ଗୃହ ବିଭାଗର ଅଜବ ଜବାବ: ମତଲୁବ୍, ମହାରଥୀ, ବିଷ୍ଣୁଙ୍କୁ ବି ଦେଇନୁ

ଶରତ କରଙ୍କୁ ଅନ୍ତିମ ସମ୍ମାନ ପ୍ରଦାନରେ ଅବହେଳା ମାମଲା

କଟକ: ସମସ୍ତଙ୍କ ସାମ୍‌ନାରେ ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ୍ ଅଲ୍ଲୀ, ପ୍ରଦୀପ ମହାରଥୀ ଓ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ ବେଳେ ପୁଲିସ କର୍ମଚାରୀ ଉପସ୍ଥିତ ରହି ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ। ଏସବୁର ଦୃଶ୍ୟ ବି ରେକର୍ଡ ହୋଇରହିଛି। କିନ୍ତୁ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଏହି ତିନି ଦିବଂଗତ ନେତାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ଗୃହ ବିଭାଗ କୌଣସି ଅନୁରୋଧ ପାଇ ନଥିଲା କି ପୁଲିସ ସମ୍ମାନ ପ୍ରଦାନ ପାଇଁ କୌଣସି ନିର୍ଦ୍ଦେଶ ଦେଇ ନଥିଲା। ତେ‌ବେ କାହା ନିର୍ଦ୍ଦେଶରେ ପୁଲିସ କର୍ମଚାରୀ ସେଠାରେ ଦିବଂଗତ ନେତାମାନଙ୍କୁ ସମ୍ମାନ ପ୍ରଦାନ କଲେ? ପୁଲିସ ଗୃହ ବିଭାଗର ବିନା ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ କରି ପାରୁଛି କି? ଯଦି କରି ପାରୁଛି ତେବେ ପୂର୍ବତନ ବାଚସ୍ପତି ଶରତ କରଙ୍କୁ ସମ୍ମାନ ପ୍ରଦାନରେ ପଛଘୁଞ୍ଚା ଦେଲା କାହିଁକି? ଶରତ କରଙ୍କୁ ଅନ୍ତିମ ସମ୍ମାନ ପ୍ରଦାନରେ ଅବହେଳା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଚାଲିଥିବାବେଳେ ଏବେ ସରକାରଙ୍କ ଏଭଳି ସତ୍ୟପାଠ ବିତର୍କର ପ୍ରସଙ୍ଗ ହୋଇଛି।

ଗୃହ ବିଭାଗର ଅଧସ୍ତନ ସଚିବ ପି.ସି.ପୃଷ୍ଟିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇଛି। ଏଥିରେ, ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ଗୃହବିଭାଗ ପକ୍ଷରୁ ଉଚ୍ଚ ପଦାଧିକାରୀ/ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ ପରେ ସମ୍ମାନ ପ୍ରଦାନ ପ୍ରସଂଗରେ ପଦକ୍ଷେପ ଗ୍ରହଣ ନେଇ ‘ଇନଷ୍ଟ୍ରକସନ ରିଗାର୍ଡିଂ ଆକ୍ସନ ଟୁ ବି ଟେକେନ୍ ଅନ୍ ଡେଥ୍ ଅଫ୍ ହାଇ ଡିଗନିଟାରିଜ୍’ ସ୍ବତନ୍ତ୍ର ନିର୍ଦ୍ଦେଶନାମା ରହିଛି। ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି, ରାଜ୍ୟର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓ ପୂର୍ବତନ ସାଂସଦଙ୍କ ପରଲୋକ ପରେ କୌଣସିପ୍ରକାର ପଦକ୍ଷେପ ଗ୍ରହଣ ପାଇଁ ଏହି ନିର୍ଦ୍ଦେଶନାମାରେ ବ୍ୟବସ୍ଥା ନାହିଁ। କିନ୍ତୁ ଜିଲ୍ଲା ପ୍ରଶାସନ, ହାଇକୋର୍ଟ ଓ ବିଭିନ୍ନ ସରକାରୀ ବିଭାଗର ଅନୁରୋଧ ଓ ଅନୁମୋଦନ ପରେ ରାଜ୍ୟ ସରକାର କେତେକ ପ୍ରମୁଖ ବ୍ୟକ୍ତିଙ୍କ ପରଲୋକ ପରେ ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ପୁଲିସ ସମ୍ମାନ (ପୁଲିସ ଅନର) ପ୍ରଦାନ କରୁଛନ୍ତି।
ପୂର୍ବତନ ବାଚସ୍ପତି ତଥା କ୍ୟାବିନେଟ ମନ୍ତ୍ରୀ ଶରତ କୁମାର କରଙ୍କ ପରଲୋକ ପରେ ପୁଲିସ ସମ୍ମାନ ପାଇଁ ୨୦୨୦, ଅକ୍ଟୋବର ୧୨ରେ କିନ୍ତୁ ଏପରି କୌଣସି ଅନୁରୋଧ ମିଳି ନଥିଲା। ଅକ୍ଟୋବର ୧୨ ତାରିଖ ସଂଧ୍ୟାର ବିଳମ୍ବିତ ସମୟରେ ପରଲୋକ ପ୍ରସଂଗରେ ବୈଦ୍ୟୁତିକ ଗଣମାଧ୍ୟମରୁ ଗୃହ ବିଭାଗ ଜାଣିବାକୁ ପାଇଥିଲା। ତାଙ୍କ ଶବଶତ୍କାର ସମୟରେ ଗାର୍ଡ ଅଫ୍ ଅନର/ପୁଲିସ ସମ୍ମାନ ପ୍ରଦାନ ପାଇଁ ଭୁବନେଶ୍ବର ଡିସିପିଙ୍କୁ ମୌଖିକ ଭାବେ ଅନୁରୋଧ କରାଯାଇଥିଲା। ଅକ୍ଟୋବର ୧୨ ତାରିଖ ଦିନ ସୂର୍ଯ୍ୟାସ୍ତ ପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବାରୁ ନିୟମ ଅନୁସାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇ ନଥିଲା। ସୂର୍ଯ୍ୟାସ୍ତ ପରେ ଓ ସୂର୍ଯ୍ୟ ଉଦୟ ପୂର୍ବରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ଶରତ କୁମାର କରଙ୍କ ମରଶରୀର ନିଆଯିବା ବେଳେ ପୁଲିସ ଏସ୍‌କର୍ଟ ପ୍ରଦାନ କରାଯାଇଥିଲା।

ଗାର୍ଡ ଅଫ୍ ଅନର ପ୍ରଦାନ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଅବଗତ କରିବାକୁ ଗୃହ ବିଭାଗ ପକ୍ଷରୁ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ଚିଠି କରାଯାଇଥିଲା। ଏହାର ଉତ୍ତରରେ ଡିସିପି ଭୁବନେଶ୍ବର ଅକ୍ଟୋବର ୨୦ରେ ଲେଖିଥିବା ଚିଠିରେ ସ୍ପଷ୍ଟ କରାଯାଇଥିଲା ଯେ ସୂର୍ଯ୍ୟାସ୍ତ ପରେ ଅନ୍ତିମସଂସ୍କାର କରାଯାଇ ଥିବାରୁ ନିୟମ ଅନୁସାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇ ନଥିଲା। ସତ୍ୟନଗର ଶ୍ମଶାନକୁ ମରଶରୀର ନିଆଯିବା ବେଳେ ପାଇଲଟ୍ ତଥା ଏସକର୍ଟ ପ୍ରଦାନ କରାଯାଇଥିଲା। ଏଥିସହିତ ଶ୍ମଶାନରେ କୋଭିଡ-୧୯ ନିୟମ ପାଳନ, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦୁଇ ସେକ୍ସନ ପୁଲିସ ମୁତୟନ କରାଯାଇଥିଲା। ୩ ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀ, ବିଷ୍ଣୁ ଦାସ, ପ୍ରଦୀପ ମହାରଥୀଙ୍କୁ ପୁଲିସ ସମ୍ମାନ ପ୍ରଦାନ ପାଇଁ କୌଣସି ଅନୁରୋଧ ଗୃହ ବିଭାଗ ପାଇନାହିଁ।

ତେଣୁ ଏମାନଙ୍କୁ ପୁଲିସ ସମ୍ମାନ ପ୍ରଦାନ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁରୋଧରେ ଅଭିନେତା ଅଜିତ ଦାସଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଜୟ ମହାନ୍ତିଙ୍କୁ ପୁଲିସ ସମ୍ମାନ ପ୍ରଦାନ କରାଯାଇଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ, ପୂର୍ବତନ ବାଚସ୍ପତି ଓ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଶରତ କୁମାର କରଙ୍କର ଅନ୍ତିମସଂସ୍କାର ସମୟରେ ରାଜ୍ୟସରକାର ଯେଉଁଭଳି ସମ୍ମାନ ପ୍ରଦାନ କରିବା କଥା ତାହା କରାଯାଇନଥିଲା। ଏହା ସାରା ରାଜ୍ୟବାସୀ ତଥା ବିଶେଷକରି ମାହାଙ୍ଗା ଲୋକଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା ଥିଲା ଓ ତାଙ୍କ ପ୍ରତି ଅସମ୍ମାନ ଘଟଣା ବୋଲି ଆବେଦନକାରୀ ଦେବେନ୍ଦ୍ର କୁମାର ସାହୁ ଦର୍ଶାଇ ମାମଲା ରୁଜୁ କରିଥିଲେ। ଏଭଳି ଅପ୍ରୀତିକର ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ମତ ରଖିଥିଲେ। ମାମଲାରେ ରାଜ୍ୟ ଗୃହ ବିଭାଗ ସଚିବ, ଓଡ଼ିଶା ବିଧାନସଭା ସଚିବ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର