କଟକ : ଗୋଟିଏ ଜାଗାରେ ନିଯୁକ୍ତି କିନ୍ତୁ ଶିକ୍ଷାଦାନ କରୁଛନ୍ତି ଅନ୍ୟ ଜାଗାରେ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକାମାନଙ୍କର ଏଭଳି ସ୍ଥିତି ଏବେ ଚିନ୍ତାର କାରଣ ହୋଇଛି। ବିଭାଗର ଏଭଳି ଅବସ୍ଥାରେ ଅଧ୍ୟାପକ ଅଧ୍ୟାପିକା ମାନେ ବି ଗଳାବାଟର ସୁଯୋଗ ନେଇ ନିଜ ସୁବିଧା ଅନୁସାର କାମ କରୁଛନ୍ତି। ଜଗତପୁର ଲକ୍ଷ୍ମୀନାରାୟଣ ସାହୁ କଲେଜର ଜଣେ ବରିଷ୍ଠ ପ୍ରାଧ୍ୟାପିକା ଦୀର୍ଘ ୮ବର୍ଷ ଧରି ନିଯୁକ୍ତି ପାଇଛନ୍ତି ଗୋଟିଏ କଲେଜ ପାଇଁ। ହେଲେ ପାଠ ପଢାଉଛନ୍ତି ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ କଲେଜରେ। ଠିକ୍ ସେହିପରି କଲେଜର ଅର୍ଥନୀତି ବିଭାଗର ମଞ୍ଜୁରୀ ପଦବି ନଥିବା ବେଳେ ସେହି ପଦବିରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ରହିଥିବା ସୂଚନା ମିଳିଛି। ଏଭଳି ବିଚିତ୍ର ବ୍ୟବସ୍ଥା ଯୋଗୁଁ କେଉଁଠି ଅଧ୍ୟାପକ ମରୁଡ଼ି ତ’ ଆଉ କେଉଁଠି ବିନା ପଦବି ମଂଜୁରୀରେ ନିଯୁକ୍ତି ପାଉଛନ୍ତି ଅଧ୍ୟାପକ/ଅଧ୍ୟାପିକା।
କଟକ ଉପକଣ୍ଠ ଜଗତପୁରସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ଡିଗ୍ରି ମହାବିଦ୍ୟାଳୟ ଦର୍ଶନ ବିଭାଗରେ ଜଣେ ପ୍ରାଧ୍ୟାପିକା ୨୦୧୨ମସିହାରେ ଯୋଗ ଦେଇଥିଲେ। ନାକ୍ ମାନ୍ୟତାପ୍ରାପ୍ତ ଉକ୍ତ ମହାବିଦ୍ୟାଳୟ ପରିସରରେ ଦୁଇଟି ଶିକ୍ଷାନୁଷ୍ଠାନ ଜଣେ ଅଧ୍ୟକ୍ଷଙ୍କ ଅଧୀନରେ କାର୍ଯ୍ୟ କରୁଛି। ଲକ୍ଷ୍ମୀନାରାୟଣ ସାହୁ (ଯୁକ୍ତ ୨) ଉଚ୍ଚମାଧ୍ୟମିକ ସ୍କୁଲ ଓ ଲକ୍ଷ୍ମୀନାରାୟଣ ସାହୁ (ଯୁକ୍ତ ୩) ଡିଗ୍ରି ମହାବିଦ୍ୟାଳୟ। ଏଯାଏ (ଯୁକ୍ତ ୩) ଡିଗ୍ରି ଶ୍ରେଣୀରେ ଦର୍ଶନ ବିଭାଗ ଖୋଲି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ସରକାର ଜଣେ ଉଚ୍ଚ ବେତନଭୋଗୀ ପ୍ରାଧ୍ୟାପିକାଙ୍କୁ ସେହି ଡିଗ୍ରି ମହାବିଦ୍ୟାଳୟରେ ଅବସ୍ଥାପିତ କରିଛନ୍ତି। ଠିକ୍ ସେହିପରି ଯୁକ୍ତ ତିନି ଅର୍ଥନୀତି ବିଭାଗରେ ମଞ୍ଜୁରୀପ୍ରାପ୍ତ ପଦବି ନ ଥାଇ ବି ସେହି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ହେଉଛନ୍ତି ଅର୍ଥନୀତିର ପ୍ରାଧ୍ୟାପକ। ସେ ୟୁଜିସି ସ୍କେଲରେ ଦରମା ପାଉଛନ୍ତି। ରାଜ୍ୟର ଅନେକ ଡିଗ୍ରି କଲେଜରେ ଉପରୋକ୍ତ ବିଷୟରେ ମଞ୍ଜୁରୀପ୍ରାପ୍ତ ପଦବି ଖାଲି ପଡିଛି। ଫଳରେ ଅନର୍ସ ନେଇ ପାଠ ପଢୁଥିବା ପିଲାମାନେ ଉତ୍କୃଷ୍ଟ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ୨୦୧୧ ମସିହାରେ ବି ଏଭଳି ଏକ ଘଟଣା କଲେଜରେ ଘଟିଥିବା ବେଳେ ହାଇକୋର୍ଟ ତାହାକୁ ବେଆଇନ ଦର୍ଶାଇଥିଲେ। ଜଣେ ପ୍ରାଣୀବିଜ୍ଞାନ ବିଭାଗର ପ୍ରାଧ୍ୟାପକଙ୍କୁ ସେଠାକୁ ବଦଳି କରାଯାଇ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। କିନ୍ତୁ ସେତେବେଳେ ଯୁକ୍ତ ୩ ବିଜ୍ଞାନ ସ୍ନାତକ ଶ୍ରେଣୀ ଉକ୍ତ କଲେଜରେ ଖୋଲି ନଥିଲା। ତେଣୁ ସଂପୃକ୍ତ ପ୍ରାଧ୍ୟାପକଙ୍କ ଏହି କଲେଜରେ ବିନା ମଞ୍ଜୁରୀପ୍ରାପ୍ତ ପଦବିରେ ଯୋଗଦାନ ସମ୍ପୂର୍ଣ୍ଣ ବେଆଇନ ଥିଲା ବୋଲି ହାଇକୋର୍ଟ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସରକାର ତାଙ୍କୁ ଅନ୍ୟତ୍ର ବଦଳି କଲେ। ଏଭଳି ସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ପୁଣି କିଭଳି ସେହି କଲେଜରେ ବିନା ମଞ୍ଜୁରୀପ୍ରାପ୍ତ ପଦବିରେ ଦୁଇ ଜଣ ପ୍ରାଧ୍ୟାପକଙ୍କୁ ନିଯୁକ୍ତି ଦେଇଛନ୍ତି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଏଭଳି ସ୍ଥିତି ରାଜ୍ୟର ଅନେକ କଲେଜରେ ରହିଥିବା ବେଳେ ଏହାର ତଦନ୍ତ ପାଇଁ ଓଡ଼ିଶା ପ୍ରଗତି ମଞ୍ଚର ଆବାହକ ଶୁଭେନ୍ଦୁ ମହାନ୍ତି ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/higher-education-department.jpg)