କଟକ: କଟକ ବଡ଼ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ଖର୍ଚ୍ଚ ହେଉଛି ପାଖାପାଖି ୫ ହଜାର କୋଟି ଟଙ୍କା। କିନ୍ତୁ ରୋଗୀଙ୍କ ଚିକିତ୍ସା ପାଇଁ ୫ କୋଟି ଟଙ୍କାର ସିଟିସ୍କାନ୍ ବ୍ୟବସ୍ଥା ହୋଇପାରୁନି। ଏପଟେ କିନ୍ତୁ ଏସ୍ସିବି କର୍ତ୍ତୃପକ୍ଷ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍(ପିପିପି)ରେ ଏସ୍ସିବିରେ ଚାଲିଥିବା ସିଟି ସ୍କାନ୍ ବାବଦକୁ ବାର୍ଷିକ ୬ କୋଟିରୁ ଅଧିକ ଟଙ୍କା ଗଣୁଛନ୍ତି ଘରୋଇ ସଂସ୍ଥାକୁ। ଏସ୍ସିବିରେ ଥିବା ସିଟିସ୍କାନ୍ ବହୁ ପୁରୁଣା ହୋଇଥିବା ବେଳେ ତାକୁ ବଦଳାଯାଇ ନୂଆ ସିଟିସ୍କାନ୍ ପାଇଁ କର୍ତ୍ତୃପକ୍ଷ ସରକାରଙ୍କୁ ଚିଠି ଲେଖିଥିଲେ ବି ତାହା ଆସିପାରୁନି। ପିପିପି ମୋଡ୍ରେ ଯେଉଁ ସିଟି ସ୍କାନ୍ ଚାଲିଛି ତାହା ବାରମ୍ବାର ବିଭିନ୍ନ ସମୟରେ ଅଚଳ ରହୁଛି। ଏଭଳି ସ୍ଥିତିରେ ସାଧାରଣ ରୋଗୀଙ୍କ ସମସ୍ୟା ବଢୁଛି। ୯ ଦିନ ହେଲା ଏସସିବି ସିଟି ସ୍କାନ୍ ଅଚଳ ଯୋଗୁଁ ପିପିପି ମୋଡ୍ରେ ଦାୟିତ୍ବ ନେଇଥିବା ସଂସ୍ଥା ରୋଗୀଙ୍କୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ନେଇ ସିଟି ସ୍କାନ୍ କରୁଛି। ଅନ୍ୟପଟେ କେତେ ରୋଗୀଙ୍କର ସିଟି ସ୍କାନ୍ ହେଲା, କ’ଣ ପାଇଁ କରାଗଲା ତାହାର ଯାଞ୍ଚ ବି କରାଯାଉନି। ତଥ୍ୟ ଅନୁଯାୟୀ କଟକ ବଡଡାକ୍ତରଖାନା ଆଞ୍ଚଳିକ ନିଦାନ ବିଭାଗର ନିଜସ୍ବ ସିଟି ସ୍କାନ୍ ମେସିନ୍ ରହିଛି। ସେହି ମେସିନ୍ ବହୁ ପୁରୁଣା ହୋଇଯାଇଥିବାରୁ ଅତ୍ୟାଧୁନିକ ସିଟି ସ୍କାନ୍ ମେସିନ୍ ପାଇଁ ପିପିପି ମୋଡ୍ରେ ଏସ୍ସିବିରେ ଏକ ସିଟି ସ୍କାନ୍ ମେସିନ୍ ଚାଲିଛି।
ଏସ୍ସିବିର ନିଜସ୍ବ ସିଟି ସ୍କାନ୍ ପୁରୁଣା ହୋଇଯାଇଥିବାରୁ ନୂତନ ସିଟି ସ୍କାନ୍ ମେସିନ୍ ଯୋଗାଣ ପାଇଁ ଓଏସ୍ଏମ୍ସିଏଲ୍କୁ ଚିଠି ଲେଖିଯାଇଥିଲା। ଏହା ଅନୁମୋଦନ ହୋଇଥିଲେ ବି ନୂଆ ସିଟି ସ୍କାନ୍ ମେସିନ୍ ଆସିପାରୁନି। ଫଳରେ ପିପିପି ମୋଡ୍ରେ ସିଟି ସ୍କାନ୍ ବ୍ୟବସ୍ଥା ଚାଲିଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବି ଉକ୍ତ ସଂସ୍ଥା ସିଟି ସ୍କାନ ବ୍ୟବସ୍ଥା ପିପିପି ମୋଡ୍ରେ ପରିଚାଳନା କରୁଛି। ଏସ୍ସିବିରେ ମେସିନ ଅଚଳ ହେଲେ ରୋଗୀଙ୍କୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ନିଆଯାଉଛି। କିନ୍ତୁ ସେଥିରେ ସବୁ ରୋଗୀ ସୁବିଧା ପାଉ ନାହାନ୍ତି। କିନ୍ତୁ ସଂସ୍ଥା ମାସକୁ ହାରାହାରି ଭାବେ ୪୦ ରୁ ୫୦ ଲକ୍ଷ ଟଙ୍କା ଏ ବାବଦରେ ନେଉଛି। ବର୍ଷକୁ ହାରାହାରି ୬ କୋଟି ଟଙ୍କା ସଂସ୍ଥା ଏସସିବିରୁ ନେଇ ଯାଉଥିବା ବେଳେ ଅତ୍ୟାଧୁନିକ ନୂଆ ସିଟି ସ୍କାନ ମେସିନର ଦାମ୍ କିନ୍ତୁ ୫ କୋଟି ଟଙ୍କା ବୋଲି କୁହାଯାଉଛି। କାହା ସ୍ବାର୍ଥରେ ଏଭଳି ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯାଉଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।
ଏସଂପର୍କରେ ଏସ୍ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍ କହିଛନ୍ତି ଯେ ଏସ୍ସିବିରେ ସିଟି ସ୍କାନ୍ ବ୍ୟବସ୍ଥାକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାହାର ସମାଧାନ ଓ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ତିନୋଟି ଅତ୍ୟାଧୁନିକ ସିଟି ସ୍କାନ୍ ମେସିନ୍ ଯୋଗାଣ ପାଇଁ ଓଏସ୍ଏମ୍ସିଏଲ୍କୁ ଚିଠି ଲେଖାଯାଇଛି। ଏହା ଆସିବାପରେ ସିଟି ସ୍କାନ୍ ନେଇ କୌଣସି ସମସ୍ୟା ରହିବ ନାହିଁ। କିନ୍ତୁ ସେଗୁଡିକ ଘରୋଇ ସହଭାଗିତାରେ ପରିଚାଳନା ହେବ ନା ଏସ୍ସିବି ନିଜେ ତାହାର ପରିଚାଳନା କରିବ, ସେ ସଂପର୍କରେ ମେସିନ ଆସିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଡକ୍ଟର ରାଉତ ସୂଚନା ଦେଇଛନ୍ତି।