ସମ୍ବଲପୁର: କର୍କଟ ରୋଗପ୍ରବଣ ଜିଲ୍ଲା ପାଲଟିଛି ବରଗଡ଼। ସେହି ଦୃଷ୍ଟିରୁ ଏଠାରେ ସ୍ବତନ୍ତ୍ର କର୍କଟ ରୋଗ ଡାକ୍ତରଖାନା ଦାବିରେ ଗତ କିଛି ବର୍ଷ ହେଲା ଆନ୍ଦୋଳନ ହୋଇଆସୁଛି। ଗଞ୍ଜାମ ଜିଲ୍ଲାରେ ଶିଶୁ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ନେଇ କର୍କଟ ରୋଗୀଙ୍କ ପାଇଁ କାର୍ଯ୍ୟ କରୁଥିବା ସାମାଜିକ ସଙ୍ଗଠନ ମତ ଦିଅନ୍ତି। ସେହିପରି ପ୍ରଦୂଷଣ କାରଣରୁ ଖଣି, କଳକାରଖାନା ଥିବା ଜିଲ୍ଲାମାନଙ୍କରେ କର୍କଟ ରୋଗ ବୃଦ୍ଧି ପାଉଥିବା ସଂପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ। କିନ୍ତୁ ରାଜ୍ୟରେ ପ୍ରକୃତ କର୍କଟ ରୋଗୀଙ୍କ ସଂଖ୍ୟା କେତେ ଏବଂ କେଉଁ ଜିଲ୍ଲାରେ କେତେ ରୋଗୀ ଅଛନ୍ତି, ସେ ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶାଳୟ ପାଖରେ ନାହିଁ। ଏଭଳି ସ୍ଥିତିରେ କାୟା ମେଲାଉଥିବା କର୍କଟ ରୋଗର ମୁକାବିଲା ସ୍ବାସ୍ଥ୍ୟ ବିଭାଗ କିଭଳି କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

କିଛି ମାସ ପୂର୍ବରୁ ସୂଚନା ଆଇନ ବଳରେ ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଏବଂ କର୍କଟ ରୋଗରେ ମୃତ୍ୟୁକୁ ନେଇ ବ୍ଲକ୍‌ ଓ ପଞ୍ଚାୟତୱାରି ରିପୋର୍ଟ ପାଇଁ ଆବେଦନ କରାଯାଇଥିଲା। ଏହାର ଜବାବରେ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବ୍ଲକ୍‌, ପଞ୍ଚାୟତ କଥା ଦୂରେ ଥାଉ ରାଜ୍ୟରେ ସମୁଦାୟ କର୍କଟ ରୋଗୀ ଏବଂ କର୍କଟରେ ମୃତକଙ୍କ ତଥ୍ୟ ସେମାନଙ୍କ ପାଖରେ ଉପଲବ୍ଧ ନଥିବା ସଂପର୍କରେ ଲିଖିତ ଭାବେ ସୂଚନା‌ ଦିଆଯାଇଛି। ଆବେଦନକାରୀଙ୍କୁ କର୍କଟ ରୋଗୀଙ୍କ ସଂଖ୍ୟା ବାବଦରେ ଯେଉଁ ତଥ୍ୟ ଦିଆଯାଇଥିଲା, ତାହା ୨୦୨୩ ମସିହା ଆଧାରିତ କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଚିକିତ୍ସା ଅନୁଷ୍ଠାନରେ ଚିକିତ୍ସିତ ରୋଗୀଙ୍କୁ ନେଇ ସ୍ଥାନିତ ହୋଇଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ଅନୁଷ୍ଠାନରେ ସମୁଦାୟ ୨୬ ହଜାର ୬୬୬ ରୋଗୀ ଚିକିତ୍ସିତ ହୋଇଥିଲେ। ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୫୩୨୯, ଯାଜପୁରରୁ ୨୬୨୭, କେନ୍ଦ୍ରାପଡ଼ାରୁ ୨୦୯୫, ବାଲେଶ୍ବରରୁ ୧୮୯୭, ଜଗତସିଂହପୁରରୁ ୧୮୨୪, ଭଦ୍ରକରୁ ୧୫୮୧, ଖୋର୍ଦ୍ଧାରୁ ୧୪୫୪, ପୁରୀରୁ ୧୩୮୩ ଏବଂ ମୟୂରଭଞ୍ଜରୁ ୧୦୦୧ ରୋଗୀ ଚିକିତ୍ସିତ ହୋଇଥିଲେ। ଏଣେ କିନ୍ତୁ ସର୍ବାଧିକ କର୍କଟ ରୋଗୀ ରହିଥିବା କୁହାଯାଉଥିବା ବରଗଡ଼ ଜିଲ୍ଲାର ୨୯୫ ଜଣ ଏଠାରେ ଚିକିତ୍ସିତ ହୋଇଥିବା ନେଇ ସୂଚନା ଦିଆଯାଇଛି। 

ଏଭଳି ସ୍ଥିତିରେ ବରଗଡ଼ରେ ସ୍ବତନ୍ତ୍ର କର୍କଟ ଡାକ୍ତରଖାନା ଦାବିକୁ କିଏ କାହିଁକି ଗୁରୁତ୍ବର ସହିତ ନେବ? ଅନ୍ୟ ଜିଲ୍ଲା ମଧ୍ୟରେ ଅନୁଗୁଳର ୫୪୨, ବଲାଙ୍ଗୀରର ୩୪୨, ବୌଦ୍ଧର ୧୮୦, ଦେବଗଡ଼ର ୧୦୨, ଢେଙ୍କାନାଳର ୯୫୧, ଗଜପତିର ୪୫, ଗଞ୍ଜାମର ୯୫୩, ଝାରସୁଗୁଡ଼ାର ୧୪୬, କଳାହାଣ୍ଡିର ୪୧୭, କନ୍ଧମାଳର ୧୬୦, କେନ୍ଦୁଝରର ୯୬୨, କୋରାପୁଟର ୨୦୦, ମାଲକାନଗିରିର ୭୧, ନବରଙ୍ଗପୁରର ୧୫୮, ନୟାଗଡ଼ର ୭୧୩, ନୂଆପଡ଼ାର ୧୧୦, ରାୟଗଡ଼ାର ୧୪୪, ସମ୍ବଲପୁରର ୨୭୫, ସୁବର୍ଣ୍ଣପୁର ଜିଲ୍ଲାର ୧୪୦ ଏବଂ ସୁନ୍ଦରଗଡ଼ର ୫୬୯ କର୍କଟ ରୋଗୀ ଚିକିତ୍ସିତ ହୋଇଥିଲେ। କର୍କଟ ରୋଗକୁ ନେଇ ସୂଚନା ଅଧିକାର ଆଇନରେ ଯେଉଁ ତଥ୍ୟ ଦିଆଯାଇଛି ତାହା ଅସ୍ପଷ୍ଟ। ଯଦି ସ୍ବାସ୍ଥ୍ୟ ବିଭାଗ ପାଖରେ ଜିଲ୍ଲାୱାରି କର୍କଟ ରୋଗର ପ୍ରକୃତ ତଥ୍ୟ ନାହିଁ ତେବେ ସେମାନେ ଏହାର ମୁକାବିଲା କିଭଳି କରିବେ? ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ରୋଗୀ ଭିମସାର, ଏମ୍‌କେସିଜି କିମ୍ବା ଏମ୍‌ସ ଭୁବନେଶ୍ବରରେ ଚିକିତ୍ସିତ ହୁଅନ୍ତି। ରାଜ୍ୟର ସର୍ବାଧିକ କର୍କଟ ରୋଗୀ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍‌ପିଟାଲ, ଏମ୍‌ସ ଦିଲ୍ଲୀ ଏବଂ ଦିଲ୍ଲୀସ୍ଥିତ ରାଜୀବ ଗାନ୍ଧୀ କର୍କଟ ଚିକିତ୍ସା ପ୍ରତିଷ୍ଠାନରେ ଅଛନ୍ତି।

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଚିକିତ୍ସା ଅନୁଷ୍ଠାନରେ ଚିକିତ୍ସିତ ରୋଗୀଙ୍କ ମଧ୍ୟରେ ସ୍ତନକର୍କଟ ରୋଗୀ ସର୍ବାଧିକ ୬୩୧୯ ଅଛନ୍ତି। ତା’ ପଛକୁ ମୁଖଗହ୍ବର କର୍କଟ ରୋଗୀ ୨୮୫୯, ଜରାୟୁ କର୍କଟ ୨୦୭୫ ଏବଂ ଅନ୍ୟାନ୍ୟରେ ୧୫ ହଜାର ୪୧୩ କର୍କଟ ରୋଗୀ ଅଛନ୍ତି।