ସମ୍ବଲପୁର: ଆଗ କୀଟନାଶକ କିଣି ୧୮% ଜିଏସ୍ଟି ବିଲ୍ ଆଣନ୍ତୁ। ତା’ପରେ ବିହନ ନେବେ। ଚାଉଳ ପରବର୍ତ୍ତୀ ପଡ଼ିଆ ଜମିରେ ଚାଷ (ରାଇସ୍ ଫେଲୋ ମ୍ୟାନେଜମେଣ୍ଟ ଚାଷ) ଯୋଜନାରେ ୪.୪୫ ଲକ୍ଷ ହେକ୍ଟର ଜମିରେ ଡାଲି ଚାଷ ପାଇଁ ଚାଷୀଙ୍କୁ ଏଭଳି ଅଜବ ନିର୍ଦ୍ଦେଶ ଦେଇଥିଲା କୃଷି ବିଭାଗ। ରୋଗ ପୋକ ସମ୍ପର୍କରେ ନ ଜାଣି ଆଗୁଆ କୀଟନାଶକ କିଣିବା ଯୋଗୁଁ ଅନେକ ଚାଷୀ ହରଡ଼ଘଣାରେ ପଡ଼ିଛନ୍ତି। କୀଟନାଶକ କମ୍ପାନି ପ୍ରତି କୃଷି ବିଭାଗର ଏଭଳି ଅନୁକମ୍ପା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କୃଷି ବିଭାଗର ସୂଚନା ଅନୁସାରେ, ଖରିଫ୍ ଧାନଚାଷ ପରେ ରାଜ୍ୟରେ ୧୬ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼େ। ୨୦୨୨ ମସିହାରୁ ସ୍ବତନ୍ତ୍ର ଯୋଜନା ଜରିଆରେ ଚାଉଳ ପରବର୍ତ୍ତୀ ପଡ଼ିଆ ଜମିରେ ଡାଲି ଜାତୀୟ ପୋଷଣଯୁକ୍ତ ଚାଷ ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିପାଇଁ ଚାଷୀଙ୍କୁ ଏକର ପିଛା ୨୪୫୦ ଟଙ୍କା ରିହାତି ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ବର୍ତ୍ତମାନ ଏହି ଯୋଜନା କାର୍ଯ୍ୟକାରୀ ଦିଗରେ କୃଷି ବିଭାଗର ରାଜ୍ୟସ୍ତରୀୟ ଅଧିକାରୀମାନେ ଯେଉଁଭଳି ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି, ଏଥିରେ ବଡ଼ଧରଣର ଦୁର୍ନୀତି ହେଉଥିବା ସନ୍ଦେହ କରାଯାଉଛି। ଚାଷୀଙ୍କ ଅଭିଯୋଗ ହେଲା, ଖରିଫ ଧାନଚାଷ ସରିବାର ଠିକ୍ ପରେ ଅର୍ଥାତ ନଭେମ୍ବର, ଡିସେମ୍ବର ମାସରେ ସେମାନେ ଏହି ଯୋଜନାରେ ଡାଲି ଚାଷ କରିଥିଲେ।
୧୮% ଜିଏସ୍ଟି ବିଲ୍ ଦାଖଲ ନିର୍ଦ୍ଦେଶ
ନିୟମ ଅନୁଯାୟୀ ଏହି ସମୟରେ ଚାଷୀଙ୍କୁ ବିହନ ମିଳିଯିବା କଥା। କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଚାଷୀଙ୍କୁ ଅଧିକାରୀମାନେ ଆଗ କୀଟନାଶକ କିଣି ଜିଏସ୍ଟି ବିଲ୍ ପୈଠ କରିବାକୁ ଅଜବ ସର୍ତ୍ତ ରଖିଥିଲେ। ପୂର୍ବ ବର୍ଷମାନଙ୍କରେ କୀଟନାଶକ କ୍ରୟ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଚାଷୀ ତା’ର ଆବଶ୍ୟକତା ଅନୁସାରେ ଅଣୁସାର, କୀଟନାଶକ କିଣୁଥିଲା। ଦ୍ବିତୀୟତଃ ଅନେକ ଜିଲ୍ଲାର ଚାଷୀଙ୍କୁ ଡାଲି ବିହନ ମିଳିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ବରଗଡ଼ ଜିଲ୍ଲାର ଚାଷୀମାନେ ବିହନ ପାଇଁ ଆନ୍ଦୋଳନ ମଧ୍ୟ କରିଥିଲେ। ଆନ୍ଦୋଳନ ସମୟରେ ହିଁ ଚାଷୀ ଜାଣିବାକୁ ପାଇଥିଲେ ଯେ ନଭେମ୍ବର ମାସରୁ ଡାଲି ବିହନ କୃଷି ବିଭାଗ ପାଖକୁ ଆସିଥିଲେ ମଧ୍ୟ ଜାଣିଶୁଣି ବିହନ ଦେବାରେ ଡେରି କରାଯାଇଥିଲା। ସେଥିରେ ପୁଣି ଯେଉଁ ବିହନ ମିଳିଥିଲା ତାହା ନିମ୍ନମାନର ଥିବା ଚାଷୀମାନେ ଅଭିଯୋଗ କରିଥିଲେ।
ବର୍ତ୍ତମାନ ସୁଦ୍ଧା ଅନେକ ଚାଷୀ ରିହାତି ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି। ଅନ୍ୟଦିଗରେ ଚାଉଳ ପରବର୍ତ୍ତୀ ପଡ଼ିଆ ଜମିରେ ଡାଲିଚାଷ କାର୍ଯ୍ୟକାରୀ ପାଇଁ ଯେଉଁଠି ସାମାଜିକ ସଙ୍ଗଠନଗୁଡ଼ିକୁ ଦାୟିତ୍ବ ଦିଆଯାଇଥିଲା, ସେଠାରେ ଯୋଜନାର ଉପଯୁକ୍ତ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ଏନ୍ଜିଓଗୁଡ଼ିକ ନିମ୍ନମାନର ବିହନ ସମେତ ଅନ୍ୟ ଚାଷ ଉପକରଣ ଦେଇଥିବା ମଧ୍ୟ ଅଭିଯୋଗ ଉଠିଛି। ଏ ସଂକ୍ରାନ୍ତରେ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି ଚାଷୀମାନେ କହିଛନ୍ତି। ଅନ୍ୟପକ୍ଷରେ କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟ କୃଷି ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଷୀଙ୍କୁ କୀଟନାଶକ କ୍ରୟ ପାଇଁ ନିର୍ଦ୍ଦେଶ ହୋଇଥିଲା। ଡାଲି ଚାଷରେ ପ୍ରାୟତଃ ଲାଗୁଥିବା ରୋଗପୋକ ବିଷୟରେ କୃଷି ଅଧିକାରୀଙ୍କ ଧାରଣା ରହିଥିବାରୁ ଚାଷୀ କିଣିଥିବା କୀଟନାଶକ ଅବ୍ୟବହୃତ ରହିବନି। ଏହା କାମରେ ଲାଗିବ ବୋଲି ବିଭାଗ ପକ୍ଷରୁ ବିଚିତ୍ର ଯୁକ୍ତି ଦର୍ଶାଯାଇଛି।