ଉଚ୍ଚଶିକ୍ଷା ବିଭାଗର ବିଚିତ୍ର ନିୟମ: ଏଣିକି ଅଫ୍‌ଲାଇନ୍‌ରେ ସେମିଷ୍ଟର ପରୀକ୍ଷା

ହ୍ୱାଟ୍‌ସଆପ୍‌ରେ ନିର୍ଦେଶ ଦେଲେ ବିଭାଗୀୟ ସଚିବ, ବଢ଼ୁଛି ଛାତ୍ର ଅଶାନ୍ତି, ବଦନାମ ହେଉଛି ଶିକ୍ଷାନୁଷ୍ଠାନ

କେଉଁଠି ପ୍ରମୋସନ ତ ଆଉ କେଉଁଠି ପରୀକ୍ଷା

ଭୁବନେଶ୍ୱର : କରୋନା ବିଗାଡ଼ି ଦେଇଛି ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଠିକ୍‌ ଭାବେ ପାଠପଢ଼ା ହେଉନି କି ପରୀକ୍ଷା କରାଯାଉ ନାହିଁ। କେତେବେଳେ ଅନ୍‌ଲାଇନ୍‌ ପାଠପଢ଼ା ତ ଆଉ କେତେବେଳେ ଅଫ୍‌ଲାଇନ୍‌ ପରୀକ୍ଷା। ଏହାରି ଭିତରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଥରକୁ ଥର ନିୟମ ପରିବର୍ତନ କରି ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିବାକୁ ପଛାଉ ନାହାନ୍ତି। ଘଡ଼ିକେ ଘୋଡ଼ା ଛୁଟିଲା ପରି ମାସେ ଭିତରେ ବିଶ୍ବବିଦ୍ୟାଳୟ ଓ କଲେଜ କର୍ତୃପକ୍ଷଙ୍କ ଲାଗି ନୂଆ ନିୟମ ଜାରି କରୁଛନ୍ତି। ଯାହାର ପରିମାଣ ଭୋଗୁଛନ୍ତି ରାଜ୍ୟର ଲକ୍ଷାଧିକ ମେଧାବୀ ଛାତ୍ରଛାତ୍ରୀ।

ଅଗଷ୍ଟ ମାସରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ବିଜ୍ଞପ୍ତି ଜାରି କରି କହିଲେ ବିଶ୍ବବିଦ୍ୟାଳୟଗୁଡ଼ିକ ନିଜ ନିଜ ସ୍ତରରେ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ ମୋଡ୍‌ରେ ସେମିଷ୍ଟର ପରୀକ୍ଷା କରିପାରିବେ। ଯାହାକୁ ଆଧାର କରି ବିଶ୍ବବିଦ୍ୟାଳୟଗୁଡ଼ିକ ପିଜି ଦ୍ବିତୀୟ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ନିଷ୍ପତ୍ତି ନେଲେ। ଏନେଇ ବିଜ୍ଞପ୍ତି ବି ପ୍ରକାଶ ମଧ୍ୟ କଲେ। ମାତ୍ର ପରୀକ୍ଷା ବେଳକୁ ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ରଙ୍କ ନୂଆ ନିୟମ ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କୁ ଏବେ ହରଡ଼ଘଣାରେ ପକାଇଛି। ସଚିବ ଶ୍ରୀ ମିଶ୍ର ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଜରିଆରେ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ କହିଛନ୍ତି ଯେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବାରୁ ଡିସେମ୍ବର ପହିଲାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଅଫ୍‌ଲାଇନ୍‌ରେ ସେମିଷ୍ଟର ପରୀକ୍ଷା କରାଯିବ। ଏଦିଗରେ ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକୁ କହିଛନ୍ତି। ମାତ୍ର ବିଧିବଦ୍ଧ କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି।

ଏହାରି ଭିତରେ ଅଗଷ୍ଟ ମାସ ବିଜ୍ଞପ୍ତି ଆଧାରରେ କେତେକ ବିଶ୍ବବିଦ୍ୟାଳୟ ଅନ୍‌ଲାଇନ୍‌ରେ ପିଜି ଦ୍ବିତୀୟ ସେମିଷ୍ଟର ପରୀକ୍ଷା ଶେଷ କରିଛନ୍ତି। ଆଉ କିଛି ଶିକ୍ଷାନୁଷ୍ଠାନ ବିକଳ୍ପ ମୂଲ୍ୟାୟନ ଜରିଆରେ ପିଲାଙ୍କୁ ପରବର୍ତୀ ସେମିଷ୍ଟରକୁ ପଦୋନ୍ନତି କରାଇଛନ୍ତି। ତେବେ ଏପର୍ଯ୍ୟନ୍ତ ପିଜି ଦ୍ବିତୀୟ ଓ ୟୁଜି ୪ର୍ଥ ସେମିଷ୍ଟର ପରୀକ୍ଷା କରି ନ ଥିବାରୁ କେତେକ ଶିକ୍ଷାନୁଷ୍ଠାନ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଅନ୍‌ଲାଇନ୍‌ରେ ପରୀକ୍ଷା ହେବା ନେଇ ଛାତ୍ରଛାତ୍ରୀଙ୍କୁ ଆଗରୁ ସୂଚନା ଦିଆଯାଇଥିବାରୁ ଏବେ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବା ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କିଛି ଦିନ ତଳେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଚଳିତ ସପ୍ତାହରେ ଫକୀର ମୋହନ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ବେସିକ୍‌ ସାଇନ୍ସ କଲେଜ‌ରେ ମଧ୍ୟ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିଲା। ଏହାଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକ ଉପରେ ଚାପ ପଡ଼ୁଥିବା ନେଇ ଆଲୋଚନା ହେଉଛି।

କରୋନା କାଳରେ ସାରା ରାଜ୍ୟର ବିଶ୍ବବିଦ୍ୟାଳୟ ଲାଗି ଗୋଟିଏ ନିର୍ଦ୍ଦିଷ୍ଟ ଶିକ୍ଷା କ୍ୟାଲେଣ୍ଡର ଜାରି କରାଯାଇ ନ ଥିବାରୁ ବାରମ୍ବାର ଏଭଳି ସମସ୍ୟା ହେଉଥିବା ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି। କରୋନାର ନୂଆ ଭାରିଏଣ୍ଟକୁ ନେଇ ଏବେ ସାରା ବିଶ୍ବରେ ଭୟ ଘାରିଛି। ଯେଉଁଥିପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକରେ ସମାବର୍ତନ ଉତ୍ସବ ନ କରିବାକୁ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ନିଷ୍ପତ୍ତି ନେଇଛନ୍ତି। ଏଭଳି ସମୟରେ ଅଫ୍‌ଲାଇନ୍‌ ପରୀକ୍ଷା କରାଇବାକୁ ଛାତ୍ରଛାତ୍ରୀ ବିରୋଧ କଲେଣି। ସେହିପରି ବିଶ୍ବବିଦ୍ୟାଳୟଗୁଡ଼ିକ ସ୍ବୟଂଶାସିତ ବୋଲି ରାଜ୍ୟ ସରକାର କହୁଥିଲେ ମଧ୍ୟ ବାରମ୍ବାର ଉଚ୍ଚଶିକ୍ଷା ବିଭାଗ ଅଧିକାରୀମାନଙ୍କ ହସ୍ତକ୍ଷେପ କେତେଦୂର ଯୁକ୍ତିଯୁକ୍ତ ତାହାକୁ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର