ଭୁବନେଶ୍ବର : ଅକ୍ଟୋବର ମାସକୁ ଓଡ଼ିଶାରେ ବାତ୍ୟା ମାସ ବୋଲି କୁହାଯାଇଥାଏ । କାରଣ ଏହି ମାସରେ ହିଁ ଓଡ଼ିଶା ସବୁଠାରୁ ଅଧିକ ବାତ୍ୟାର ସମ୍ମୁଖୀନ ହୋଇଛି । ୧୯୯୯ର ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ, ହୁଡହୁଡ ଓ ତିତିଲି ବାତ୍ୟା ଅକ୍ଟୋବର ମାସରେ ହିଁ ଆସିଥିଲା ।

Advertisment

ଆଜିର ଦିନ ଅର୍ଥାତ ଅକ୍ଟୋବର ୧୨ ତାରିଖରେ ଓଡିଶା ପୂର୍ବରୁ ଦୁଇଟି ବଡ଼ ଧରଣର ବାତ୍ୟାର ସମ୍ମୁଖୀନ ହୋଇଥିଲା । ଠିକ୍ ୮ ବର୍ଷ ପୂର୍ବେ ଅର୍ଥାତ ୨୦୧୩, ଅକ୍ଟୋବର ୧୨ ତାରିଖରେ ଫାଇଲିନ ବାତ୍ୟା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁଥିଲା । ଲାଣ୍ଡଫଲର ଗୋଟିଏ ଦିନ ପୂର୍ବରୁ ସମୁଦ୍ରରେ ଏହା ସର୍ବାଧିକ ଶକ୍ତିଶାଳୀ ହୋଇ ଏକ କ୍ୟାଟେଗୋରି-୫ ସାମୁଦ୍ରିକ ବାତ୍ୟାର ମାନ୍ୟତା ପାଇଥିଲା । କିନ୍ତୁ ଗୋପାଳପୁରଠାରେ ଲାଣ୍ଡଫଲ କରିବା ପୂର୍ବରୁ ଏହା ଟିକିଏ ଦୁର୍ବଳ ହୋଇଯାଇଥିଲା ।  ଏହା ସତ୍ତ୍ବେ ଏହି ବାତ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ବାତ୍ୟା ଦ୍ବାରା ପ୍ରାୟ ୧୨ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ । ପ୍ରଶାସନ ପକ୍ଷରୁ ଓଡ଼ିଶାରେ ପ୍ରାୟ ସାଢେ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ତା’ପର ବର୍ଷ ସମାନ ଦିନରେ ଅର୍ଥାତ୍ ୨୦୧୪ ଅକ୍ଟୋବର ୧୨ରେ ଆଉ ଏକ ବଡ଼ ବାତ୍ୟା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁଥିଲା । ଏହା ଫାଇଲିନ ତୁଳନାରେ ଟିକିଏ କମ ଶକ୍ତିଶାଳୀ ଥିଲା ଓ ଏହା ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟରେ ଲାଣ୍ଡଫଲ କରିଥିଲା । ତେବେ ଏହା ଦ୍ବାରା ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।