ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଅପଦସ୍ଥ କରିବାକୁ ବିରୋଧୀ ଯୋଜନା କରୁଥିଲା ବେଳେ ମୁହଁତୋଡ଼ ଜବାବ ଦେବାକୁ ଶାସକ ବିଜେଡି ବି ପ୍ରସ୍ତୁତି ଚଳାଇଛି। ମଙ୍ଗଳବାର ଦିନ ବିଧାୟକ ଦଳ ବୈଠକରେ ଏ ନେଇ ସ୍ପଷ୍ଟ ସଙ୍କେତ ଦିଆଯାଇଛି। କେନ୍ଦ୍ରୀୟ ଅବହେଳାକୁ ଜୋର୍ଦାର ଉଠାଇ ଶାସକ ଦଳ ଓଡ଼ିଶାର ସ୍ବାର୍ଥକୁ ଅଗ୍ରାଧିକାର ଦେଉଛି ବୋଲି ବାର୍ତ୍ତା ଦେବ। ଏହା ସହ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ଅଡ଼ୁଆରେ ପକାଇବେ ଶାସକ ଦଳ ସଭ୍ୟମାନେ। ଓଡ଼ିଶା ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଲଗାତର ସ୍ବର ଉତ୍ତୋଳନ କରିବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଆହ୍ବାନ ଦେଇଛନ୍ତି।
ମଙ୍ଗଳବାର ଦିନ ବିଧାନସଭା ପରିସରର ୫୪ ନମ୍ବର ପ୍ରକୋଷ୍ଠ ଓ ନୂଆ ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଦଳର ସଭାପତି ଶ୍ରୀ ପଟ୍ଟନାୟକ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଏଥିରେ ଯୋଡ଼ି ହୋଇଥିଲେ। ବିଧାୟକମାନଙ୍କୁ ସମ୍ବୋଧିତ କରିବା ଅବସରରେ ରାଜ୍ୟ ସରକାରଙ୍କ କିଛି ସଫଳତାକୁ ମୁଖ୍ୟମନ୍ତ୍ରୀ ବଖାଣିଥିଲେ। ବିଶେଷ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ, ୫-ଟିର ସୁଫଳ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ଆଦି ପ୍ରସଙ୍ଗକୁ ଐତିହାସିକ ତଥା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ। ଏହା ସହ କେନ୍ଦ୍ର ସରକାର କିପରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି, ତାହା ମଧ୍ୟ କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା, ଗ୍ୟାସ୍ ଦରବୃଦ୍ଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ରର ଅସହଯୋଗ, ଚାଷୀଙ୍କୁ ଏମ୍ଏସ୍ପି ପ୍ରଦାନରେ ସ୍ବାମୀନାଥନ୍ କମିଟି ସୁପାରିସ୍ ଲାଗୁ ଆଦି ପ୍ରସଙ୍ଗ ସେ ଉଠାଇଥିଲେ। ଏହା ପରେ ଦଳର ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସ ଗୃହରେ ଶାସକ ଦଳ କିପରି ଭୂମିକା ନେବ ତାହା ବର୍ଣ୍ଣନା କରିଥିଲେ। ବିଶେଷ କରି କେନ୍ଦ୍ରୀୟ ଅବହେଳା କଥାକୁ ଦଳ ପ୍ରସଙ୍ଗ କରିବ ବୋଲି ସେ ସୂଚନା ଦେଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦଳୀୟ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶାକୁ ଅବହେଳା କରି ଚାଲିଛନ୍ତି। ବିଧାନସଭା ଅଧିବେଶନରେ ବିଜେଡି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଯିବ। ରନ୍ଧନ ଗ୍ୟାସ୍ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, କୋଇଲା ରୟାଲିଟି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଗୃହରେ ଉଠାଯିବ। ଏହା ସହ ବିରୋଧୀ ଦଳ ଗୃହରେ ରାଜ୍ୟର ସ୍ବାର୍ଥ ସମ୍ବଳିତ ଯେ କୌଣସି ପ୍ରସଙ୍ଗ ଉଠାଇବେ, ସେ ସମ୍ପର୍କରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ଆରୁଖ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/m25.jpg)