ରାଜ୍ୟରେ ଅଟକ ଶ୍ରମିକଙ୍କ ପାଇଁ କଟକଣା କୋହଳ : ଚାହିଁଲେ କାର୍ଯ୍ୟରେ ଯୋଗ ଦେଇପାରିବେ

ସାନି ନିର୍ଦ୍ଦେଶନାମା ଜାରି କଲା ରାଜସ୍ବ ବିଭାଗ, ଏପିସିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସମୀକ୍ଷା କରିବ

ଭୁବନେଶ୍ବର : ରାଜ୍ୟ ଭିତରେ ଥିବା ଶ୍ରମିକମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଓଡ଼ିଶା ସରକାର କଟକଣା କୋହଳ କରିଛନ୍ତି। ଆଜି ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏସବୁ ଶ୍ରମିକମାନେ ଯେପରି ସୁସଂଗଠିତ ଭାବେ କାର୍ଯ୍ୟସ୍ଥଳୀରେ ଯୋଗଦେଇ କାର୍ଯ୍ୟ କରିବେ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କୃଷି ଉତ୍ପାଦନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଶ୍ରମିକମାନଙ୍କ ବିଷୟରେ ଦୈନିକ ସମୀକ୍ଷା କରିବ।

ନିର୍ଦ୍ଦେଶ ଅନୁଯାୟୀ, ତାଲାବନ୍ଦ ଯୋଗୁଁ ସାରା ରାଜ୍ୟରେ ୮୬ ହଜାର ଶ୍ରମିକ ଫସି ରହିଛନ୍ତି। ସେମାନଙ୍କ ଭିତରୁ ବିଭିନ୍ନ ଜିଲ୍ଲାରେ ୧୬ ହଜାର କେବଳ ଓଡ଼ିଆ ଶ୍ରମିକ ଅଛନ୍ତି। ସେମାନଙ୍କୁ ୨,୬୧୦ଟି କ୍ୟାମ୍ପ୍‌ରେ ରଖାଯାଇଛି। ଏବେ ସେମାନଙ୍କ ଜୀବିକା ପାଇଁ ସରକାର କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାମ କରିବାକୁ ଇଚ୍ଛା କରୁଥିବା ଶ୍ରମିକମାନେ ଏଣିକି ସାମାଜିକ ଦୂରତା ରକ୍ଷା କରି କାମ କରିପାରିବେ। ଶ୍ରମିକମାନଙ୍କ ଠିକାଦାରୀ ସଂସ୍ଥା, ଶିଳ୍ପ ଓ ଏଜେନ୍‌ସିଗୁଡ଼ିକ ବସ୍‌ରେ କ୍ୟାମ୍ପ୍‌ରୁ ଶ୍ରମିକମାନଙ୍କୁ କାର୍ଯ୍ୟସ୍ଥଳୀକୁ ପରିବହନ କରି ପାରିବେ। ଏଥିପାଇଁ ଶ୍ରମିକମାନଙ୍କ ବିଷୟରେ ସମ୍ପୃକ୍ତ କମ୍ପାନି ବା ଠିକାଦାର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଆବେଦନ କରିବେ। ପରେ ଜିଲ୍ଲାପାଳ ସେମାନଙ୍କ ପରିବହନ ପାଇଁ ବସ୍‌ ପାସ୍‌ ପ୍ରଦାନ କରିବେ। ଆବଶ୍ୟକ ପଡ଼ିଲେ ଶ୍ରମିକମାନଙ୍କ ପାଇଁ ବସ୍‌ ସୁବିଧା ବି ଜିଲ୍ଲାପାଳ କରିବେ। କିନ୍ତୁ ପରିବହନ ବାବଦ ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ଠିକାଦାର ସଂସ୍ଥା ବା ଶିଳ୍ପ ବହନ କରିବ। ଅନ୍ୟପଟେ, କମ୍ପାନି, ଶିଳ୍ପ ବା ଠିକାଦାର ଅଧୀନରେ ନ ଥିବା ଶ୍ରମିକମାନେ କାମ କରିବାକୁ ଇଚ୍ଛା କଲେ, ସେ କ୍ଷେତ୍ରରେ ସମ୍ପୃକ୍ତ ଅଞ୍ଚଳର ବିଡିଓ କିମ୍ବା ଜିଲ୍ଲା ଶ୍ରମ ଅଧିକାରୀ ଜିଲ୍ଲାପାଳଙ୍କୁ ଜଣାଇବେ। ଜିଲ୍ଲାପାଳ ସେହି ଶ୍ରମିକମାନଙ୍କୁ ଗୋଷ୍ଠୀ କରି କାର୍ଯ୍ୟ କରିବା ପାଇଁ ଅନୁମତି ପ୍ରଦାନ କରିପାରିବେ। ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳ ସେମାନଙ୍କ ପରିବହନ ପାଇଁ ବସ୍‌ ଉପଲବ୍ଧ କରିପାରିବେ। ଏହି ପରିବହନ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ।

ଯେହେତୁ ତାଲାବନ୍ଦ ଯୋଗୁଁ ଯାତ୍ରୀ ପରିବହନ ବନ୍ଦ ଅଛି, କେବଳ ଶ୍ରମିକମାନଙ୍କ ପରିବହନ ପାଇଁ ଆବଶ୍ୟକ ବସ୍‌ ଚଳାଚଳ କରିବ। ସେଥିପାଇଁ ସମ୍ପୃକ୍ତ ବସ୍‌ ମାଲିକମାନଙ୍କଠାରୁ ମାସିକିଆ ରୋଡ୍‌ ଟ୍ୟାକ୍ସ୍‌ ନିଆଯିବ ନାହିଁ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବ। ଫସି ରହିଥିବା ଶ୍ରମିକମାନେ ଏହାଭିତରେ ୧୪ ଦିନିଆ ସଙ୍ଗରୋଧ ଅବଧି କାଟି ସାରିଛନ୍ତି। ଏବେ ସେମାନେ ଯେଉଁ ସ୍ଥାନକୁ କାର୍ଯ୍ୟ କରିବାକୁ ଯିବେ ଆଉ ସେଠାକାର ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ ପ୍ରତିନିଧି ସେମାନଙ୍କୁ ସଙ୍ଗରୋଧ କରିପାରିବେ ନାହିଁ। ଏଥିପାଇଁ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ବିଭାଗ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ନୋଡାଲ୍‌ ଅଧିକାରୀ ଭାବେ ଜିଲ୍ଲା ସ୍ତରରେ କାର୍ଯ୍ୟ କରିବେ। ଜିଲ୍ଲା ଶ୍ରମ ଅଧିକାରୀ ଡିଆର୍‌ଡିଏ ପିଡିଙ୍କୁ ରିପୋର୍ଟ କରିବେ। ସର୍ବୋପରି ଜିଲ୍ଲାପାଳ ଏହି ଦୁଇଜଣ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ଶ୍ରମିକମାନଙ୍କ ଗତିବିଧି ଉପରେ ନଜର ରଖିବେ।

ସେହିପରି ରାଜ୍ୟସ୍ତରରେ ଶ୍ରମ କମିସନର ଓ ପରିବହନ କମିସନର ଶ୍ରମିକମାନଙ୍କ ପରିବହନ ଓ କାର୍ଯ୍ୟ ନେଇ ତଦାରଖ କରିବେ। ସେମାନଙ୍କ ରହଣିସ୍ଥଳରୁ କାର୍ଯ୍ୟସ୍ଥଳୀ ପର୍ଯ୍ୟନ୍ତ ତଥ୍ୟ ସମ୍ପୃକ୍ତ ବିଡିଓଙ୍କଠାରୁ ସଂଗ୍ରହ କରି ଜିଲ୍ଲା ଶ୍ରମ ଅଧିକାରୀ ପ୍ରତ୍ୟେକ ଦିନ ଡିଆର୍‌ଡିଏ ପିଡିଙ୍କ ଜରିଆରେ ଶ୍ରମ କମିସନରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର