ଅଜବ ନିଷ୍ପତ୍ତି: ବିନା ଟିକାରେ ସ୍କୁଲ୍‌ ଖୋଲିଦେବେ, ରାଜନୈତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ନାହିଁ

ଅଥଚ ଯାତ୍ରା, ସିନେମା ହଲ୍‌, ମଲ୍‌ ବନ୍ଦ

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ସ୍କୁଲ୍‌ ଖୋଲିବ ଜୁଲାଇ ୨୬ରେ। ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ପ୍ରସ୍ତୁତି ଅଜବ। କୁହାଯାଉଛି ତୃତୀୟ ଲହରରେ ପିଲା ଅଧିକ କ୍ଷତିଗ୍ରସ୍ତ ହେବେ। ସେଥିପାଇଁ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ବିନା ଟିକାରେ ପିଲାଙ୍କୁ ସ୍କୁଲ୍‌ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ସେମିତି ସ୍କୁଲ୍‌ର ଶିକ୍ଷକ, ଶିକ୍ଷୟିତ୍ରୀ ଶତ ପ୍ରତିଶତ ଟିକା ନେଇ ନାହାନ୍ତି। ସେମାନଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଯାଇନି। କିନ୍ତୁ ଟିକା ଦେବାର ବ୍ୟବସ୍ଥା‌ କରିବାକୁ ଡିଇଓମାନଙ୍କୁ କୁହାଯାଉଛି। ଯେମିତି ଡିଇଓଙ୍କ ନିୟନ୍ତ୍ରଣରେ ଜିଲ୍ଲାରେ ଟିକାକରଣ ଚାଲିଛି।

ସ୍କୁଲ୍‌ ଖୋଲିବାକୁ ସରକାର ନିଷ୍ପତ୍ତି ନେଲା ପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡିଇଓମାନଙ୍କ ସହ ବୈଠକ କ‌ରି ବହୁ ପରାମର୍ଶ, ନିର୍ଦ୍ଦେଶ ଦେଲେ। ଯେଉଁ ଶିକ୍ଷକ, କର୍ମଚାରୀମାନେ ଦୁଇ ଡୋଜ୍ ଟିକା ନେଇ ନାହାନ୍ତି, ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରିବା ପାଇଁ ଡିଇଓଙ୍କୁ କୁହାଗଲା। ପ୍ରଶ୍ନ ଉଠୁଛି ଡିଇଓମାନେ ଟିକା ଆଣିବେ କେଉଁଠୁ? ସେମାନଙ୍କ କଥା ଶୁଣିବ କିଏ? ଶିକ୍ଷକ ଓ ସ୍କୁଲ୍‌ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ନ ଦିଆଯାଇ ଡିଇଓମାନଙ୍କୁ ଉପର ଠାଉରିଆ ଦାୟିତ୍ବ ଦେବାର ମାନେ କ’ଣ? ଯଦି ଡିଇଓମାନେ ଏବେ ଟିକା ନେଇ ନ ଥିବା ଶିକ୍ଷକଙ୍କ ତାଲିକା କରନ୍ତି, ତେବେ ଏଇ ସପ୍ତାହରେ ସେମାନଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରିବ ତ? କାରଣ ଟିକା ଅଭାବରୁ ବହୁ ଜିଲ୍ଲାରେ ବିଭିନ୍ନ ସମୟରେ ଟିକାକରଣ ବନ୍ଦ ରହୁଛି। ସେହିପରି ନେଟ୍‌ୱର୍କ ନ ଥିବାରୁ କିଛି ଜିଲ୍ଲାରେ ଅନ୍‌ଲାଇନ୍ ପାଠ ପଢ଼ା ସଫଳ ହେଉ ନାହିଁ ବୋଲି ସ୍କୁଲ୍‌ ଖୋଲିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଯେଉଁ ଜିଲ୍ଲାରେ ନେଟ୍‌ୱର୍କ ବ୍ୟବସ୍ଥା ଦୁର୍ବଳ ସେଠାରେ ଟିକାକରଣ ବି ଅତ୍ୟନ୍ତ ମନ୍ଥର। ତେଣୁ ସେହି ଜିଲ୍ଲାରେ ବିଭାଗର ‌ଉଦ୍ଦେଶ୍ୟ ସଫଳ ହେବା ନେଇ ସନ୍ଦେହ ରହିଛି। ତେଣୁ ବିନା ଟିକାରେ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲ୍‌ ଯିବା ଥୟ। ପୁଣି ପିଲାଙ୍କ ଟିକାକରଣ ହୋଇ ନାହିଁ। ଫଳରେ ପିଲାମାନଙ୍କୁ ସ୍କୁଲ୍‌ ଛାଡ଼ିବେ କି ନାହିଁ, ତାହାକୁ ନେଇ ଅଭିଭାବକମାନେ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି।

ଏସବୁ କଥ‌ା ଚିନ୍ତା ନ କରି ସରକାର କେମିତି ବେପରୱା ଢଙ୍ଗରେ ଏପରି ନିଷ୍ପତ୍ତି ନେଇଗଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। କରୋନା ପରିଚାଳନାରେ ସରକାରଙ୍କ ଏମିତି କିଛି ଅଜବ ନିଷ୍ପତ୍ତି ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅଧିକାରୀମାନେ ତାହାର ଆଗପଛ ବିଚାର କରୁଛନ୍ତି ନା ନିଜ ନିଷ୍ପତ୍ତିକୁ ସାଧାରଣ ଜନତାଙ୍କ ଉପରେ ଲଦି ଦେଉଛନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

କୋଭିଡ୍‌ କଟକଣା ପାଇଁ ବହୁ ଲୋକଙ୍କ ଜୀବିକା ସଙ୍କଟରେ। ମହାମାରୀର ଆତଙ୍କ ଠାରୁ ସଙ୍ଗୀନ ହେଲାଣି ଜୀବିକା ଚିନ୍ତା। ଗତ ୧୬ ତାରିଖରେ ରାଜ୍ୟ ସରକାର ଆଉ କିଛି କଟକଣା କୋହଳ କରିଛନ୍ତି। ଜିମ୍, ସ୍ପା, ବସ୍‌ ଚଳାଚଳକୁ ଅନୁମତି ଦେଇଛନ୍ତି। କିନ୍ତୁ ଯାତ୍ରା, ସିନେମା ହଲ୍‌, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି। ସିନେମା ହଲ୍‌ ଏକ ଶିଳ୍ପ ହୋଇଥିଲେ ବି ତାହାକୁ ଶିଳ୍ପ ପରି କୌଣସି ପ୍ରୋତ୍ସାହନ ଦିଆଯାଉ ନାହିଁ। ହଲ୍‌ କର୍ମଚାରୀମାନେ ଅତ୍ୟନ୍ତ ସଙ୍ଗୀନ ସ୍ଥିତିରେ ଜୀବନ ଜିଉଁଛନ୍ତି। ହଜାର ହଜାର ଯାତ୍ରା କଳାକାର ଏବେ ପେଟପାଟଣା ପାଇଁ ଦୟନୀୟ ସ୍ଥିତିରେ ଅଛନ୍ତି। ଏପରିକି ଜଣାଶୁଣା କଳାକାର ଏବେ ଭିନ୍ନ ବୃତ୍ତିକୁ ଆପଣାଇବାକୁ ବାଧ୍ୟ ହେଲେଣି। ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ଏହାକୁ ଜୀବିକା କରୁଥିବା କଳାକାର, କଣ୍ଠଶିଳ୍ପୀ ସମସ୍ତେ ଏବେବ ଦୁର୍ଦିନରେ। ବହୁ ଲୋକନୃତ୍ୟ କଳାକାର ହାତ ବାନ୍ଧି ବସିଛନ୍ତି। ସେମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ସଂସ୍କୃତି ବିଭାଗର କୌଣସି ଯୋଜନା ନାହିଁ। ସେମିତି କୋଭିଡ୍‌ ସଂକ୍ରମଣ ବଢ଼ିଯିବା ଆଶଙ୍କାରେ ମଲ୍‌ ବନ୍ଦ ରଖାଯାଛି। ରାଜ୍ୟରେ ସହରାଞ୍ଚଳରେ ମଲ୍‌ ସଂଖ୍ୟା‌ ଗତ କିଛି ବର୍ଷ ଭିତରେ ବଢ଼ିଯାଇଥିବାରୁ ହଜାର ହଜାର ଲୋକ ସେଥିରେ ନିଯୁକ୍ତି ପାଇଛନ୍ତି। ସେମାନେ ଏବେ ଦରମା ନ ପାଇ ବହୁ କଷ୍ଟରେ ଜୀବନ ଜିଉଁଛନ୍ତି। ସରକାର ଏହି ଲୋକମାନଙ୍କ କଥା କିପରି ଭୁଲି ଯାଉଛନ୍ତି ? ସେମାନଙ୍କର କ’ଣ ବଞ୍ଚିବାର ଅଧିକାର ନାହିଁ?

ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ସ୍ପଷ୍ଟ ଗାଇଡ୍‌ଲାଇନ୍ ଆସିଛି କୌଣସି ପ୍ରକାର ରାଜନୈତିକ, ସାମାଜିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଏହା ମଧ୍ୟରୁ ତିନିଟି କାର୍ଯ୍ୟକ୍ରମ ଆଦୌ ହେଉ ନାର୍ହି। କିନ୍ତୁ ରାଜନୈତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ନାହିଁ। ଖୋଲାଖୋଲି ଏ କାର୍ଯ୍ୟକ୍ରମ ଚାଲିଛି। ଆଇନ ଉଲ୍ଲଂଘନ କରିବାରେ ଶାସକ, ବିରୋଧୀ କେହି କାହା ଠାରୁ କମ୍‌ରେ ନାହାନ୍ତି। ରାଜ୍ୟରେ ଏବେ ଦୈନିକ ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି। ଶତାଧିକ ଲୋକ ବିନା ମାସ୍କରେ ଏକାଠି ହେଉଛନ୍ତି। କିଏ ବି‌କ୍ଷୋଭ ପ୍ରଦର୍ଶନ କରୁଛି ତ କିଏ ଶୋଭାଯାତ୍ରା କରୁଛି। ଉଭୟ ଶାସକ ଓ ବିରୋଧୀ ପକ୍ଷର ଶହ ଶହ ଲୋକଙ୍କ ସହ ରାସ୍ତାକୁ ଓହ୍ଲାଉଛନ୍ତି। ଗୋଟିଏ ଗୋଟିଏ ହଲ୍‌ରେ ଶତାଧିକ ଲୋକ ବସି ରାଜନୈତିକ ସଭା କରୁଛନ୍ତି। ସୋସିଆଲ୍‌ ମିଡିଆରେ ଫଟୋ ପୋ‌ଷ୍ଟ ହେଉଛି। କିନ୍ତୁ ପ୍ରଶାସନ ଆଦୌ ସେମାନଙ୍କୁ ରୋକିବା ପାଇଁ ପଦକ୍ଷେପ ନେଉ ନାହିଁ। ଯଦି ରାଜନୈତିକ କାର୍ଯ୍ୟକ୍ରମ କରିବାରେ ଅସୁବିଧା ନାହିଁ, ତେବେ ଗାଇଡ୍‌ଲାଇନ୍‌ରେ ତାହାକୁ କାହିଁକି ମନା କରୁଛନ୍ତି ସରକାର? କେବଳ ସାଧାରଣ ଲୋକଙ୍କ ଉପରେ ସବୁ କଟକଣା ଲଦିଦେଲେ କରୋନା କ’ଣ ବାଟ ଭାଙ୍ଗି ପଳାଇବ?

କରୋନା ବାସ୍ତବ ସ୍ଥିତି ସମ୍ପର୍କରେ ବିଶେଷଜ୍ଞମାନେ କେଉଁ ଦିନ କ’ଣ କହୁଛନ୍ତି, ତାହାର କୂଳକିନାରା ସାଧାରଣ ଲୋକ ପାଉ ନାହାନ୍ତି। ରାଜ୍ୟରେ ମାସେ ହେଲାଣି ସଂକ୍ରମଣ କାହିଁକି ସ୍ଥିର ରହୁଛି, କମୁ ନାହିଁ ତାହାର ଠୋସ୍ ଉତ୍ତର କାହା ପାଖରେ ନାହିଁ। କେବେ ଦ୍ବିତୀୟ ଲହର କମିବ, ସେ ଉତ୍ତର ବି ମିଳୁନି। ଭୁବନେଶ୍ବରରେ ଟିକାକରଣ ଦେଶର ସବୁ ସହର ଠାରୁ ଆଗରେ ବୋଲି ବିଏମ୍‌ସି ବାହାସ୍ଫୋଟ ମାରୁଥିବା ସତ୍ତ୍ବେ କାହିଁକି ସଂକ୍ରମଣ ଉପରମୁହାଁ ରହୁଛି ତାହାର ସନ୍ତୋଷଜନକ ଜବାବ କେହି ଦେଇପାରୁ ନାହାନ୍ତି। ଏଠାରେ ସଂକ୍ରମଣ କମୁ ନ ଥିବାରୁ ଅନେକ କ୍ଷେତ୍ରରେ ଏବେ ବି ତାଲା ଝୁଲୁଛି ଓ ବହୁ ଲୋକ ରୋଜଗାର ହରାଇ ବସିଛନ୍ତି। ଲୋକଙ୍କୁ ଆଶା, ଆଶ୍ବାସନା ଦେଲା ପରି କେହି ସାନ୍ତ୍ବନା ଦେଇପାରୁ ନାହାନ୍ତି। କେବଳ ପକ୍ଷପାତ ଯୁକ୍ତ କଟକଣା ବଢ଼ାଇ ବଢ଼ାଇ ସେମାନଙ୍କୁ ଏକ ଅନିଶ୍ଚିତତା ଭିତରକୁ ଠେଲି ଦିଆଯାଉଥିବାର ଅଭିଯୋଗ ଉଠୁଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି।

ସମ୍ବନ୍ଧିତ ଖବର