ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଅଜବ ନିୟମ: ଦଶମରେ ଗଣିତ ନ ଥିଲେ +୨ରେ ବିଜ୍ଞାନ, ବାଣିଜ୍ୟ ପଢ଼ିବା ମନା

ଭୁବନେଶ୍ବର: ଦଶମ ଶ୍ରେଣୀରେ ଗଣିତ ବିଷୟରେ ଶିକ୍ଷା‌ ଗ୍ରହଣ କରି ନ ଥିଲେ ଯୁକ୍ତ୨ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ ନାହିଁ। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ଚାଲିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏଭଳି ଏକ ଅଜବ ନିର୍ଦ୍ଦେଶବଳି ପ୍ରସ୍ତୁତ କରାଯାଇଛି। ଏହାଦ୍ବାରା ସିଆଇଏସ୍‌ସିଇ, ସିବିଏସ୍‌ଇ ବୋର୍ଡ ଅଧୀନରେ ଦଶମ ପାସ୍‌ କରିଥିବା ବହୁ ଛାତ୍ରଛାତ୍ରୀ ଯୁକ୍ତ୨ରେ ନାମଲେଖାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଆଗରୁ କୌଣସି ସୂଚନା ନ ଦେଇ ହଠାତ୍‌ ଏଭଳି ନିୟମ ପ୍ରଣୟନ କରାଯିବା ଦ୍ବାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ବିଶେଷକରି ଉପାନ୍ତ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଏବେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ରାଜ୍ୟ ସରକାର ତୁରନ୍ତ ଏଭଳି ଘଟଣାରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଶିକ୍ଷାବିତ ଓ ଅଭିଭାବକ ଦାବି କରିଛନ୍ତି।

ସରକାରଙ୍କ ଏଭଳି ନିୟମ ଦ୍ବାରା କୋରାପୁଟ ଜିଲ୍ଲା ଜୟପୁରର ଜଣେ ଛାତ୍ର ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି। ସିଆଇଏସ୍‌ସିଇ ବୋର୍ଡ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ର ଜଣକ ଇଂରାଜୀରେ ୮୫%, ହିନ୍ଦୀରେ ୯୦%, ଇତିହାସରେ ୮୬%, କମର୍ସିଆଲ୍‌ ଷ୍ଟଡିଜ୍‌ରେ ୯୮%, ଅର୍ଥନୀତିରେ ୮୮% ଓ ଫିଜିକାଲ ସାଇନ୍ସ‌ରେ ୯୯% ମାର୍କ ରଖି ଗ୍ରେଡ୍‌-ଏରେ କୃତକାର୍ଯ୍ୟ ହୋଇଛନ୍ତି। ସବୁଥିରେ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ସେ ଯୁକ୍ତ୨ ବିଜ୍ଞାନ ବିଭାଗରେ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ବିଜ୍ଞାନ ବିଭାଗରେ ନାମ ଲେଖା‌ଇବାକୁ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ। ଏହା ଏକ ଉଦାହରଣ ମାତ୍ର। ଏଭଳି ଅନେକ ଛାତ୍ରଛାତ୍ରୀ ଏବେ ସରକାରଙ୍କ ନୂଆ ନିୟମର ଶିକାର ହୋଇଛନ୍ତି।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଇଣ୍ଟରନେସନାଲ ହ୍ୟୁମାନ ରାଇଟ୍ସ କମିସନର ରାଜ୍ୟ ସଭାପତି ଶିବ ସୁନ୍ଦର ସ୍ୱାଇଁ, ଯୁଗ୍ମ ନିର୍ଦେଶକ ଶଶାଙ୍କ ଶେଖର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ସଭାପତି ନାରାୟଣ ସାହୁ ଆଜି ଉଚ୍ଚ ମାଧ୍ୟାମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ବିକାଶ ମହାପାତ୍ରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ନିୟମ ବିଷୟରେ ବହୁ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବାର ଆବଶ୍ୟକତା ଥିଲା। ଏ ବିଷୟରେ ଆଗରୁ ଜାଣିଥିଲେ ପିଲାମାନେ ଦଶମ ଶ୍ରେଣୀରେ ଗଣିତରେ ଶିକ୍ଷା ଗ୍ରହଣ କରିଥାନ୍ତେ। କାରଣ ସିଆଇଏସ୍‌ସିଇ ବୋର୍ଡରେ ଗଣିତ ବିଷୟକୁ ବାଧ୍ୟତାମୂଳକ କରାଯାଇ ନାହିଁ। ଏହା ଏକ ଇଚ୍ଛାଧୀନ ବିଷୟ ହୋଇଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ତାହାକୁ ବିଷୟ ଭାବେ ରଖିନାହାନ୍ତି। ଯଦି ରାଜ୍ୟ ସରକାରଙ୍କ ଏଭଳି କିଛି ନିୟମ କରିବାର ଥିଲା ତେବେ ଛାତ୍ରଛାତ୍ରୀଙ୍କ ପଢିବା ପୂର୍ବରୁ ଲାଗୁ କରିଥିଲେ ହୁଏତ କୌଣସି ବାଧା ଆସିନଥାନ୍ତା। କିନ୍ତୁ ପରୀକ୍ଷା ଫଳ ବାହାରି ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପରେ ନିୟମକୁ ଆଧାର କରି କଲେଜ କର୍ତ୍ତୃପକ୍ଷ ବହୁ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ୍‌ କରୁଛନ୍ତି। ଏହାଦ୍ବାରା ‌ସେହି ପିଲାଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି। ଏବେ ପିଲାମାନେ କ’ଣ କରିବେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଶ୍ରୀ ମହାପାତ୍ର ଇଣ୍ଟରନେସନାଲ ହ୍ୟୁମାନ ରାଇଟ୍ସ କମିସନର ପ୍ରତିନିଧିଙ୍କୁ କହିଛନ୍ତି ଯେ ଉଚ୍ଚସ୍ତରୀୟ କମିଟି ବୈଠକରେ ଏଭଳି ନିୟମ ହୋଇଛି। ଆମେ କିଛି କରିପାରିବୁ ନାହିଁ।

ସମ୍ବନ୍ଧିତ ଖବର