ମାଲକାନଗିରି: ଆଦିବାସୀଙ୍କ ଜୀବନଶୈଳୀ ଯେତିକି ନିଆରା, ସେମାନଙ୍କ ବିଶ୍ବାସ ଓ ପରମ୍ପରା ସେତିକି ଭିନ୍ନ। ପୂଜା ପଦ୍ଧତିରେ ବି ଏମାନଙ୍କ ସ୍ବତନ୍ତ୍ରତା ରହିଛି। ଯାହାର ଗୋଟିଏ ଉଦାହରଣ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଦେଖିବାକୁ ମିଳେ। ବସ୍ତର ଜିଲ୍ଲାରେ ଧ୍ରୁବ ଜନଜାତିଙ୍କ ସଂଖ୍ୟା ଅଧିକ। ଏହି ଜନଜାତିଙ୍କ ଇଷ୍ଟଦେବୀ ବାସ୍ତାକୁଧିନଙ୍କ ଆସ୍ଥାନ କୁଟୁମସର ଗାଁରେ ରହିଛି। ଗୋଟିଏ ଗୁମ୍ଫା ମଧ୍ୟରେ ମା’ ପୂଜା ପାଉଥିବା ବେଳେ ପ୍ରତି ୩ବର୍ଷରେ ଥରେ ଧ୍ରୁବ ଜନଜାତି ବଡ଼ଯାତ୍ରାର ଆୟୋଜନ କରିଥାନ୍ତି। ହଜାର ହଜାର ଭକ୍ତ ଏହି ଯାତ୍ରାରେ ସାମିଲ ହେବା ସହ ମା’ଙ୍କ ନିକଟରେ ମାନସିକ କରନ୍ତି। ବିଶ୍ବାସ ରହିଛି ମା’ଙ୍କୁ ଭକ୍ତିର ସହ ମନସ୍କାମନା ନିବେଦନ କଲେ ନିଶ୍ଚିତ ପୂରଣ ହୁଏ। ତେବେ ମାନସିକ ପୂରଣ ହେଲେ ବଳି କିମ୍ବା ଭୋଗ ଦେବା ପରଂପରା ଏଠାରେ ନାହିଁ। ମା’ଙ୍କୁ ନୈବେଦ୍ୟ ସ୍ବରୂପ ଶ୍ରଦ୍ଧାଳୁ ଚଷମା ଅର୍ପଣ କରିବାର ବିଧି ରହିଛି।
ଆଦିବାସୀଙ୍କ କହିବା ହେଲା, ମା’ଙ୍କୁ ଚଷମା ଅର୍ପଣ କଲେ କୌଣସି ଚକ୍ଷୁ ରୋଗ ହୋଇନଥାଏ। ପରିବାରର ସମସ୍ତ ସଦସ୍ୟ ସୁସ୍ଥ ରହିଥାନ୍ତି। ମହାମାରୀର କୌଣସି ପ୍ରଭାବ ପଡ଼େ ନାହିଁ। ଯଦି କେହି ରୋଗରେ ପଡ଼ିବେ, ମା’ ସଦୟ ହୋଇ ନିଶ୍ଚିତ ସୁସ୍ଥ କରିବେ। ଶହଶହ ବର୍ଷର ଏହି ବିଶ୍ବାସ ପିଢ଼ି ପରେ ପିଢ଼ି ଆଗକୁ ବଢ଼ିଚାଲିଛି। ସେହିପରି ମଦ ଭୋଗ କରିବାର ମଧ୍ୟ ପରମ୍ପରା ରହିଛି। ଯାତ୍ରାର ଆଉ ଗୋଟିଏ ବିଶେଷତ୍ବ ହେଲା ଯାତ୍ରାକୁ ଆଖପାଖ ଗାଁରେ ପୂଜା ପାଉଥିବା ଠାକୁରାଣୀଙ୍କ ପ୍ରତୀକ ଭାବେ ଲାଠି ଆସିଥାଏ। ମା’ଙ୍କ ସ୍ବରୂପ ଭାବେ ଏହି ଲାଠିକୁ ମଧ୍ୟ ଭକ୍ତିର ସହ ପୂଜାର୍ଚ୍ଚନା କରାଯାଏ। ଯାତ୍ରା ପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବା ଧ୍ରୁବ ମହିଳା ଓ ପୁରୁଷ ସାଥୀରେ ମଦ ସହ ଚଷମା ଆଣିଥାନ୍ତି। ଏମାନଙ୍କ ଠାରୁ ହିଁ ଶ୍ରଦ୍ଧାଳୁ ମଦ ଓ ଚଷମା କିଣି ଦେବୀଙ୍କୁ ଅର୍ପଣ କରିଥାନ୍ତି। ଦେବୀଙ୍କୁ ମଦ ଭୋଗ ଲଗାଇବା ପରେ ତାହାକୁ ପ୍ରସାଦ ଭାବେ ସମସ୍ତେ ଗ୍ରହଣ କରିଥାନ୍ତି। ଅଜବ ହୋଇଥିଲେ ବି ଏହି ପୁରୁଣା ପ୍ରଥା ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଉତ୍ସୁକ ଯାତ୍ରୀ ଆସୁଛନ୍ତି।