ବାରିପଦା କୋଭିଡ୍‌ ହସ୍‌ପିଟାଲ୍‌ ରୋଗୀ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନର ଅଜବ ଉତ୍ତର

‘ଫଟୋରେ ଥିବା ବ୍ୟକ୍ତି ମାନସିକ ଭାବେ ଦୁର୍ବଳ ଥିଲେ, ମଦ୍ୟପାନ ଅଭ୍ୟାସ ଥିଲା’

ହସ୍‌ପିଟାଲକୁ ଯାଇ ରୋଗୀଙ୍କ ସହ କଥା ହେଲେ ଜିଲ୍ଲାପାଳ
ହସ୍‌ପିଟାଲରେ ଲାଗିବ ସିସିଟିଭି, ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବାରିପଦା : ବାରିପଦା କୋଭିଡ୍‌ ହସ୍‌ପିଟାଲ ପାଇଖାନା ନିକଟ, ବେଡ୍‌ ତଳେ ଏବଂ ଅଇଁଠା ଖାଦ୍ୟ ଉପରେ କେତେକ ରୋଗୀ ଅସହାୟ ଅବସ୍ଥାରେ ପଡ଼ି ମରିଥିବାର ଭିଡିଓ, ଫଟୋଚିତ୍ର ପଦାକୁ ଆସିବା ପରେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ ପ୍ରାଶାସନିକସ୍ତରରେ ମଧ୍ୟ ହଲଚଲ ଦେଖିବାକୁ ମିଳିଛି। ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୋମବାର ବାଙ୍କିଶୋଳସ୍ଥିତ କୋଭିଡ୍‌ ହସ୍‌ପିଟାଲ ପରିଦର୍ଶନ କରିବା ସହ ଚିକିତ୍ସାଧୀନ ରୋଗୀଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କ ଭଲମନ୍ଦ ବୁଝିଛନ୍ତି। ବିଶେଷ କରି ସ୍ୱାସ୍ଥ୍ୟସେବା ଠିକ ଭାବେ ମିଳୁଛି କି ନାହିଁ ସେ ସଂପର୍କରେ ପଚାରି ବୁଝିଛନ୍ତି। ହସ୍‌ପିଟାଲ ବୁଲି ଦେଖିବା ପରେ ସ୍ୱାସ୍ଥ୍ୟସେବା ନେଇ ରୋଗୀମାନେ ସନ୍ତୋଷ ପ୍ରକାଶ କରିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। କୋଭିଡ୍‌ ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ପ୍ରଶାସନ ଯତ୍ନବାନ ଅଛି। ଯାହା ବି କିଛି ସମସ୍ୟା ଉପୁଜୁଛି, ସେସବୁ ସମାଧାନ କରିବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି। ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ଫଟୋ ଓ ଭିଡିଓ ସମ୍ପର୍କରେ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ହସ୍‌ପିଟାଲ କର୍ତ୍ତୃପକ୍ଷ ଏବେ ବି ମୁହଁ ଖୋଲିନାହାନ୍ତି। ସେପଟେ ଜିଲ୍ଲା ପ୍ରଶାସନ ଇଂରାଜୀରେ ଏକ ପ୍ରେସ୍‌ ବିବୃତି ଜାରି କରି ଅଜବ ଉତ୍ତର ରଖିଛି। ଏଥିରେ କୁହାଯାଇଛି, ଉକ୍ତ ଫଟୋ ଓ ଭିଡିଓରେ ଥିବା ବ୍ୟକ୍ତିମାନେ ମାନସିକ ଭାବେ ଦୁର୍ବଳ ଥିଲେ। କିଛି ଲୋକଙ୍କର ମଦ୍ୟପାନ ଅଭ୍ୟାସ ମଧ୍ୟ ଥିଲା। ଅନେକ ଥର ହସ୍‌ପିଟାଲ କର୍ମଚାରୀ ସେମାନଙ୍କୁ ଆଣି ବିଛଣାରେ ଛାଡ଼ିଛନ୍ତି। ହସ୍‌ପିଟାଲ ବୁଲି ଦେଖିବା ପରେ ଆଜି ଜିଲ୍ଲାପାଳଙ୍କ ଅଫିସ ପକ୍ଷରୁ ଏହି ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଅନ୍ୟପକ୍ଷରେ ପୂରା ଘଟଣାକୁ ଘଣ୍ଟ ଘୋଡାଇବା ଲାଗି ଏହା ଏକ ପ୍ରୟାସ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଛି।

ଏଠାରେ ପ୍ରଶ୍ନ ଉଠୁଛି, ଫଟୋରେ ଥିବା ଏକାଧିକ ବ୍ୟକ୍ତି କ’ଣ ମାନସିକ ଓ ମଦ୍ୟପାନ ସମସ୍ୟାରେ ଜଡ଼ିତ ଥିଲେ? ଘଟଣା ପଛର ସତ ଜିଲ୍ଲାପାଳ ମାନନ୍ତୁ ବୋଲି କହିଛନ୍ତି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା। ତାଙ୍କ କହିବାନୁସାରେ ଯେଉଁ ଫଟୋ ଓ ଭିଡିଓ ବାହାରକୁ ଆସିଛି ତାହା ସମ୍ପୂର୍ଣ୍ଣ ସତ୍ୟ। ଗଣମାଧ୍ୟମରେ ଆଜି ଖବର ପ୍ରକାଶ ପରେ ହିଁ ଜିଲ୍ଲା ପ୍ରଶାସନର ଚେତା ପଶିଲା। ନଚେତ୍‌ ଆଗରୁ ପୁଳାପୁଳା ଅଭିଯୋଗ ଆସିଥିଲେ ବି କାହିଁକି ସମସ୍ତେ ଚୁପ୍‌ ରହୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରକୃତ ଘଟଣା ଜାଣିବା ଲାଗି ଏକ ପ୍ରତିନିଧି ଦଳକୁ ହସ୍‌ପିଟାଲରେ ଥିବା ରୋଗୀଙ୍କ ସହିତ ଆଲୋଚନା କରିବାକୁ ଛଡ଼ାଯାଉ ବୋଲି ଶ୍ରୀ ଜେନା ଦାବି କରିଛନ୍ତି।

ହସ୍‌ପିଟାଲରେ ଖୁବଶୀଘ୍ର ସିସିଟିଭି ସଂଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ନିଜ ମୋବାଇଲରେ ଏହି ଫଟୋ ଓ ଭିଡିଓ ଚିତ୍ର ଉତ୍ତୋଳନ କରିଥିବା ବ୍ୟକ୍ତିଜଣକ ମଧ୍ୟ ଏହାକୁ ସତ ବୋଲି କହିଛନ୍ତି। ଫଟୋରେ ଥିବା ବ୍ୟକ୍ତିମାନେ ମାନସିକ ଭାବେ ଦୁର୍ବଳ ଓ କେତେକଙ୍କର ମଦ୍ୟପାନ ଅଭ୍ୟାସ ଥିଲା ବୋଲି ଯାହା କୁହାଯାଉଛି ତାହା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ଜିଲ୍ଲାର ଏକମାତ୍ର ଏହି କୋଭିଡ୍‌ ହସ୍‌ପିଟାଲରେ ଅକ୍ସିଜେନ୍‌ ଅଭାବ ଓ ଅନ୍ୟାନ୍ୟ ଅବ୍ୟବସ୍ଥାକୁ ନେଇ ପୂର୍ବରୁ ଏକାଧିକ ଅଭିଯୋଗ ଆସିଥିଲା। ହସ୍‌ପିଟାଲରେ ସିସିଟିଭି ବ୍ୟବସ୍ଥା ନଥିବାରୁ ରୋଗୀମାନେ ଥରେ ଭିତରକୁ ଗଲା ପରେ ଆଉ କୌଣସି ଖବର ମିଳିପାରୁନାହିଁ। ଏମିତିକି ରୋଗୀ ମୃତ୍ୟୁ ନେଇ ମଧ୍ୟ ସଠିକ ସୂଚନା ଦିଆଯାଉନଥିବା ବାରମ୍ବାର ଅଭିଯୋଗ ହେଇଆସୁଛି।

ସମ୍ବନ୍ଧିତ ଖବର