ସରକାରଙ୍କ ବିଚିତ୍ର ନୀତି, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପାଇଁ ଉଦ୍ୟମ

ଭୁବନେଶ୍ବର: ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେଉଛି। ନିଯୁକ୍ତି ସୁଯୋଗ ସଂକୁଚିତ ହେବାରୁ ହଜାର ହଜାର ଯୁବକଯୁବତୀ ରୋଜଗାର ପାଉନାହାନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ବିଭାଗରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବା ପ୍ରକ୍ରିୟା ଥମୁନି। ପଦବି ପୂରଣ ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ଥଇଥାନ କରିବା ଉଦ୍ଦେଶ୍ୟରେ ସବୁ ଗଳାବାଟକୁ ଖୋଲା ରଖିଛନ୍ତି। ଯାହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୨୫୦ଟି କ୍ଷେତ୍ରୀୟ ପରିସଂଖ୍ୟାନ ସର୍ଭେୟର (ଏସ୍‌ଏଫ୍‌ଏସ୍‌) ପଦବିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାକୁ ନିକଟରେ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶକ ରାଜ୍ୟ ଉନ୍ନୟନ କମିସନରଙ୍କୁ ଚିଠି ଲେଖିବା ପରେ ଏହି କଥା ସାମନାକୁ ଆସିଛି। ପୁନଃନିଯୁକ୍ତି ପାଇବାକୁ ଥିବା କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଇୟରାସ୍‌ ଯୋଜନା ଅର୍ଥରୁ ଦରମା ଦେବାକୁ ଚଠିରେ ପ୍ରସ୍ତାବ ଦିଆଯାଇଛି।

ପରିସଂଖ୍ୟାନ ନିର୍ଦ୍ଦେଶକ ଲେଖଥିବା ଚିଠିରେ ଦର୍ଶାଇଛନ୍ତି ଯେ ରାଜ୍ୟସ୍ତରରେ ୧୧୮୫ଟି କ୍ଷେତ୍ରୀୟ ପରିସଂଖ୍ୟାନ ମୂଳ ପଦବି ରହିଛି। ସେଥିରୁ ୬୧% ଅର୍ଥାତ୍‌ ୭୨୩ଟି ପଦବି ଖାଲି ପଡ଼ିଛି। ଫଳରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଧାପ୍ରାପ୍ତ ହେଉଛି। ଏହାସହିତ ପରିସଂଖ୍ୟାନ କର୍ମଚାରୀମାନେ ଚାଷ ଜମି ପରିଦର୍ଶନ କରି ଫସଲର ଉତ୍ପାଦନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସମ୍ଭବ ହେଉନାହିଁ। ବିଶେଷକରି ଗଜପତି ଜିଲ୍ଲାରେ ୮୮% ଓ ମାଲକାନଗିରି ଜିଲ୍ଲାରେ ୮୬% କ୍ଷେତ୍ରୀୟ କର୍ମଚାରୀଙ୍କର ପଦବି ଖାଲିପଡ଼ିଛି। ଦେବଗଡ଼, କୋରାପୁଟ, ନୟାଗଡ଼, ନବରଙ୍ଗପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ପରି ଜିଲ୍ଲାରେ ଏହି କ୍ଷେତ୍ରୀୟ କର୍ମଚାରୀଙ୍କ ପଦବି ୭୦%ରୁ ଅଧିକ ଖାଲି ପଡ଼ିଥିବାବେଳେ ବଲାଙ୍ଗୀର, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଜିଲ୍ଲାରେ ୬୫ରୁ ୭୦% ଖାଲିପଡ଼ିଛି। କ୍ଷେତ୍ର ସ୍ତରରେ ସର୍ଭେ କର୍ମଚାରୀଙ୍କ ଏତେ ସଂଖ୍ୟକ ପଦବି ଖାଲିପଡ଼ିଥିବାରୁ ଏବେ ନିୟମିତ କାମ କରୁଥିବା ଏସ୍‌ଏଫ୍‌ଏସ୍‌ମାନଙ୍କୁ ଏକାଧିକ ଜିଲ୍ଲା ଦାୟିତ୍ବରେ ନିୟୋଜିତ କରିବାକୁ ପଡ଼ୁଛି। ଯଦିଓ ସରକାର ୫୨୯ଟି ପଦବି ପୂରଣ ପାଇଁ ଓଡ଼ିଶା ସବଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକନ୍‌ସନ୍‌ କମିସନଙ୍କୁ ଦାୟିତ୍ବ ଦେଇଛନ୍ତି, କିନ୍ତୁ ଏହି ନିଯୁକ୍ତି ପ୍ରକ୍ରିୟା ଓ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପାଇଁ ୧ ବର୍ଷ ସମୟ ଲାଗିବ। ମାସିକ ୧୩ ହଜାର ଟଙ୍କା ଦରମାରେ ୨୫୦ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି କ୍ଷେତ୍ରରେ ବାର୍ଷିକ ୩୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଆଉ ଏହି ଅର୍ଥ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ବାରା ପ୍ରଣୀତ ଇୟାରାସ୍‌ ଯୋଜନାରୁ ବହନ କରାଯାଇପାରିବ ବୋଲି ନିର୍ଦ୍ଦେଶକ ପ୍ରସ୍ତାବ ଦେଇଛନ୍ତି।

କର୍ମଚାରୀ ମହଲର କହିବା କଥା, ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକଯୁବତୀ ଅଛନ୍ତି। ଯଦି ମୂଳ ପଦବିରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାରେ ବିଳମ୍ବ ହେଉଛି ତାହେଲେ, ସେ କ୍ଷେତ୍ରରେ ଅସ୍ଥାୟୀ ଭାବେ ବେକାର ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେଇ ନିଯୁକ୍ତି ଦିଆଯାଇପାରିବ। ପରେ ସେମାନେ ସବଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍‌ସନ୍‌ ପରୀକ୍ଷାରେ ଉତୀର୍ଣ୍ଣ ହେବା ପରେ ନିୟମିତ ହୋଇପାରିବେ। କିନ୍ତୁ ସରକାରଙ୍କ ଏଥିପ୍ରତି ଆନ୍ତରିକତା ନାହିଁ। ପୂର୍ବରୁ ନିୟମ ରହିଛି, ଅବସରପ୍ରାପ୍ତ କର୍ମଚାରୀଙ୍କୁ କାମ ଚଳାଇବା ପାଇଁ ଅସ୍ଥାୟୀ ନିଯୁକ୍ତି ଦିଆଯାଇପାରିବ। ପରେ ନିୟମିତ କର୍ମଚାରୀ ନିଯୁକ୍ତି ପାଇଲେ ସେମାନଙ୍କୁ ସେହି ପଦବିରୁ ହଟାଯିବ। କିନ୍ତୁ ସାଧାରଣ ପ୍ରଶାସନ ବିଭାଗର ଏହି ନିୟମକୁ ପାଳନ କରାଯାଉନାହିଁ। ଏପରିକି ବହୁ ବିଭାଗରେ ଅବସରପ୍ରାପ୍ତ ପୁନଃନିଯୁକ୍ତି ଦେବା ଆଳରେ ଥଇଥାନ କରାଯାଉଛି। ସେମାନଙ୍କ ଅସ୍ଥାୟୀ କାର୍ଯ୍ୟକାଳ ପୂରିବା ପରେ ବି ଚାକିରିରୁ କଢ଼ାଯାଉନି। ଫଳରେ ଶିକ୍ଷିତ ବେକାର ଯୁବକ ଯୁବତୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ସାଧାରଣ ପ୍ରଶାସନ ବିଭାଗ, ଗୃହ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ନିର୍ମାଣ ଓ ଅର୍ଥ ବିଭାଗରେ ମାଳ ମାଳ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉଛି। ଏମିତିକି ଆବଶ୍ୟକତା ନ ଥାଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥଇଥାନ ନିଯୁକ୍ତି ଦିଆଯାଉଥିବା ଲୋକସେବା ଭବନର କେତେକ କର୍ମଚାରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର