ଦିବ୍ୟାଙ୍ଗ ମହିଳା କ୍ରିକେଟ୍‌ ଖେଳାଳି ପୂଜା ବାଙ୍କ୍ରାଙ୍କ ସଂଘର୍ଷ କାହାଣୀ: ଦିବ୍ୟାଙ୍ଗ ଅମ୍ପାୟାର ଲକ୍ଷ୍ୟପଥରେ ପୂଜା

ରାଉରକେଲା : ଭାଗ୍ୟର ସମ୍ବେଦନାହୀନ ଅମ୍ପାୟାରିଂ ତାଙ୍କ ବିରୋଧରେ ଯାଇଥିଲା। ହେଲେ ସେ ଏବେ ନିଜେ ସତସତିକା ଅମ୍ପାୟାର ହେବାକୁ ଯାଉଛନ୍ତି। ଏହିଭଳି ଏକ ଅଭିଳାଷ ପୋଷଣ କରିଥିବା ଯୁବତୀ ହେଉଛନ୍ତି କୁତ୍ରା ବ୍ଲକ କଟଙ୍ଗ ଗ୍ରାମର ପୂଜା ବାଙ୍କ୍ରା।

ପୂଜା ଜନ୍ମରୁ ଶାରୀରିକଭାବେ ବେଶ୍‌ ସୁସ୍ଥ ଓ ସବଳ ଥିଲେ। ତେବେ ଦୁର୍ଘଟଣାର ଶିକାର ହେବାରୁ ଦିବ୍ୟାଙ୍ଗ ପାଲଟିଗଲେ। ଅର୍ଥାଭାବ ଯୋଗୁଁ ଅପରେସନ ବି କରିବାକୁ ବି ସକ୍ଷମ ହୋଇନଥିଲେ। ତେବେ ଜୀବନବ୍ୟାପୀ ଦିବ୍ୟାଙ୍ଗ ହୋଇ ଘରେ ବସିରହିବା ଅପେକ୍ଷା ନିଜ ଗୋଡ଼ରେ ଛିଡ଼ା ହେବାକୁ ପ୍ରୟାସ କରିଥିଲେ। ପ୍ରଥ‌େମ ଦିବ୍ୟାଙ୍ଗ କ୍ରିକେଟ୍‌ ଖେଳି ସଫଳ ହେଲେ। ଏବେ ଅମ୍ପାୟାରିଂ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି।

୨୦୧୬ ମସିହାରେ ସେ ପ୍ରଥମେ ରାଉରକେଲାର ଏକ ଇନ୍‌ଷ୍ଟିଚ୍ୟୁଟ୍‌ରେ କମ୍ପ୍ୟୁଟର୍‌ ଶିକ୍ଷା ପାଇଁ ନାଁ ଲେଖାଇଥିଲେ। ଏହି ସମୟରେ ରାଉରକେଲାସ୍ଥିତ ଉମଙ୍ଗ ଭାରତ ଦିବ୍ୟାଙ୍ଗ ଆସୋସିଏସନ୍‌ ସଂସ୍ପର୍ଶରେ ଆସି କ୍ରିକେଟ୍‌ ଖେଳ ପ୍ରତି ଆକର୍ଷିତ ହୋଇଥିଲେ। ସେବେଠାରୁ ଏହି ସଂଗଠନ ପକ୍ଷରୁ ଜିଲ୍ଲା, ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହିଳା କ୍ରିକେଟ୍‌ରେ ପ୍ରତିନିଧିତ୍ବ କରିଥିଲେ। ଜଣେ ଅଲରାଉଣ୍ଡର୍‌ ଭାବେ ଏକାଧିକ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। ଭବି‌ଷ୍ୟତ ସୁରକ୍ଷିତ ରଖିବାକୁ ଏବେ ଅମ୍ପାୟାରିଂ ପ୍ରତି ମନ ବୋଳାଇଛନ୍ତି ପୂଜା। ଗତ ନଭେମ୍ବର ମାସରେ ଦିବ୍ୟାଙ୍ଗ୍‌ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ‌୍ ଅଫ୍‌ ଇଣ୍ଡିଆ(ଡିସିସିଆଇ) ପକ୍ଷରୁ ଗୁଜୁରାଟର ବଦୋଦରାରେ ଅନୁଷ୍ଠିତ ଅମ୍ପାୟାରିଂ ଟ୍ରେନିଂ ଶିବିରରେ ସାମିଲ ହୋଇଥିଲେ। ସପ୍ତାହବ୍ୟାପୀ ପ୍ରଶିକ୍ଷଣ ନେବାପରେ ଅନୁଷ୍ଠିତ ଲେଭଲ-୧ ପରୀକ୍ଷାରେ ୯୪ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ। ଖୁବ୍‌ଶୀଘ୍ର ଲେଭଲ-୨ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ସଫଳ ହୋଇ ଜଣେ ପ୍ରଶିକ୍ଷିତ ଦିବ୍ୟାଙ୍ଗ ଅମ୍ପାୟାର ହେବାକୁ ଲକ୍ଷ୍ୟ ରଖିଛନ୍ତି।

ପ୍ରତିକ୍ରିୟାରେ ପୂଜା କହନ୍ତି, ‘ଦିବ୍ୟାଙ୍ଗମାନେ ନିଜକୁ କୌଣସି ଗୁଣରେ କମ୍‌ ମଣିବା ଅନୁଚିତ। ଆମେ ମଧ୍ୟ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିବୁ’

ସମ୍ବନ୍ଧିତ ଖବର