ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଏବେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ବିଭାଗର ସର୍ବୋଚ୍ଚ ସ୍ତରରେ ପ୍ରଶାସନିକ ଅସ୍ଥିରତା ଦେଖାଦେଇଛି। ବାରମ୍ବାର ସଚିବ ବଦଳି ସହ କାମଚଳା ସଚିବ ନିଯୁକ୍ତି ଦିଆଯାଇ ବିଭାଗକୁ ପ୍ରଶାସନିକ ମହଲରେ ଏକପ୍ରକାର କୋଣଠେସା କରିଦିଆଯାଉଛି। ଯେମିତି ରାଜ୍ୟ ସରକାରଙ୍କ ଏଜେଣ୍ଡାରେ ସଂସ୍କୃତି ବିଭାଗର ଗୁରୁତ୍ବ କିଛି ନାହିଁ। ଓଡ଼ିଆ ଜାତିର ଅସ୍ମିତା ସହ ଜଡ଼ିତ ଏକ ବିଭାଗକୁ ସରକାରୀ ସ୍ତରରେ ଏପରି ଅଣଦେଖା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ବାସ୍ତବରେ ସଂସ୍କୃତି ବିଭାଗ ସରକାରଙ୍କର ପାଇଁ ଏକ ଅଲୋଡ଼ା ବିଭାଗ ନା ଏହାର ଦାୟିତ୍ବ ନେବାକୁ ଅଧିକାରୀଙ୍କର ଅଭାବ ରହିଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆଇଆର୍ଏସ୍ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ଡେପୁଟେସନ୍ରେ ଓଡ଼ିଶା ସରକାରଙ୍କ ପାଖକୁ ଆସି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ। ସେ ୫ ବର୍ଷ ଏହି ଦାୟିତ୍ବରେ ରହିଲା ପରେ ୨୦୨୦ ଜୁଲାଇ ମାସରେ ତାଙ୍କ ମୂଳ ବିଭାଗକୁ ଫେରିଗଲେ। ତାଙ୍କୁ ଫେରିଯିବା ପାଇଁ ସରକାର ଅନୁମତି ଦେଲା ପରେ କ୍ରୀଡ଼ା ବିଭାଗର ଶାସନ ସଚିବ ବିଶାଲ ଦେବଙ୍କୁ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଗଲା। ସେହି ସମୟରେ ସେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ସମ୍ଭାଳୁଥିଲେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ଜାରି ହେଲା। କିନ୍ତୁ ଶ୍ରୀ ଦେବ ସଂସ୍କୃତି ବିଭାଗର ଦାୟିତ୍ବ ନେବାକୁ ଅରାଜି ହୋଇଥିଲେ। ତାଙ୍କର ଅନିଚ୍ଛା ଭାବ ଦେଖି ସରକାର ତାଙ୍କ ନିଯୁକ୍ତିକୁ ବାତିଲ କରିଥିଲେ। ଏହା ପରେ ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯିବା ନେଇ ସାନି ବିଜ୍ଞପ୍ତି ଜାରି ହେଲା। ଶ୍ରୀ ସେଠୀ ୨୦୨୦ ଅଗଷ୍ଟ ମାସରେ ବିଭାଗର ଦାୟିତ୍ବ ଗ୍ରହଣ କଲେ।
ସଂସ୍କୃତି ବିଭାଗରେ ଶ୍ରୀ ସେଠୀଙ୍କ କାର୍ଯ୍ୟକାଳ ଏକ ବର୍ଷ ପୂରିଲାନି। ୨୦୨୧ ଜୁଲାଇ ପ୍ରଥମ ସପ୍ତାହରେ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ଦଳାଇଙ୍କୁ ସଂସ୍କୃତି ବିଭାଗର ସଚିବ ଭାବେ ପୂର୍ଣ୍ଣକାଳୀନ ନିଯୁକ୍ତି ଦିଆଗଲା। ରାଜ୍ୟ ପ୍ରଶାସନରେ ଏହି ନିଯୁକ୍ତି ବେଶ୍ ଗୁରୁତ୍ବ ବହନ କରୁଥିଲା। କାରଣ ଶ୍ରୀ ଦଳାଇ ‘ନନ୍ ଷ୍ଟେଟ୍ ସିଭିଲି ସର୍ଭିସ୍’ ବର୍ଗର ଆଇଏଏସ୍ ଅଧିକାରୀ। ସେ ଇଞ୍ଜିନିୟରିଂ କ୍ୟାଡର୍ରୁ ପଦୋନ୍ନତି ପାଇ ଆଇଏଏସ୍ ଅଧିକାରୀ ହୋଇଥିଲେ। ଗତ କିଛି ବର୍ଷ ହେଲା ଓଏଏସ୍ କିମ୍ବା ଅନ୍ୟ କ୍ୟାଡର୍ରୁ ପଦୋନ୍ନତି ପାଉଥିବା ଆଇଏଏସ୍ ଅଫିସରଙ୍କୁ ସିଧାସଳଖ ପ୍ରଶାସନିକ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଉ ନ ଥିଲା। ବହୁ ଆଇଏଏସ୍ ଅଧିକାରୀ ଏକାଧିକ ବିଭାଗ ଦାୟିତ୍ବରେ ରହି ଭାରାକ୍ରାନ୍ତ ହେଉଥିଲେ ମଧ୍ୟ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ସରକାର ସଚିବ ଭାବେ ନିଯୁକ୍ତି ଦେଉ ନ ଥିଲେ। ଏହା ପଛର ଯୁକ୍ତି କ’ଣ, ତାହା ବୁଝାପଡ଼ୁ ନ ଥିଲା। ଚଳିତ ବର୍ଷ ଶ୍ରୀ ଦଳାଇଙ୍କ ନିଯୁକ୍ତି ପରେ ସରକାରଙ୍କ ଆଭିମୁଖ୍ୟ ବଦଳିଛି ଧାରଣା ସୃଷ୍ଟି ହୋଇଥିଲା।
କିନ୍ତୁ ଏହି ଧାରଣା ଭୁଲ୍ ପ୍ରମାଣିତ ହେଲା। ଶ୍ରୀ ଦଳାଇଙ୍କୁ ମାତ୍ର ଚାରି ମାସ ପରେ ବଦଳି କରିଦିଆଗଲା। ଚଳିତ ମାସ ୧୨ ତାରିଖରେ ତାଙ୍କୁ ଉତ୍ତରାଞ୍ଚଳ ରାଜସ୍ବ କମିସନ୍ ଭାବେ ନିଯୁକ୍ତି ଦିଆଗଲା। ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସଙ୍କୁ ବିଭାଗର ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବାକୁ କୁହାଗଲା। ଗତ ୧୭ ତାରିଖରେ ସେ ଏହି ଦାୟିତ୍ବ ଗ୍ରହଣ କଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେ ଦାୟିତ୍ବ ନେବାର ୨୪ ଘଣ୍ଟା ପୂରୁଣୁ ତାଙ୍କୁ ବଦଳାଇ ଦିଆଗଲା। ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳଙ୍କୁ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଗଲା। ଆସନ୍ତାକାଲି ସେ ଏହି ଦାୟିତ୍ବ ଗ୍ରହଣ କରିବେ। କେଉଁ ପରିସ୍ଥିତିରେ ଶ୍ରୀ ଦାସଙ୍କୁ ସଚିବ ଦାୟିତ୍ବରେ ରଖାଗଲା ଓ ପୁଣି ତାଙ୍କ ଠାରୁ ଦାୟିତ୍ବ କାଢ଼ି ନିଆଗଲା, ତାହା ପାୱାର୍ କରିଡର୍ରେ ଚର୍ଚ୍ଚାର ବିଷୟ ହୋଇଛି। ସଂସ୍କୃତି ବିଭାଗରେ ଏପରି ଅସ୍ଥିରତା ସୃଷ୍ଟି ଦ୍ବାରା ବିଭାଗର ବହୁ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି। କେବଳ କିଛି ଚିରାଚରିତ କାମରେ ବିଭାଗ ସୀମିତ ରହୁଛି।