ପ୍ରଶାସନିକ ଖେଳ, ରାଜ୍ୟ ପାଇଁ କାଳ: ଆଇଏଏସ୍‌ ସ୍ତରରେ ଅଜବ ଦାୟିତ୍ୱ ବଣ୍ଟନ, କାହାକୁ ମେଞ୍ଚେ, କାହା ହାତରେ କେଞ୍ଚେ

ସର୍ବୋଚ୍ଚ ଦରମା ପାଉଛନ୍ତି, ଗୁରୁଦାୟିତ୍ବ ନାହିଁ
ସର୍ବଭାରତୀୟ ସେବା; ଡେପୁଟେସନରେ ଯିବେନି!

ଭୁବନେଶ୍ୱର : ଉନ୍ନୟନ କମିସନର, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ସ୍ବତନ୍ତ୍ର ରିଲିଫ୍ କମିସନର। ଏହି ତିନିଟି ପଦବିର କାହା ସହିତ କାହାର ସଂପର୍କ ନଥାଏ। ରାଜ୍ୟର ତିନି ତିନି ଜଣ ବରିଷ୍ଠ ଆଇଏଏସ୍ ଅଫିସର ଏସବୁ ଦାୟିତ୍ବ ପୃଥକ୍ ଭାବେ ସମ୍ଭାଳୁଥିଲେ। ଏବେ କିନ୍ତୁ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ହାତରେ ବର୍ଷାଧିକ ଧରି ଏହି ତିନିଟିଯାକ ଗୁରୁଦାୟିତ୍ବ ନ୍ୟସ୍ତ କରାଯାଇଛି।

ସ୍ବରାଷ୍ଟ୍ର ଏବଂ କୃଷି ଓ କୃଷକ ସଶକ୍ତୀକରଣ ହେଉଛି ରାଜ୍ୟ ସରକାରଙ୍କର ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ। ଓଡ଼ିଶା ପ୍ରଶାସନର ଦକ୍ଷ ଓ ପରାକ୍ରମୀ ଅଫିସରମାନଙ୍କୁ ଏହି ଦାୟିତ୍ବ ଦିଆଯିବାର ନଜିର ରହିଛି। ଏବେ କିନ୍ତୁ ଉଭୟ ବିଭାଗ ଦାୟିତ୍ବରେ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା ଅଛନ୍ତି। ଆହୁରି ବିସ୍ମୟର କଥା ହେଲା, ଶ୍ରୀ ଚୋପ୍ରା କୃଷି ଉତ୍ପାଦନ କମିସନର ଦାୟିତ୍ବରେ ବି। ଓଡ଼ିଶାର ୬୦ ପ୍ରତିଶତ ଲୋକଙ୍କ ଜୀବନ ଜୀବିକା ସହିତ ଯୋଡି ହୋଇଥିବା କୃଷି ବିଭାଗକୁ ନ୍ୟାୟ ମିଳୁଛି ତ?

orissadiary.com

ରାଜ୍ୟ ସରକାରଙ୍କ ରେଳବାଇ ସଂଯୋଜକ ମନୋଜ ମିଶ୍ରଙ୍କ ହାତରେ ଆଇଟି ବିଭାଗ। ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହିତ ବି ସଂପୃକ୍ତ। ସେହିଭଳି ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ହାତରେ ଇଡକୋ ଏବଂ ଦକ୍ଷତା ବିକାଶ ବିଭାଗ। ଏହି ଅଧିକାରୀମାନେ ପ୍ରତିଦିନ କାହାପାଇଁ କେତେ ସମୟ ଦେଉଛନ୍ତି?
କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ଆଇଏଏସ୍ (କ୍ୟାଡର) ନିୟମ, ୧୯୫୪ରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହାକୁ ଦେଶର ଅଧିକାଂଶ ରାଜ୍ୟ ବିରୋଧ କରୁଥିବା ବେଳେ ଓଡ଼ିଶା ପ୍ରାଶାସନିକ କରିଡରରେ କିନ୍ତୁ ନିଯୁକ୍ତି ଅସଙ୍ଗତିକୁ ନେଇ ସମାନ୍ତରାଳ ଭାବେ ବିତର୍କ ମୁଣ୍ଡ ଟେକିଲାଣି। କେନ୍ଦ୍ର ସରକାର କ୍ୟାଡ଼ର ନିୟମ ପରିବର୍ତ୍ତନ ପ୍ରସଙ୍ଗରେ ରାଜ୍ୟମାନଙ୍କୁ ୨୫ ତାରିଖ ସୁଦ୍ଧା ମତାମତ ଦେବାକୁ କଣ୍ଟ ଦେଇଥିଲେ।
ଓଡ଼ିଶା ସରକାର ଏ ପ୍ରସଙ୍ଗରେ ରହସ୍ୟଜନକ ନିରବତା ଅବଲମ୍ବନ କରୁଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ମତମନ୍ତବ୍ୟ ଦିଆଯାଇନାହିଁ।

ହେଲେ ଯେଉଁ ଦୁଇଟି କାରଣରୁ ରାଜ୍ୟ ପ୍ରଶାସନିକ କରିଡରରେ ଓଡ଼ିଶା ଆଇଏଏସଙ୍କ ନିଯୁକ୍ତି ପ୍ରସଙ୍ଗଟି ଚର୍ଚ୍ଚାକୁ ଆସିଛି; ସେଥିରୁ ଗୋଟିଏ ହେଲା, ହାତଗଣତି କିଛି ଅଧିକାରୀଙ୍କ ହାତରେ ଏବେ ପୁଳା ପୁଳା ଦାୟିତ୍ବ ଧରାଇ ଦିଆଯାଇଛି। ପ୍ରାଶାସନିକସ୍ତରରେ ହେଉଥିବା ନିଯୁକ୍ତିରେ ସର୍ବନିମ୍ନ ଭାରସାମ୍ୟ ନାହିଁ। ଦ୍ବିତୀୟଟି ହେଉଛି, ବିଭିନ୍ନ ରାଜ୍ୟ ସରକାର ଆଇଏଏସ୍ ଅଫିସର ଅଭାବ କଥା କହୁଛନ୍ତି; ଓଡ଼ିଶାରେ ବି ଏ ସମସ୍ୟା ଉତ୍କଟ। ଅଥଚ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପଦବିରେ ଥିବା ଅଧିକାରୀମାନଙ୍କୁ ‘ନିକମ୍ମା’ ଭଳି ବସାଇ ଦିଆଯିବା ପରେ ଅଫିସର ଅଭାବ ପ୍ରସଙ୍ଗକୁ ଆଳ ଖସିପାରିବକି ଓଡ଼ିଶା?

ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପାହ୍ୟାର ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଏବେ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ। ଏହି ପାହ୍ୟାର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ପରାଗ ଗୁପ୍ତାଙ୍କ ହାତରେ ସାଧାରଣ ଉଦ୍ୟୋଗ ବିଭାଗ। ନିକଟରେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ଯାଇଥିବା ମଧୁସୂଦନ ପାଢୀ ଏବେ ଓଡ଼ିଶା ଭାଷା ସଂସ୍କୃତି ବିଭାଗ ଦାୟିତ୍ବରେ। ଆଉ ବିଜୟ ଆରୋରା ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଅଛନ୍ତି। ଏଠାରେ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ସୁରେଶ ବଶିଷ୍ଠ ବି ଓଏସଡି ଅଛନ୍ତି। ଏହି ଅଫିସରଙ୍କ ପଦବି ଓ ନିଯୁକ୍ତିରୁ କଣ ସଙ୍କେତ ମିଳୁଛି?

ଆହୁରି କୌତୂହଳ କଥା ହେଉଛି ସାଧାରଣ ପ୍ରଶାସନ ବିଭାଗରେ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଅଛନ୍ତି ଏବଂ ତାଙ୍କ ହାତରେ ପର୍ଯ୍ୟଟନ ବିଭାଗ ରହିଛି। ଯଦିଓ ଶ୍ରୀଜଗନ୍ନାଥ ମନ୍ଦିରରେ ଜଣେ ସ୍ବତନ୍ତ୍ର ପ୍ରଶାସକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ନିର୍ଦେଶ େଦଇଛନ୍ତି ଓ ସରକାର ଏହାକୁ ଅନୁପାଳନ କରିବେ ବୋଲି ସମୟ ନେଇଛନ୍ତି; ତଥାପି ଆଜି ଦିନରେ ପୂର୍ତ୍ତ ସଚିବ ଡାକ୍ତର କ୍ରିଷନ କୁମାରଙ୍କ ହାତରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି ଏବଂ ପୁରୀ ପିକେଡିଏରେ ସେ ଅଧ୍ୟକ୍ଷ ଅଛନ୍ତି। ରାଜ୍ୟ ସରକାରରେ ଏକାଧିକ ମୁଖ୍ୟ ସଚିବ ସିନା ବଦଳିଗଲେଣି, ଗୃହ ଓ ନଗର ଉନ୍ନୟନ ବିଭାଗ କିନ୍ତୁ ଜି. ମାଥିଭାଥନନଙ୍କର ଯେମିତି ହସ୍ତମୁଦି ମାହାଲ ହୋଇ ରହିଛି। ସେ ସଂସଦୀୟ ବ୍ୟାପାର ଦାୟିତ୍ବରେ ବି ଅଛନ୍ତି। ରଂଜନା ଚୋପ୍ରାଙ୍କ ହାତରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଏବଂ ଏମଏସଏମଇ। ଭାସ୍କରଜ୍ୟୋତି ଶର୍ମାଙ୍କ ହାତରେ ବି ଦୁଇଟି ଦାୟିତ୍ବ। ଜଙ୍ଗଲ ଦାୟିତ୍ବ ଛାଡି ଆର୍ େରଘୁପ୍ରସାଦ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଦାୟିତ୍ବରେ। ଏବେ ସେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ସଚିବ। ରାଜଭବନ ସଚିବ ଦାୟିତ୍ବରେ ଥିବା ଶାଶ୍ବତ ମିଶ୍ର ଯେମିତି ଉଚ୍ଚଶିକ୍ଷା ଆଦି ଦାୟିତ୍ବରେ ଅଛନ୍ତି ଠିକ୍ ସେମିତି ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ମଧ୍ୟ ବାଣିଜ୍ୟ ଓ ପରିବହନ, ସୂଚନା ଓଲୋକସଂପର୍କ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ବରେ ଅଛନ୍ତି। ନୂଆଦିଲ୍ଲୀ ଆବାସିକ ଆୟୁକ୍ତରେ ଏବେ ଏକାଧିକ ଅଧିକାରୀ। କେନ୍ଦ୍ରୀୟ ଡେପୁଟେସନ ସରିବା ପରେ ବି ଦେବଯାନୀ ଚକ୍ରବର୍ତ୍ତୀ ସେଠାରେ କାହିଁକି ରହିବେ?

ସଂପ୍ରତି ଆଇଏଏସ୍ ଅଭାବ ପ୍ରସଙ୍ଗ ଏବେ ଜୋର ଧରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ନୂଆ ଓଡ଼ିଶା’ ଗଠନ ସଂକଳ୍ପ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ସରିବ କି ନାହିଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏସବୁକୁ ଦେଖି ବରିଷ୍ଠ ପ୍ରଶାସକ, ବୁଦ୍ଧିଜୀବୀ, ରାଜନୈତିକ ମହଲରେ ଓଡ଼ିଶାର ଆଇଏଏସ୍ ଅଫିସରଙ୍କ ନିଯୁକ୍ତି, ବଦଳି ଓ ସେମାନଙ୍କ କାର୍ଯ୍ୟକୁ ନେଇ ସମୀକ୍ଷା କରିବା ଆରମ୍ଭ କଲେଣି।

The Indian Express

ଓଡ଼ିଶାରେ ୨୪୮ଟି ଆଇଏଏସ୍ ପଦବି ରହିଛି। ଏଥିରୁ ୧୭୩ଟିରେ ସିଧା ଆଇଏଏସ୍ ଅଫିସର (ପ୍ରତ୍ୟକ୍ଷ) ନିଯୁକ୍ତି ପାଆନ୍ତି ଏବଂ ୭୫ଟି ପଦବି ରାଜ୍ୟ କ୍ୟାଡରରୁ ପଦୋନ୍ନତି ଭିତ୍ତିରେ ପୂରଣ ହେବାର ନିୟମ ରହିଛି। ଏଥିରୁ ପାଖାପାଖି ୬୦ରୁ ଅଧିକ ପଦବି ଖାଲି ପଡ଼ିଛି। ୫୪ ଜଣ କେନ୍ଦ୍ରୀୟ ଡେପୁଟେସନରେ ଯିବା କଥା। ୨୮ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଓ ୨ଜଣ ଅନ୍ତଃରାଜ୍ୟ ଡେପୁଟେସନରେ ଯାଇଛନ୍ତି।

ବରିଷ୍ଠ ପ୍ରଶାସକମାନଙ୍କର କହିବା କଥା ହେଉଛି ଯେ ଆଇଏଏସ୍ ହେଉଛି ସର୍ବଭାରତୀୟ ଚାକିରି। ଏଥିରେ ଯଦି ଅଫିସରମାନେ କେନ୍ଦ୍ରରେ ତାଙ୍କ ଚାକିରି କାଳର ସର୍ବନିମ୍ନ ୨୦ ପ୍ରତିଶତ ସମୟ ଅତିବାହିତ ନ କରିବେ, ତେବେ ଏହାର ମୂଳ ଉଦ୍ଦେଶ୍ୟ ସାଧିତ ହେବନାହିଁ। ସେମାନଙ୍କୁ ସର୍ବଭାରତୀୟ ସେବାର ଅଫିସର ବୋଲି କାହିଁକି କୁହାଯିବ? ସର୍ବୋପରି ସେମାନଙ୍କର ଦୃଷ୍ଟିଭଙ୍ଗୀ ବ୍ୟାପକ ହୋଇନପାରେ ବରଂ ସଙ୍କୁଚିତ ହୋଇଯିବାର ନଜିର ରହିଛି। ଏହାଦ୍ବାରା ସେମାନଙ୍କ ବ୍ୟକ୍ତିଗତ କ୍ୟାରିଅର ପ୍ରଭାବିତ ହେବ ଏବଂ ସଂପୃକ୍ତ ରାଜ୍ୟର ବିକାଶ ପ୍ରକ୍ରିୟା ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିବ। ଏଣୁ ସର୍ବଭାରତୀୟ ସେବାର ଅଧିକାରୀମାନେ ଚାକିରି ଆରମ୍ଭ କରିବାର ୯ରୁ ୧୫ବର୍ଷ ମଧ୍ୟରେ ଥରେ କେନ୍ଦ୍ରୀୟ ଡେପୁଟେସନକୁ ଗଲେ, ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ଏବଂ ସର୍ବୋପରି ସଂପୃକ୍ତ ଅଧିକାରୀଙ୍କ ପାଇଁ ବହୁତ ଉପାଦେୟ ବୋଲି ଧରିନିଆଯାଇପାରିବ। କିନ୍ତୁ ଓଡ଼ିଶା ପ୍ରଶାସନରେ ଅନେକ ଅଫିସର ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲେ ବି ଥରୁଟିଏ କେନ୍ଦ୍ରକୁ ଯାଇନାହାନ୍ତି।

ଅନ୍ୟ ଗୋଟିଏ ସମସ୍ୟା ଏବେ ରାଜ୍ୟରେ ଉତ୍କଟ ହେଲାଣି। ତାହା ହେଲା, କେନ୍ଦ୍ର ସରକାର ଓଡ଼ିଶାର ଆଇଏଏସଙ୍କୁ କେନ୍ଦ୍ରରେ ଅତିରିକ୍ତ ସଚିବ ଏବଂ ସଚିବ ଆଦି ଗୁରୁତ୍ବପୂର୍ଣ୍ଣ ପାହ୍ୟାକୁ ପଦୋନ୍ନତି ବେଳେ କୁନ୍ଥକୁନ୍ଥ ହେଉଛନ୍ତି। ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ତାଙ୍କ କ୍ୟାରିଅର ଉପରେ ଜବରଦସ୍ତ ଚୋଟ ମାରୁଛନ୍ତି। ଏହାଦ୍ବାରା ଆଗକୁ କେନ୍ଦ୍ରରେ ସର୍ବୋଚ୍ଚ ପଦବିରେ ଓଡ଼ିଶା କ୍ୟାଡର ଅଫିସର ନ ରହିଲେ ଆଶ୍ଚର୍ଯ୍ୟ ହେବାର ନାହିଁ।
ପୁଣି କିଛି ଅଫିସରଙ୍କ କେନ୍ଦ୍ରୀୟ ଡେପୁଟେସନକୁ ରାଜ୍ୟ ଅନୁମତି ଦେଉଥିଲେ ମଧ୍ୟ ସେମାନଙ୍କୁ ସେଠାରେ ନିଯୁକ୍ତି ମିଳୁନି। ଏସବୁ ଘଟଣାକୁ ରାଜ୍ୟ ସରକାର ଏବେ ଗମ୍ଭୀରତାର ସହିତ ନେବାର ବେଳ ଆସିଛି।

ଏହି ମହଲ ଆଉ ଏକ ସଙ୍ଗିନ୍ ପ୍ରସଙ୍ଗ ଉଠାଉଛନ୍ତି। ତାହା ହେଲା, ଯଦି ଅଫିସରମାନେ ପ୍ରଭାବୀ ବା ଉଲ୍ଲେଖନୀୟ ପ୍ରଦର୍ଶନ କରୁନାହାନ୍ତି, ସେମାନଙ୍କୁ ପଦୋନ୍ନତି କାହିଁକି ଦିଆଯାଉଛି। ଅଫିସରମାନଙ୍କୁ ସର୍ବୋଚ୍ଚ ପାହ୍ୟାକୁ ପଦୋନ୍ନତି ଦିଆଯାଉଛି, ସେମାନେ ତାଙ୍କ କ୍ୟାରିଅରର ସବୁକିଛି ହାସଲ ସହିତ ଦରମା ପାଉଛନ୍ତି। ଅଥଚ ରାଜ୍ୟ ସେବା ପାଉନି। ସାଧାରଣ ଲୋକଙ୍କ ଟିକସ ସହିତ ଏହା ଖେଳ। ଏହାଦ୍ବାରା ସଂପୃକ୍ତ ଅଧିକାରୀ ଯେତିକି କ୍ଷତିଗ୍ରସ୍ତ ହେଉନାହାନ୍ତି, ରାଜ୍ୟ ତା ଠାରୁ ଢେର୍ ଅଧିକ କ୍ଷତି ସହୁଛି।

ସମ୍ବନ୍ଧିତ ଖବର