କଳାହାଣ୍ଡି ଜିଲ୍ଲାରେ ରବି ଧାନ ସଂଗ୍ରହରେ ବିଚିତ୍ର ବ୍ୟବସ୍ଥା: ଧାନ ଅମଳ ପୂର୍ବରୁ ଟୋକନ, ୧୨ ଦିନର ମହଲତ

ନୂଆ ଟାର୍ଗେଟ ଆସୁନି, ଚାଷୀ ଅଭାବୀ ବିକ୍ରିର ଶିକାର

କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ରବି ଧାନ ସଂଗ୍ରହରେ ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି। ଚାଷୀଙ୍କୁ ଧାନ ଅମଳ ପୂର୍ବରୁ ଟୋକନ ଦିଆଯାଇଛି। ପୁଣି ମାତ୍ର ୧୨ ଦିନ ମଧ୍ୟରେ ମଣ୍ଡିକୁ ଧାନ ନଆଣିଲେ ତାହା ଲାପ୍ସ ହୋଇଯିବ ବୋଲି ନିୟମ କରାଯାଇଛି। ଫଳରେ ଚାଷୀମାନେ ବହୁ ଅସୁବିଧାରେ ପଡ଼ିଛନ୍ତି। ଏବେ ମଣ୍ଡିଗୁଡ଼ିକରେ ଧାନକିଣା ଟାର୍ଗେଟ ସରିଲାଣି। ନୂତନ ଟାର୍ଗେଟ ନ ଆସିବାରୁ ଓ ପ୍ରାକ୍‌ ମୋସୁମୀ ବର୍ଷା ଆରମ୍ଭ ହୋଇଯିବାରୁ ଚାଷୀ ଧାନର ଅଭାବୀ ବିକ୍ରିର ଶିକାର ହେଲାଣି। ଟୋକନ ଥରେ ଲାପ୍ସ ହେଲେ ପୁଣି ପଞ୍ଜୀକରଣ ହୋଇ ଟୋକନ ପାଇବା କଷ୍ଟକର। ଯାହା ଗତ ଖରିଫରେ ଚାଷୀଙ୍କ ସହ ‌ହୋଇଥିବା ନଜିର ରହିଛି। ଚାଷୀ ରବିରେ ପ୍ରଚୁର ଫସଲ ଉତ୍ପାଦନ ନେଇ ଖୁସି ହେଇଥିଲା। ଏବେ ଏହି ଟୋକନ ଲାପ୍ସ ପାଇଁ ଧାନ ବିକ୍ରି କରି ନପାରି ଲୁହ ଝରାଉଛି।

ପ୍ରକାଶ ଯେ ଜିଲ୍ଲାକୁ ପ୍ରାୟ ୧୫ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନକିଣା ଟାର୍ଗେଟ ଆସିଥିଲା। ଆଜି ଯାଏ ପ୍ରାୟ ୧୧ଲକ୍ଷ କୁଇଣ୍ଟାଲ ଧାନ ମଣ୍ଡିରୁ କିଣା ହୋଇ ଉଠିସାରିଲାଣି। ବିଭନ୍ନ ମଣ୍ଡିରେ ଧାନ ଉଠାଣ ପାଇଁ ନିୟୋଜିତ ୬୧ ମିଲର୍ସଙ୍କ ମଧ୍ୟରୁ ବହୁ ମିଲର୍ସଙ୍କ ଟାର୍ଗେଟ ସରିବା ଆରମ୍ଭ ହେଲାଣି। ଫଳରେ ସେହି ମଣ୍ଡିଗୁଡ଼ିକରେ ଏବେ ଚାଷୀ ଧାନ ବିକ୍ରି ପାଇଁ ହଇରାଣ ହରକତ ହେଉଛନ୍ତି। ଏ ବର୍ଷ ଜିଲ୍ଲାରେ ପ୍ରାୟ ୩୦ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ଅମଳ ହୋଇଥିବା ସରକାରୀ ଭାବେ ଆକଳନ କରାଯାଇଛି। ଅର୍ଥାତ୍‌ ଆହୁରି ୧୪ଲକ୍ଷରୁ ଅଧିକ କୁଇଣ୍ଟାଲ ଧାନ କିଣା ପାଇଁ ଟାର୍ଗେଟ ଦରକାର। ପ୍ରାକ୍‌ ମୌସୁମୀ ବର୍ଷା ୩-୪ ଥର ହେଲାଣି। ପୁଣି ଓଡ଼ିଶାରେ ୧୦ରୁ ମୌସୁମୀ ବର୍ଷା କଥା ପାଣିପାଗ ବିଭାଗ କହୁଛି। ଏଣୁ ମଣ୍ଡିରେ ଟାର୍ଗେଟ ସରିବା ପରେ କାଳେ ବର୍ଷାରେ ଧାନ ଭିଜିଯିବ ଭାବି ଚାଷୀମାନେ ବାଧ୍ୟ ହୋଇ ସହାୟକ ମୂଲ୍ୟରୁ କମ ଦରରେ ଧାନ ଦଲାଲ ଓ ଆସାଧୁ ମିଲର୍ସଙ୍କୁ ବିକ୍ରି କରିଦେଉଛନ୍ତି। ଚାଷୀ ଅଭାବୀ ବିକ୍ରିର ଶିକାର ନହେବେ ବୋଲି ସରକାର ଭୁବନେଶ୍ୱରରୁ ଟୋକନ ନିୟନ୍ତ୍ରଣ ବ୍ୟବସ୍ଥା କଲେ। ମାତ୍ର ଜିଲ୍ଲାର ବସ୍ତାବିକ ସ୍ଥିତିକୁ ନଦେଖି ଭୁବନେଶ୍ୱରରେ ହିଁ ପ୍ଲାନିଂ କରିଦେଲେ।

ରବିରେ ଏହି ଜିଲ୍ଲାରେ ଅନ୍ୟ ଜିଲ୍ଲା ଅପେକ୍ଷା ବିଳମ୍ବରେ ଅମଳ ହୁଏ। ସେଥିପାଇଁ ବିଳମ୍ବରେ ମଣ୍ଡି ବି ଆରମ୍ଭ ହୁଏ। କିନ୍ତୁ ଯୋଗାଣ ବିଭାଗ ଟୋକନ ଦେବାର ୧୨ ଦିନ ମଧ୍ୟରେ ବିକ୍ରି ନକଲେ ଲାପ୍ସ କଥା ନିୟମ ଧାର୍ଯ୍ୟ କରିଛି। କିଛି ଚାଷୀ ଧାନ ଅମଳ ନହେଉଣୁ ବି ଟୋକନ ପାଉଛନ୍ତି। ମାତ୍ର ଅମଳ ହୋଇ ମଣ୍ଡିକୁ ଗଲା ଭିତରେ ତାଙ୍କର ଟୋକନ ଲାପ୍ସ ହୋଇଯାଉଛି। ଯାହାକୁ ନେଇ ଚାଷୀ ପୁଣି ଟୋକନ ପାଇଁ ଅପିଲ କଲେ ମଧ୍ୟ ଆଉ ଟୋକନ ମିଳୁ ନାହିଁ। ସେହିଭଳି ମଣ୍ଡିରେ ଟାର୍ଗେଟ ସରିବା କି ଅନ୍ୟ କିଛି ପ୍ରାଶାସନିକ ଭୁଲ ପାଇଁ ଧାନ ନଉଠି ଟୋକନ ଲାପ୍ସ ହେଲେ ମଧ୍ୟ ଚାଷୀ ପୁଣି ଟୋକନ ପାଇ ପାରୁ ନାହିଁ। ରାଜ୍ୟ ଯୋଗାଣ ବିଭାଗ କହୁଛି, ଥରେ ଟୋକନ ଲାପ୍ସ ହେଲେ ପୁଣି ସେଠି ପଞ୍ଜିକରଣ ହୋଇପାରିବ ନାହିଁ। ଚାଷୀ ଜିଲ୍ଲା କାର୍ଯ୍ୟାଳୟ ଓ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ଫଳ ନାହିଁ। କାରଣ ଗତ ଖରିଫରେ ନିଜେ ଜିଲ୍ଲାପାଳ କିଛି ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବା ଓ ତାଙ୍କୁ ପୁଣି ସାମିଲ କରିବାର ଚିଠି ରାଜ୍ୟ ଯୋଗାଣ ବିଭାଗକୁ ଲେଖିଥିଲେ ମଧ୍ୟ ତାହା ହୋଇପାରି ନଥିଲା। ଏ ଅଞ୍ଚଳର ଚାଷ ତଥ୍ୟକୁ ଯାଞ୍ଚ ନକରି ଏପରି ବ୍ୟବସ୍ଥା କାହିଁକି ଯୋଗାଣ ବିଭାଗ କରିଛି ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ପଟେ ଟାର୍ଗେଟ ସରିବା, ମୁଣ୍ଡ ଉପରେ ବର୍ଷା, କରୋନା ଭୟାଭୟତା ଓ ଟୋକନ ଲାପ୍ସ ଚାଷୀଙ୍କୁ ଅଡ଼ୁଆରେ ପକେଇଛି।

ସମ୍ବନ୍ଧିତ ଖବର