ଆଉ ଜଣେ ଦେବତା ସାଜି ସେ ଯନ୍ତ୍ରଣାରୁ ମୁକ୍ତି ଦେଲେ। ସେ ମୋତେ ନୂଆ ଜୀବନ ଦେଇଛନ୍ତି। ସେ ନଥି‌ଲେ ହୁଏତ ମୁଁ ଆଜି ସମୟ‌ ସ୍ରୋତରେ କେଉଁଠି ହଜି ଯାଇଥା’ନ୍ତି। ସେ ମୋ ପାଇଁ ଦେବତା। ଏହା କହିବା ବେଳେ ପ୍ରମୋଦିନୀଙ୍କ ସ୍ବର କ୍ଷୀଣ ହୋଇଯାଇଥିଲା। ଛଳଛଳ ଆଖିରୁ ଦୁଇ ବୁନ୍ଦା ଆନନ୍ଦାଶ୍ରୁ ନିଗିଡ଼ି ପଡ଼ିଥିଲା।

ସମ୍ବନ୍ଧିତ ଖବର