ରାଉରକେଲା : ସଫଳତାକୁ ଅଟକାଇ ପାରିନି ଶାରିରୀକ ଅକ୍ଷମତା। ଅକ୍ଷମ ହୋଇ ବି ଏମାନେ ସକ୍ଷମ। ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ହୋଇଛନ୍ତି ସ୍ୱାବଲମ୍ବୀ। ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସରେ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ସହରର ସେମିତି ଦୁଇଜଣ ଦିବ୍ୟାଙ୍ଗ ହେଲେ ସିଭିଲଟାଉନସିପ୍ ମାନଟୋଲା ବସ୍ତି (୨)ର ଦୀପକ କୁମାର ରାୟ ଓରଫ ଦୀପୁ। ଅନ୍ୟ ଜଣେ ସେକ୍ଟର-୧୮ ‘ବି’ ବ୍ଲକ ବସ୍ତିର ବିଜୟ ତାଣ୍ଡି ଓରଫ ବୁଲୁ। ବୁଲୁଙ୍କର ବାମ ହାତ ନାହିଁ। ସେହିପରି ଦୁଇ ଗୋଡ଼ ହରାଇଛନ୍ତି ଦୀପୁ। ଦୃଢ଼ ଇଚ୍ଛାଶକ୍ତି ଓ କିଛି କରିବାର ଆଶା ଦୁହିଁଙ୍କୁ କରି ପାରିଛି ସକ୍ଷମ। ଦୀପୁ ବସ୍ତିରେ ଛୋଟିଆ ରାସନ ଦୋକାନ କରି ନିଜେ ଚଳିବା ସହ ମା’ଙ୍କୁ ପ୍ରତିପୋଷଣ କରୁଛନ୍ତି। ବୁଲୁ କୃତିମ ହାତ ଲଗାଇ ସେକ୍ଟର-୧୯ ମୁଣ୍ଡା ମାର୍କେଟ (ଇସ୍ପାତ ହାଟ) ନିକଟରେ ସିଝା ଚଣା ଦୋକାନ କରି ବେଶ୍ ଦି’ ପଇସା ରୋଜଗାର କରୁଛନ୍ତି। ଏଥିସହ ଅନ୍ୟ ତିନି ଜଣଙ୍କୁ ନିଜ ଦୋକାନରେ ରୋଜଗାର ଦେଇଛନ୍ତି। ଦୁହିଁଙ୍କ ଜୀବନ କାହାଣୀ ଥିଲା ବେଶ୍ ହୃଦୟସ୍ପର୍ଶୀ।
ମାନଟୋଲା ବସ୍ତି(୨)ର ଦୀପକ କୁମାର ରାୟ ଓ ତାଙ୍କ ମା’ ଅନୀମା ରହନ୍ତି। ୧୮ ବର୍ଷ ବୟସ ଅର୍ଥାତ୍ ୨୦୦୪ରେ କାମ କରିବାକୁ ରାଉରକେଲାରୁ ତିରୁପତି ଏକ୍ସପ୍ରେସ୍ରେ ଚେନ୍ନାଇ ଯାଉଥିଲେ। ଆନ୍ଧ୍ରପ୍ରଦେଶ ଷ୍ଟେସନରେ ଟ୍ରେନ୍ ରହିଥିଲା। ଶୋଷ ଲାଗିବାରୁ ଟ୍ରେନ୍ରୁ ଓହ୍ଲାଇ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଟ୍ରେନ୍ ଛାଡି ଦେଇଥିଲା। ତରବରିଆ ଭାବେ ଟ୍ରେନ୍ ଚଢ଼ୁଥିବାବେଳେ ଗୋଡ଼ ଖସିଯିବାରୁ ରେଳଧାରଣାରେ ପଡିଯାଇଥିଲେ। ଟ୍ରେନ୍ ଚଢ଼ିଯିବାରୁ ଦୁଇଟି ଗୋଡ଼ କଟିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଆର୍ପିଏଫ୍ ଓ ଅନ୍ୟ ଯାତ୍ରୀମାନେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ୮ମାସର ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ହେଁ ସବୁଦିନ ପାଇଁ ପଙ୍ଗୁ ହୋଇଯାଇଥିଲେ। ନଷ୍ଟ ହୋଇଯାଇଥିଲା ତାଙ୍କ୍ ଭବିଷ୍ୟତର ସ୍ବପ୍ନ। ଫେରି ଆସିଥିଲେ ନିଜ ଘର ରାଉରକେଲାକୁ। ମା’ ଓ ନିଜ ପେଟକୁ ଦାନା ଯୋଗାଡ କରିବାକୁ ଭାବି ଭାବି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଛୋଟିଆ ଦୋକାନ କରିବାକୁ ମନ ବଳାଇଥିଲେ। କିନ୍ତୁ ପାଖରେ ନଥିଲା ସମ୍ବଳ। ବସ୍ତିର ସାଙ୍ଗସାଥୀଙ୍କ ଠାରୁ ୧୫ ହଜାର ଟଙ୍କା ଉଧାରି ଆଣି ଦୋକାନଟିଏ ଆରମ୍ଭ କରିଥିଲେ। ସେଥିରୁ ଯେତିକି ଲାଭ ମିଳୁଥିବା ମା’ ପୁଅ ଦୁହେଁ ଚଳୁଥିଲେ। କିଛି କିଛି ଟଙ୍କା ସାଇତି ରଖି ୫ ବର୍ଷ ପରେ ଛୋଟିଆ ରାସନ ଦୋକାନଟି ଆରମ୍ଭ କଲେ। ଏବେ ଦିନକୁ ୧୦୦୦ରୁ ୧୫୦୦ ଟଙ୍କା ବେପାର କରୁଛନ୍ତି। ଉଭୟ ମା’ ଓ ପୁଅ ଦୁହେଁ ଖୁସିରେ ଚଳୁଛନ୍ତି। ବସ୍ତିରେ ଥିବା ଝୁମ୍ପୁଡ଼ି ଘରେ ମା’ ରହୁଥିଲାବେଳେ ସେ ଦୋକାନରେ ଦିନ ରାତି କଟାଉଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କ ଦିବ୍ୟାଙ୍ଗ ଭତ୍ତା ଓ ମାସକୁ ୧୫ କିଲୋ ଚାଉଳ ମିଳୁଛି। ସରକାରଙ୍କ ପକ୍ଷରୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦେବୁ ସରକାରଙ୍କୁ ଗୁହାରି କରିଛନ୍ତି।
ଆଉ ଜଣେ ହେଲେ ବିଜୟ ତାଣ୍ଡି (ବୁଲୁ)। ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ପରିବାର। ବେଶ୍ ହସ୍ଖୁସିରେ ତାଙ୍କର ପରିବାର ଚାଲିଥିଲା। ୨୦୧୫ରେ ତାଙ୍କ ପରିବାର ଉପରେ ମାଡ଼ି ଆସିଥିଲା ଦୁଃଖ। ଅଜଣା ରୋଗରେ ବୁଲୁ ତାଙ୍କର ବାମ ହାତ ସମ୍ପୂର୍ଣ୍ଣ ହରାଇଥିଲେ। ହାତ ଚାଲି ଗଲା ପରେ ପରିବାରର ବୋଝ ଚିନ୍ତା ତାଙ୍କୁ ଘାରିଥିଲା। ଦିନ ରାତି ଆଖିରୁ ଲୁହ ଗଡ଼ାଇ ଚାଇଥିଲେ। ଶେଷରେ କୃତିମ ହାତ ଲଗାଇ ଇସ୍ପାତ ହାଟରେ ସିଝା ଚଣା ଦୋକାନଟିଏ ଆରମ୍ଭ କରିଥିଲେ। ଚଣାର ସ୍ୱାଦ ଯୋଗୁଁ ଦିନକୁ ଦିନକୁ ଲୋକଙ୍କ ଭିଡ଼ ଜମିଲା। ଚାହିଦା ବଢ଼ିବାରୁ ଏକାକୀ ଦୋକାନ ସମ୍ଭାଳି ପାରି ନଥିଲେ। ଅନ୍ୟ ତିନିଜଣଙ୍କୁ ତାଙ୍କ ଦୋକାନରେ ନିଯୁକ୍ତି ଦେଲେ। ଏବେ ଦିନକୁ ପାଖାପାଖି ୩ ହଜାର ଟଙ୍କା ରୋଜଗାର କରୁଛନ୍ତି। ପୁଅ ଓ ଝିଅକୁ ପାଠ ପଢ଼ାଇ ଭଲ ମଣିଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବୁଲୁ କହିଛନ୍ତି, ଦିବ୍ୟାଙ୍ଗ ହୋଇଥିଲେ ହେଁ ମୁଁ କେବେ ନିଜକୁ ଆଜି ପର୍ଯ୍ୟନ୍ତ ଅକ୍ଷମ ବୋଲି ଅନୁଭବ କରି ନାହିଁ। ସାଧାରଣ ଲୋକଙ୍କ ପରି ଜୀବନଯାପନ କରୁଛନ୍ତି। ଆଜିର ଦିନର ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କୁ ମୋର ଏତିକି ଅନୁରୋଧ, କେହି କେବେ ଭାଙ୍ଗି ପଡ଼ନ୍ତୁ ନାହିଁ। ନିଜକୁ ସକ୍ଷମ ଭାବି ଆଗକୁ ବଢ଼ି ଚାଲନ୍ତୁ। ନିଶ୍ଚିତ ସଫଳତା ପାଇବେ, ଏଥିରେ ଦ୍ୱିମତ ନାହିଁ।