ବାରିପଦା: ଦେଶର ହାତଗଣତି ଅଭୟାରଣ୍ୟରେ ମହାବଳ ବାଘଙ୍କ ଉପସ୍ଥିତି ଥିବା ବେଳେ ଏଥିରୁ ଅନ୍ୟତମ ମୟୂରଭଞ୍ଜର ଶିମିଳିପାଳ। ଜୈବ ବିବିଧତା ପାଇଁ ବିଶ୍ବପ୍ରସିଦ୍ଧ ଏହି ଅଭୟାରଣ୍ୟରେ ୨୦ରୁ ଅଧିକ ମହାବଳ ଅଛନ୍ତି। ତେବେ କୌଣସି କାରଣରୁ ଏଠାରେ ମହାବଳ ବାଘଙ୍କ ଶରୀର ରଙ୍ଗ ବଦଳିବାରେ ଲାଗିଛି। ସାଧାରଣତଃ ମହାବଳର ରଙ୍ଗ ହଳଦିଆ ହୋଇଥିବା ବେଳେ ଦେହ ଉପରେ କଳା ରଙ୍ଗର ପଟାପଟା ଦାଗ ରହିଥାଏ। ହେଲେ ଏଠାରେ ବାଘଙ୍କ ରଙ୍ଗ ହଳଦିଆ ପରିବର୍ତ୍ତେ କଳା ହେବାରେ ଲାଗିଛି। ଅଭୟାରଣ୍ୟରେ ଲାଗିଥିବା କ୍ୟାମେରାରେ ଏଭଳି କିଛି ବାଘଙ୍କ ଫଟୋ ଦେଖିବା ପରେ ଖୋଦ୍ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ବି ହରଡ଼ଘଣାରେ ପଡ଼ିଛନ୍ତି। ସଂକ୍ରମଣଜନିତ ରୋଗ, ଜିନ୍ ପରିବର୍ତ୍ତନ ବା ଅନ୍ୟ କୌଣସି କାରଣରୁ ବ୍ୟାଘ୍ରଙ୍କ ସ୍ବାଭାବିକ ରଙ୍ଗ ବଦଳୁଛି, ତାର କାରଣ ଖୋଜିବାକୁ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ।
ପୂର୍ବରୁ ଶିମିଳିପାଳରେ ୧୮ଟି ମହାବଳ ଥିବା ବେଳେ ନିକଟରେ ପ୍ରକାଶିତ ଜାତୀୟ ବାଘ ଗଣନା ରିପୋର୍ଟ ଅନୁଯାୟୀ ଏବେ ୨୦ଟି ବାଘ ଅଛନ୍ତି। ଚାରିଆଡ଼େ ବାଘବଂଶ ହ୍ରାସ ପାଇଥିବା ବେଳେ ଏଠାରେ ବ୍ୟାଘ୍ର ବଂଶ ବୃଦ୍ଧି ଏକ ଖୁସି ଖବର। ତେବେ ବାଘ ଗଣନା ପାଇଁ ଶିମିଳିପାଳ କୋର୍ ଏରିଆରେ ଲାଗିଥିବା କ୍ୟାମେରାରେ ମହାବାଳ ବାଘମାନଙ୍କ ଯେଉଁ ଫଟୋ କଏଦ ହୋଇଛି ସେଥିରୁ ବାଘର ରଙ୍ଗ ହଳଦିଆ ବଦଳରେ କଳା ପଡ଼ିଥିବା ସ୍ପଷ୍ଟ ଦେଖାଯାଉଛି। ଏହା ପ୍ରକୃତରେ ମହାବଳ ନା କଳାବାଘ, ସେ ନେଇ ଦ୍ବନ୍ଦ୍ବରେ ପଡ଼ିଛି ବନ ବିଭାଗ। କାରଣ ଶିମିଳିପାଳରେ ବିରଳ କଳାବାଘ ଥିବା ନେଇ ପ୍ରଥମେ ୧୯୮୭ ମସିହାରେ ରିପୋର୍ଟ ପ୍ରକାଶ ପାଇଥିଲା। ଯଦିଓ ସେତେବେଳେ ଏ ବାବଦରେ କିଛି ଠୋସ୍ ପ୍ରମାଣ ମିଳିନଥିଲା; ୨୦୦୮ ମସିହାରେ କ୍ୟାମେରା ଟ୍ରାପିଂରେ ଏକ କଳାବାଘର ଫଟୋ ଉତ୍ତୋଳିତ ହୋଇଥିଲା। ଚଳିତବର୍ଷ ଶିମିଳିପାଳ ମଧ୍ୟରୁ ଏକ କଳାବାଘର ମୃତଦେହ ବି ଠାବ ହୋଇଥିଲା। ତେବେ ବିଶ୍ବରେ କ୍ବଚିତ୍ ଦେଖା ଯାଉଥିବା ଏହି କଳାବାଘ ଶିମିଳିପାଳରେ କେତେ ସଂଖ୍ୟାରେ ଅଛନ୍ତି, ସେ ସଂକ୍ରାନ୍ତରେ ଆଜି ଯାଏ କିଛି ସ୍ପଷ୍ଟ ହୋଇ ପାରିନାହିଁ। ‘ୱିକିପିଡିଆର ତଥ୍ୟ ଅନୁଯାୟୀ ଶିମିଳିପାଳରେ ମହାବଳ ବାଘଙ୍କ ମଧ୍ୟରୁ ୩୭ ପ୍ରତିଶତ ବାଘଙ୍କ ରଙ୍ଗ ହଳଦିଆ ପରିବର୍ତ୍ତେ ସାମାନ୍ୟ କଳା ଥାଏ। ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନାନୀଙ୍କ ମତ ବି ଏହି ତଥ୍ୟକୁ ସମର୍ଥନ କରୁଛି। ତାଙ୍କ କହିବା ଅନୁଯାୟୀ; ଏଠାରେ ୧୫ରୁ ଅଧିକ ବାଘ ଠାବ ହୋଇଛନ୍ତି, ଯାହାଙ୍କର ରଙ୍ଗ ଈଷତ୍ ହଳଦିଆ ପରବର୍ତ୍ତେ କଳା ଦିଶୁଛି।
ତେବେ ଏହି ଧରଣର ବାଘବଂଶ ବୃଦ୍ଧି ପାଇବା ଠିକ୍ ନୁହେଁ ବୋଲି କହିଛନ୍ତି ବନ୍ୟଜନ୍ତୁ ବିଶାରଦ ଭାନୁମିତ୍ର ଆଚାର୍ଯ୍ୟ। ଏ ନେଇ ଅଧିକ ଗବେଷଣା ଜରୁରି ବୋଲି ସେ କହିଛନ୍ତି। ରଙ୍ଗ ପରିବର୍ତ୍ତନ ବାଘବଂଶ ଉପରେ କିଛି ପ୍ରଭାବ ପକାଇବ ନା ନାହିଁ, ଦ୍ବନ୍ଦ୍ବ ଦୂର କରିବା ପାଇଁ ଗବେଷକଙ୍କ ସହଯୋଗ ଲୋଡ଼ିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ବେଙ୍ଗାଲୁରୁର ଏକ ବିଶେଷଜ୍ଞ ଦଳ ଶିମିଳିପାଳ ଆସି ଏଠାକାର ମହାବଳ ବାଘଙ୍କ ମଳ, ଆମ୍ପୁଡ଼ା ଦାଗ, ବାନ୍ତି ଆଦି ବିଭିନ୍ନ ନମୁନା ସଂଗ୍ରହ କରି ରଙ୍ଗ ପରିବର୍ତ୍ତନ ବାବଦରେ ଅନୁଧ୍ୟାନ ଚଳାଇଛନ୍ତି। ଅସ୍ବାଭାବିକ ପ୍ରଜନନ ଓ ଅନ୍ୟାନ୍ୟ କାରଣରୁ ବାଘଙ୍କ ରଙ୍ଗ ପରିବର୍ତ୍ତନ ହୋଇଥିବାର ପୂର୍ବରୁ ନଜିର ରହିଥିବା ବେଳେ ନନ୍ଦନକାନନରେ ସେମିତି ଧଳାବାଘ ଜନ୍ମ ହୋଇଥିଲେ ବୋଲି କୁହାଯାଉଛି। ତେବେ ବିଶେଷଜ୍ଞମାନଙ୍କ ଅଧିକ ଗବେଷଣା ପରେ ହିଁ ଶିମିଳିପାଳ ମହାବଳ ବାଘଙ୍କ ରଙ୍ଗ ପରିବର୍ତ୍ତନର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଶ୍ରୀ ଗୋଗିନାନୀ।