ବାରିପଦା: ଆଜି ରାଜ୍ୟସ୍ତରୀୟ ଏକ ଆଇଏଫଏସ ଅଦଳବଦଳରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସଟିଆର), ବାରିପଦା ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କର ରାଜନଗର ଡିଏଫଓ ଭାବେ ବଦଳି ହୋଇଛି। ଶ୍ରୀ ପତିଙ୍କ ସ୍ଥାନରେ କିନ୍ତୁ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ। ତେବେ ଶ୍ରୀ ପତିଙ୍କ ବଦଳିକୁ ଜିଲ୍ଲାର ଅଗ୍ରଣୀ ସଙ୍ଗଠନ ଭଂଜସେନା ସମେତ ବହୁ ବ୍ୟକ୍ତିବିଶେଷ ସ୍ୱାଗତ କରିଛନ୍ତି। ଶ୍ରୀ ପତିଙ୍କ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ବାରିପଦାର ଉପନିର୍ଦେଶକ କାର୍ଯ୍ୟକାଳ ମଧ୍ୟରେ ସେ ବିବାଦୀୟ ହୋଇପଡିଥିଲେ।
ବିଶ୍ଵବିଖ୍ୟାତ ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ହ୍ରାସରୁ ଆରମ୍ଭ କରି ହାତୀ ମୃତ୍ୟୁ, ମାସ ମାସ ଧରି ଜଙ୍ଗଲ ଜଳିବା, ସ୍ଥାନୀୟ ଅଧିବାସୀଙ୍କ ସହିତ ସମ୍ପର୍କ ନରଖିବା ଆଦି ଘଟଣାକୁ ନେଇ ସେ ଜିଲ୍ଲାରେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ।
ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ପଦାକୁ ବାହାରିସାରିଲା ପରେ ଚଳିତ ବର୍ଷ ପ୍ରାରମ୍ଭରୁ ଜଙ୍ଗଲ ବିଭାଗର ବିଭିନ୍ନ ପଦାଧିକାରୀ ଜିଲ୍ଲାବାସୀଙ୍କ ଆକ୍ରୋସର ସାମ୍ନାକୁ ଆସିଥିଲେ।
ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ବେଖିଆଲ ମନୋଭାବ ଏବଂ ଅପାରଗତା ପାଇଁ ଶିମିଳିପାଳର ଗୌରବ ଏବଂ ଗାରିମା ଉପରେ ବାରମ୍ବାର କୁଠାରାଘାତ ସୃଷ୍ଟି ହୋଇଥିଲା। ଯାହାକୁ ହୃଦୟଙ୍ଗମ କରି ଜିଲ୍ଲାର ଏକମାତ୍ର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଂଜସେନା ପକ୍ଷରୁ ଜିଲ୍ଲାବାସୀଙ୍କ ଭାବାବେଗକୁ ପାଥେୟ କରି ଗତ ମାର୍ଚ୍ଚ ୧୦ ତାରିଖ ଦିନ ଶିମିଳିପାଳର ଗୌରବ ଗାରିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ଏବଂ ଶିମିଳିପାଳ ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟାଘ୍ର ସଂରକ୍ଷଣ ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କୁ ବହିଷ୍କାର ଦାବିରେ ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଥିଲା।ବିଳମ୍ବରେ ହେଉ ପଛେ ଆଜି ଏଭଳି ଅପାରଗ ଅଧିକାରୀଙ୍କୁ ରାଜ୍ୟସରକାର ଜିଲ୍ଲାରୁ ବିଦା କରିଥିବାରୁ ଜିଲ୍ଲାବାସୀ ଏବଂ ବହୁ ପରିବେଶପ୍ରେମୀ ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି ଭଂଜସେନା ସଭାପତି ପିଣ୍ଟୁ ମାଇତି।
ରାଜ୍ୟସରକାରଙ୍କ ଏଭଳି ପଦକ୍ଷେପକୁ ଭଂଜସେନା ସ୍ୱାଗତ କରିବା ସହ ସରକାରଙ୍କୁ ଅନୁରୋଧ କରୁଛି ଆଗାମୀ ଦିନରେ ଜଣେ ସୁଦକ୍ଷ ଓ କର୍ମଠ ଅଧିକାରୀଙ୍କୁ ଶିମିଳିପାଳ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରନ୍ତୁ,ଯାହାଦ୍ୱାରା ଜିଲ୍ଲାବାସୀଙ୍କ ପାଖରେ ରାଜ୍ୟ ସରକାର ଆସ୍ଥାଭାଜନ ହେବା ସହ ବିଶ୍ୱାସଭାଜନ ହେଇପାରିବେ ବୋଲି ପିଣ୍ଟୁ ମାଇତି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/STR.jpg)