ବରଗଡ଼ରେ ବିଚିତ୍ର ସ୍ଥିତି : କୁଆଡ଼େ ଗଲେ ଶ୍ରମିକ? ବିଲରେ ନାହାନ୍ତି, ଦାଦନ ବି ଯାଇନାହାନ୍ତି
ବରଗଡ଼ : ଏବେ ଜିଲ୍ଲାରେ ଦେଖା ଦେଇଛି ଶ୍ରମିକ ସଂକଟ। ସବୁ କ୍ଷେତ୍ରରେ ଶ୍ରମିକ ଅଭାବ। ତେବେ ପ୍ରଶ୍ନ ଉଠୁଛି, ଶ୍ରମିକ ଗଲେ କୁଆଡ଼େ? ନା ବିଲରେ ଶ୍ରମିକଙ୍କୁ ଦେଖିବାକୁ ମିଳୁଛି ନା ମନେରେଗା କାମରେ। ଏଣେ କୋଭିଡ୍ ବାଟ ଓଗାଳି ଥିବାରୁ ବହୁ ଶ୍ରମିକ ଦାଦନ ଖଟିବାକୁ ବି ଯାଇନାହାନ୍ତି । ମନରେଗା କାମରେ ବି ପର୍ଯ୍ୟାପ୍ତ ଶ୍ରମିକଙ୍କୁ ରୋଜଗାର ମିଳିନାହିଁ। ଗ୍ରାଉଣ୍ଡ ଜିରୋ ରିପୋର୍ଟ ଅସଲରେ ଶ୍ରମିକଙ୍କ କରୁଣ ଦୃଶ୍ୟ ବୟାନ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗାଇସିଲାଟ୍ ବ୍ଲକ୍ର ବିଭିନ୍ନ ଗାଁରୁ ଉଦ୍ବେଗଜନକ ତଥ୍ୟ ସାମନାକୁ ଆସିଛି। ଏଠାରୁ ପ୍ରତିବର୍ଷ ଦାଦନ ଖଟିବାକୁ ଶହେ ପାଖାପାଖି ପରିବାର ବାହାର ରାଜ୍ୟକୁ ଯାଇଥାନ୍ତି। କରୋନା ପାଇଁ ଲକ୍ଡାଉନ୍ ପୂର୍ବରୁ ଦାଦନମାନେ ନିଜ ଭିଟାମାଟିକୁ ଫେରି ଆସିଥିଲେ। ଦୀର୍ଘ ୯ମାସ ହେଲା ସେମାନଙ୍କ ପାଖରେ କାମଧନ୍ଦା ନାହିଁ। କରୋନା ପାଇଁ ବାହାର ରାଜ୍ୟରେ କଳକାରଖାନା ବି ସ୍ବାଭାବିକ ଭାବେ ଖୋଲି ନାହିଁ। ଏଣେ ଯିବା ପାଇଁ ଟ୍ରେନ୍ ସୁବିଧା ଉପଲବ୍ଧ ନାହିଁ। ମନରେଗା ଯୋଜନାରେ ଶ୍ରମିକଙ୍କୁ ସ୍ଥାନୀୟ ଅଂଚଳରେ କାମ ଦେବାକୁ ତ୍ବରିତ ପଦକ୍ଷେପ ନେବାକୁ ସରକାର କହିଥିଲେ। କିନ୍ତୁ ମନରେଗା ହିଁ ଶ୍ରମିକଙ୍କୁ ଧୋକା ଦେଇଛି। ପୂର୍ବରୁ ଗାଇସିଲାଟ୍ ବ୍ଲକ୍ରେ ହିଁ ଏହାର ଝଲକ୍ ଦେଖିବାକୁ ମିଳିଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ କଟାବାହାଲ ପଞ୍ଚାୟତ ଗିଦମାଲ୍ ଗାଁରେ ମନରେଗା ଯୋଜନାରେ ନୂଆ ବନ୍ଧ ମାଟି ଖୋଳା ପାଇଁ ୯.୫୦ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା l ଏହି ପ୍ରକଳ୍ପରେ ଆଦୌ କାମ କରିନଥିବା କିଛି ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ପଡ଼ିଥିଲା। ଅଥଚ କାମ କରିଥିବା ଶ୍ରମିକଙ୍କ ପାଉଣା ମିଳିବାରେ ବିଳମ୍ବ ହୋଇଥିଲା। ଏହି ମାମଲାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମାମଲାର ବର୍ତମାନ ବି ସମାଧାନ ହୋଇନାହିଁ। ବର୍ତମାନ ଦାଦନ ପ୍ରବଣ ଗାଇସିଲାଟ୍, ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁର ଇଲାକାରେ ଜୋର୍ସୋର୍ ମନରେଗା କାମ ଚାଲିଛି। ଏଠାରେ ଶ୍ରମିକଙ୍କୁ ଦୈନିକ ୩୦୩.୪୦ ଟଙ୍କା ପ୍ରାପ୍ୟ ରହିଛି। ହଜାର ହଜାର ଶ୍ରମିକ କାମରେ ନିୟୋଜିତ ଥିବା ପ୍ରଶାସନ କହୁଛି। କିନ୍ତୁ ଅଧିକାଂଶ ଶ୍ରମିକ କାମ ପାଉନଥିବା କହୁଛନ୍ତି।
ଜିଲ୍ଲାର ଅନ୍ୟ ବ୍ଲକ୍ଗୁଡ଼ିକରେ ମନରେଗା ଶ୍ରମିକଙ୍କ ପାଇଁ ଦୈନିକ ପ୍ରାପ୍ୟ ୨୦୭ଟଙ୍କା ରହିଛି। କିନ୍ତୁ ସେଠାରେ ଶ୍ରମିକ କାମ କରିବାକୁ ଯାଉନାହାନ୍ତି। ସ୍ଥିତି ଏଭଳି ଯେ ଶ୍ରମିକମାନେ ଖରିଫ୍ ଧାନ କଟା ପାଇଁ ମଧ୍ୟ ମିଳୁନାହାନ୍ତି। ତେଣୁ ଶ୍ରମିକ ଗଲେ କୁଆଡ଼େ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଅନୁସନ୍ଧାନରୁ ଏହାର କାରଣ ବି ଜଣାପଡ଼ିଛି। ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଲୋକେ କଳକାରଖାନା କିମ୍ବା ଇଟାଭାଟିରେ ମୁଖ୍ୟତଃ କାମ କରିଥାନ୍ତି। ତେଣୁ ଧାନ କଟା, ମାଟି ବୁହା ଆଦି କାର୍ଯ୍ୟରେ ସେମାନଙ୍କ ଅଭିଜ୍ଞତା ନାହିଁ। ଏହାବାଦ୍ ମନରେଗାର ମାଟି କାମ ପାଇଁ ସେମାନଙ୍କ ଆଗ୍ରହ ନାହିଁ। ଫଳରେ ଜିଲ୍ଲା ବ୍ୟାପୀ ଶ୍ରମିକ ସଂକଟ ମୁଣ୍ଡ ଟେକିଛି। ଶ୍ରମିକ ଅଭାବ ଯୋଗୁଁ ଧାନ ବିଲରୁ କଟୁନାହିଁ। ଫଳରେ ଖରିଫ୍ ଧାନ କିଣା ବି ମନ୍ଥର ରହିଛି।