ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଯେତେ ପାଖଉଛି ବିଜେଡି-ବିଜେପି କଳି ସେତେ ବଢ଼ୁଛି। ପଦ୍ମପୁରରେ ଜିତିବା ପାଇଁ ଚାଷୀଙ୍କ ଭୋଟ୍ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଉଭୟ ବିଜେପି ଓ ବିଜେଡି ଚାଷୀଙ୍କ ସ୍ବାର୍ଥକୁ ଢାଲ କରି ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଛନ୍ତି। ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧା ବିଜେଡି ସରକାରକୁ ଟାର୍ଗେଟ କରିଥିବାବେଳେ ବିଜେଡି ସାଂସଦ ସସ୍ମିତ ପାତ୍ର ଏହାର ଜବାବ୍ ରଖି କହିଛନ୍ତି ଯେ, ବିଜେପି କେବଳ ଚାଷୀଙ୍କୁ ଠକିବା ଜାଣିଛି।
ଆଜି ରାଜଧାନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ଧରି ଥିବା ଗୋଟିଏ ସରକାର ଲମ୍ବା ସମୟ ପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରମିତ ଓ ଅନ୍ଧାରରେ ରଖିପାରିବ ନାହିଁ। ଲୋକମାନେ ସତ ଜାଣିଲେଣି। ମିଛ କଥାକୁ ବାରମ୍ବାର ଜୋର୍ରେ କହିଲେ ସତ ହୋଇଯାଏନି। ବରଗଡ଼ ଓ ପଦ୍ମପୁର ଅଞ୍ଚଳ ପାଇଁ ରାଜ୍ୟ ସରକାର କେବଳ ମିଛ ସୁଆଙ୍ଗ ରଚୁଛନ୍ତି। ଜିଲ୍ଲାପାଳଙ୍କ ଠାରୁ ରାଜ୍ୟ ସରକାର ମରୁଡ଼ି ରିପୋର୍ଟ ପାଇବାର ଅନେକ ଦିନ ପରେ ମଧ୍ୟ କେବେ ପ୍ରଭାବିତ ଅଞ୍ଚଳକୁ ମରୁଡ଼ି ଘୋଷଣା କରାଗଲା? ଓଡ଼ିଶା ବିଶେଷ ଭାବେ ବରଗଡ଼ ଜିଲ୍ଲାର ପଦ୍ମପୁରର କେତେ ଚାଷୀ ଓ କେଉଁ ଚାଷୀଙ୍କୁ ଇନପୁଟ୍ ସବସିଡି ଦିଆଗଲା, ଏହାର ତଥ୍ୟ ପ୍ରକାଶ ନ କରି ରାଜ୍ୟ ସରକାର ସୁଆଙ୍ଗ ରଚୁଛନ୍ତି। ବରଗଡ଼ ବିଶେଷ ଭାବରେ ପଦ୍ମପୁରର ୩ଟି ବ୍ଲକର ଜଣେ ବି ଚାଷୀଙ୍କ ନାଁ ଇନପୁଟ ସବସିଡି ଦେବା ପାଇଁ ତାଲିକାଭୁକ୍ତ କରାଯାଇଛି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ବଖାଣିବାକୁ ଯାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶାର ଚାଷୀମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଫସଲ ବୀମାରୁ ବଞ୍ଚିତ କରାଯାଇଥିଲା। ସରକାର ବରଗଡ଼ ଜିଲ୍ଲାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଭେଳିକି ଦେଖାଉଛନ୍ତି। ଲୋକମାନେ ଆନ୍ଦୋଳନ କରିବା ପରେ ମିଛ ପ୍ରତିଶ୍ରୁତି ଦିଆଯାଉଛି। ପାଇକମାଳରେ ଡାକ୍ତରଖାନା ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ସେଠାରେ ଲୋକମାନଙ୍କର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦାୟିତ୍ୱ ନାହିଁ।
ପଦ୍ମପୁର ପାଇଁ ରାଜ୍ୟ ସରକାର ମିଛ ସୁଆଙ୍ଗ ରଚୁଛନ୍ତି: ଧର୍ମେନ୍ଦ୍ର
ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ
ବିଜେପି କେବଳ ଚାଷୀଙ୍କୁ ଠକିବା ଜାଣିଛି: ସସ୍ମିତ
କେବଳ ଏତିକି ନୁହେଁ, ରେଳ ଲାଇନ ସମ୍ପର୍କରେ କେନ୍ଦ୍ର ରେଳ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟର ଭୂମିକା ଉପରେ ସବୁ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଦେଇସାରିଛନ୍ତି। ବରଗଡ଼ ତଥା ପଦ୍ମପୁରରେ ଧାନ କିଣା ବଡ଼ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଠାରୁ ଧାନ କିଣାନଯିବା ଦୁର୍ଭାଗ୍ୟଜନକ। ପ୍ରସଙ୍ଗ ନଥିବା କାରଣରୁ ଏ ସବୁ ପ୍ରସଙ୍ଗ କରାଯାଉଛି। ପଦ୍ମପୁର ହେଉଛି ସ୍ୱାଭିମାନୀ ଓ ସଂଗ୍ରାମୀଙ୍କର ମାଟି। ସେହି ଅଞ୍ଚଳରେ ସହିଦ ମାଧୋ ସିଂହ ଅନ୍ୟାୟର ପ୍ରତିବାଦ କରିଥିଲେ। ନିଜର ହକ୍କୁ ଲଢ଼େଇ କରି ହାସଲ କରିବାର ପରମ୍ପରାର ମାଟି ହେଉଛି ପଦ୍ମପୁର। ଆଜି କିନ୍ତୁ ସେହି ଅଞ୍ଚଳର ଯୁବକମାନେ ବାହରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ସେଭଳି ମାଟିରେ ପ୍ରବଞ୍ଚନା ଚାଲିବ ନାହିଁ। ଏହି ଉପନିର୍ବାଚନରେ ଲୋକମାନେ ବିଜେଡିକୁ ଉଚିତ୍ ଜବାବ ଦେବେ।
ଯେଉଁ ମନ୍ତ୍ରୀ ପରିବାର ସହ ମିଶି ଆଠଗଡ଼ରେ ଗରିବ ଚାଷୀ ଭାଇମାନଙ୍କର ପଇସାକୁ ହରିଲୁଟ କରିଛନ୍ତି ଏବଂ ଯାହାଙ୍କ ବଂଶଜମାନେ ଦାଦାଗିରି କରୁଥିବା କାରଣରୁ ପୁଲିସ ତାଙ୍କୁ ଜେଲରେ ଭର୍ତ୍ତି କରିଛି, ଆଜି ସେହିମାନେ ଆସି ପଶ୍ଚିମ ଓଡ଼ିଶାରେ ଚାଷୀ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ସମାଲୋଚନାର ଜବାବ୍ ରଖି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶାର ଚାଷୀମାନଙ୍କୁ ବିଜେପି ନିୟମିତ ଭାବେ ଠକି ଚାଲିଛି। ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ, ସେମାନେ ଏମ୍ଏସ୍ପି ଦେଢ଼ ଗୁଣା ବଢ଼ାଇବେ। କିନ୍ତୁ ତାହା କଲେ ନାହିଁ। ଚାଷୀଙ୍କ ଆୟ ଦୁଇ ଗୁଣ କରିବେ, କିନ୍ତୁ କଲେ ନାହିଁ। ବିଜେପି ସଂସଦରେ ତିନିଟି ଚାଷୀ ବିରୋଧୀ କୃଷି ଆଇନ୍ ଆଣିଥିବାବେଳେ ପ୍ରବଳ ବିରୋଧ ଏବଂ ୬୦୦ ଚାଷୀଙ୍କ ମୃତ୍ୟୁ ପରେ ଚାପରେ ଏହାକୁ ପ୍ରତ୍ୟାହାର କଲା। ଓଡ଼ିଶା ବିଧାନସଭାରେ ବିଜେଡି ବିଧାୟକ, ଅନ୍ୟ ବିଧାୟକଙ୍କ ସହ ବିଜେପି ବିଧାୟକମାନେ ଧାନର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ନେଇ ସଂକଳ୍ପ ପାରିତ ହେଲା। କିନ୍ତୁ ଏବେ ବିଜେପି ବିଧାୟକମାନେ ନିରବ ବସିଛନ୍ତି। ବିଜେପି ଶାସିତ କେନ୍ଦ୍ର ସରକାର ଚାଷୀମାନଙ୍କୁ ଠିକ୍ ସମୟରେ ଆବଶ୍ୟକ ସାର ଯୋଗାଇପାରୁନାହାନ୍ତି, ବଳକା ଧାନ ସଂଗ୍ରହ କରାଯାଉନି, ଓଡ଼ିଶା ଚାଷୀଙ୍କୁ ଫସଲ ବୀମା ଦେଉନଥିବାବେଳେ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିବାରୁ ଏବେ ଫସଲ ବୀମା ରାଶି ଦେବାକୁ ରାଜି ହୋଇଛନ୍ତି। ବିଜେଡି ସରକାର ଯେତେବେଳେ ଚାଷୀଙ୍କୁ ୨୦୦କୋଟି ଟଙ୍କା ଇନପୁଟ୍ ସବ୍ସିଡି ଦେବାକୁ ପ୍ରକ୍ରିୟା ଆରମ୍ଭ କଲେ ସେତେବେଳେ ବିଜେପି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗ ଆଣିଲା। କିନ୍ତୁ ଯେଉଁଦିନ ଆଦର୍ଶ ଆଚରଣ ବିଧି ଉଠିବ ସେହିଦିନ ରାଜ୍ୟ ସରକାର ଇନପୁଟ୍ ସବ୍ସିଡି ପ୍ରଦାନ କରିବେ।
କେବଳ ଏତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କହିଥିଲେ ଯେ, ପଦ୍ମପୁର ରେଳ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ହେଲେ ଏହି ରେଳ ଲାଇନ୍ ପ୍ରକଳ୍ପ ପାଇଁ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମିଳିନି। ରେଳ ଲାଇନ୍ କେଉଁଠି। ଏହା କ’ଣ ଠକାମୀ ନୁହେଁ? କେନ୍ଦୁପତ୍ର ଉପରେ ୧୮% ଜିଏସ୍ଟି ଲଗାଇ କେନ୍ଦୁପତ୍ର ତୋଳାଳୀଙ୍କ ଆୟ ଉପରେ ପ୍ରହାର ଦିଆଯାଇଛି। ଏହା କ’ଣ ଠକାମୀ ନୁହେଁ? ପଦ୍ମପୁରବାସୀଙ୍କୁ ବିଜେପି ବାରମ୍ବାର ଠକୁଛି। ବିଜେପିର ମୁଖା ଖୋଲିଯାଇଛି। ଆଗାମୀ ଦିନରେ ପଦ୍ମପୁରବାସୀ ବିଜେପିକୁ କଡ଼ା ଜବାବ୍ ଦେବେ ବୋଲି ଶ୍ରୀ ପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/vote-2.jpg)