ରାଜ୍ୟ ସରକାରଙ୍କ ଅଜବ ନୀତି : ଏଣିକି ଅବସରପ୍ରାପ୍ତ ଅଧିକାରୀ ହେବେ ବିଭାଗୀୟ ତଦନ୍ତ କମିସନର

ସିଡିଆଇ ପଦବିରେ ୨ ବର୍ଷିଆ ଅସ୍ଥାୟୀ ନିଯୁକ୍ତି ଦିଆଯିବ
ସାଧାରଣ ପ୍ରଶାସନ ଜାରି କଲା ନିର୍ଦ୍ଦେଶାବଳୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଅଫିସ ହେଉ କି ଗୃହ ବିଭାଗ। ଏପରିକି ଅର୍ଥ, ସମବାୟ, ଯୋଜନା ଓ ସମନ୍ବୟ ପରି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମାଳ ମାଳ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ପ୍ରଶାସନିକ ସ୍ତରରେ ସଂଖ୍ୟାବହୁଳ ଅଧିକାରୀ ଥିଲେ ବି ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ କରିବା ଯୋଜନାରୁ ସରକାର ଓହରିବାକୁ ଚାହୁଁନାହାନ୍ତି। ଏଣିକି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ତଦନ୍ତ କମିସନର (ସିଡିଆଇ) ଭାବେ ଅତିରିକ୍ତ ଶାସନ ସଚିବ କିମ୍ବା ତଦୁର୍ଦ୍ଧ ପାହ୍ୟାର ଅବରପ୍ରାପ୍ତ ଅଧିକାରୀଙ୍କୁ ୨ ବର୍ଷିଆ ଠିକା ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ଖୋଦ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଖୋଦ କର୍ମଚାରୀ ମହଲ ବି ଆଚମ୍ବିତ ହୋଇଛି। ସେମାନଙ୍କ ମତରେ ଅବସର ନେବା ପରେ ସମ୍ପୃକ୍ତ ଅଧିକାରୀଙ୍କ ଉତ୍ତରଦାୟିତ୍ବ ବୋଲି ଆଉ କିଛି ରହିଲାନି, ସେପରି ବ୍ୟକ୍ତିଙ୍କୁ ତଦନ୍ତ କମିସନର ପଦରେ ରଖିବା ଅର୍ଥ କଣ?

ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ସର୍ତ୍ତାବଳୀ ଅନୁଯାୟୀ, ସିଡିଆଇ ପଦରେ ନିଯୁକ୍ତ ହେବାକୁ ଥିବା ଅବସରପ୍ରାପ୍ତ ଅଧିକାରୀ ପୂର୍ଣ୍ଣକାଳୀନ ତଦନ୍ତକାରୀ କମିସନର ଭାବେ କାର୍ଯ୍ୟ କରିବେ। ଏଥିପାଇଁ ତାଙ୍କ ବୟସ ୬୨ ବର୍ଷରୁ ଅଧିକ ହୋଇନଥିବ। ଚାକିରି କାଳରେ ତାଙ୍କର ଚରିତ୍ର ପଞ୍ଜିକା ସ୍ବଚ୍ଛ ରହିଥିବା ବାଞ୍ଛନୀୟ। ଅନ୍ୟପଟେ ଯେଉଁ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କିମ୍ବା ତଦ୍‌ସଂକ୍ରାନ୍ତ ମାମଲା ରହିଥିବ, କୌଣସି ରାଜନୈତିକ ଦଳ ସହ ସଂଶ୍ଲିଷ୍ଟ ଥିଲେ ସମ୍ପୃକ୍ତ ଅଧିକାରୀଙ୍କୁ ସିଡିଆଇ ପଦବିରେ ନିଯୁକ୍ତି ମିଳିବନି। ଏଥିପାଇଁ ଗୋଟିଏ ଚୟନ କମିଟି ଗଠନ କରାଯାଇଛି। କମିଟିରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କିମ୍ବା ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ କିମ୍ବା ପ୍ରମୁଖ ଶାସନ ସଚିବ, ଏସ୍‌ସି-ଏସ୍‌ଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ କିମ୍ବା ପ୍ରମୁଖ ଶାସନ ସଚିବ ସଦସ୍ୟ ରହିଛନ୍ତି। ସଚିବଙ୍କ ବରିଷ୍ଠତା ଆଧାରରେ ଚୟନ କମିଟିର ଅଧ୍ୟକ୍ଷ ନିଯୁକ୍ତ ହେବେ। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ କିମ୍ବା ଯୁଗ୍ମ ଶାସନ ସଚିବ ଏହି କମିଟିର ଆବାହକ ଭାବେ କାର୍ଯ୍ୟ କରିବେ।

ନିଯୁକ୍ତି ପାଇବାର ପ୍ରଥମ ବର୍ଷ ପରେ ତାଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରି ପରବର୍ତ୍ତୀ ବର୍ଷ ପାଇଁ ପୁନଃନିଯୁକ୍ତି ଦିଆଯିବ। ପୁନଃନିଯୁକ୍ତି ପାଇଥିବା ଅଧିକାରୀ ଓଡ଼ିଶା ସରକାରଙ୍କ କର୍ମଚାରୀ ସେବା ଆଚରଣ ଅଧିନିୟମ ୧୯୫୯ ଅନୁଯାୟୀ ପରିଚାଳିତ ହେବେ। ତାଙ୍କର ଆଚରଣ ଓ ଉଚ୍ଚାରଣ ନେଇ ମଧ୍ୟ ଦାୟୀ ରହିବେ। ଏହି ପଦରେ ନିଯୁକ୍ତି ମିଳିଲେ ସମ୍ପୃକ୍ତ ସିଡିଆଇଙ୍କୁ ପାରିଶ୍ରମିକ ଆକାରରେ ନିର୍ଦ୍ଦିଷ୍ଟ ପରିମାଣର ମାସିକିଆ ଅର୍ଥ ପ୍ରଦାନ କରାଯିବ। ସିଡିଆଇ ପଦରେ ନିଯୁକ୍ତ ଅଧିକାରୀ ଆଉ କୌଣସି ସରକାରୀ ଓ ବେସରକାରୀ ସଂସ୍ଥା କିମ୍ବା ଲାଭଜନକ ପଦରେ ରହିପାରିବେ ନାହିଁ। ସରକାରୀ ରେକର୍ଡ଼, ତଦନ୍ତ ଅଗ୍ରଗତି ସଂକ୍ରାନ୍ତ ଫାଇଲର ଗୋପନୀୟତା ରକ୍ଷା ତାଙ୍କ ଉପରେ ନ୍ୟସ୍ତ ରହିବ। କମିସନର ପଦରେ ନିଯୁକ୍ତ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟକାଳ ପରେ କୌଣସି ମାସିକ ପେନ୍‌ସନ୍‌ ମିଳିବ ନାହିଁ। ନିଯୁକ୍ତି ପାଇବାର ପ୍ରଥମ ୬ ମାସରେ ସମ୍ପୃକ୍ତ ତଦନ୍ତ କମିସନରଙ୍କ କାର୍ଯ୍ୟଦକ୍ଷତା ସାଧାରଣ ପ୍ରଶାସନ ବିଭାଗ ସମୀକ୍ଷା କରିବ। ଦାୟିତ୍ବରେ ଅବହେଳା, ଭୁଲ ଆଚରଣ, ଅର୍ଥ ଠକେଇ, ସରକାରଙ୍କୁ କ୍ଷତି କଲାଭଳି କାର୍ଯ୍ୟରେ ଲିପ୍ତ ରହିଲେ, ସମ୍ପୃକ୍ତ ସିଡିଆଇଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇପାରିବ। ଯଦି କମିସନର ନିଜ ପଦରୁ ନିଜେ ଓହରିଯିବାକୁ ଚାହିଁବେ, ତାହେଲେ ୧ ମାସ ପୂର୍ବରୁ ସେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ କିମ୍ବା ସ୍ବତନ୍ତ୍ର ଶାସନ ସଚିବଙ୍କୁ ଲିଖିତ ନୋଟିସ ଦେବେ। ନୋଟିସ ସମୟ ଗଡ଼ିଯିବା ପରେ ପରବର୍ତ୍ତୀ ନବ ନିଯୁକ୍ତ ସିଡିଆଇଙ୍କୁ ସେ ତାଙ୍କ ଦାୟିତ୍ବ ହସ୍ତାନ୍ତର କରିବେ। ପୁନଃନିଯୁକ୍ତି ପାଇଥିବା ଅଧିକାରୀ ପୂର୍ବରୁ ଥିବା ସରକାରୀ କ୍ବାର୍ଟର୍ସରେ ରହିପାରିବେ। କିନ୍ତୁ ଏଥିପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଘରଭଡ଼ା ତାଙ୍କୁ ଦେବାକୁ ପଡ଼ିବ ବୋଲି ସର୍ତ୍ତାବଳୀରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର