ଆନନ୍ଦପୁର/ଦେଓଗାଁ:  ଶୁକ୍ରବାର ଅପରାହ୍ନରେ ଘସିପୁରା ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଖୁବ ଜୋରରେ ପବନ ହେବାରୁ ଗଛ ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ‌ହୋଇଛି। ଘସିପୁରା ବ୍ଲକ୍‌ ନାରଙ୍ଗପୁର ବଜାରରେ ରହୁଥିବା ବାପୁଜୀ ସାଙ୍କ ଘରର ଛପର ଉଡ଼େଇ ନେଇ ନାରଙ୍ଗପୁର-ଘସିପୁରା ମୁଖ୍ୟରାସ୍ତାରେ ପକାଇଛି।

Advertisment

ଫଳରେ ଘଣ୍ଟାଏ ଧରି ରାସ୍ତା ଅବରୋଧ ହୋଇଥିଲା। ଏପରିକି ଆମ୍ବୁଲାନ୍ସ ସହ ଅନେକ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ସେହିପରି ବାଲିପାଳ ଗ୍ରାମର ବକିଟି ସେଠୀ (୬୫) କେଶଦୁରାପାଳରୁ ଘରକୁ ଫେରୁଥିଲେ। ଶନିମନ୍ଦିର ନିକଟରେ ଏକ ଗଛ ତାଙ୍କ ଉପରେ ପଡ଼ିବାରୁ ସେ ଗୁରୁତର ‌ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ବାପୁଜୀ ଅତ୍ୟନ୍ତ ଗରିବ। ସେ ଚାଳଘରେ ରହୁଥିଲେ। ସେ ବାରମ୍ବାର ସରକାରୀ ଆବାସ ପାଇଁ ପ୍ରଶାସନକୁ ଗୁହାରି କରିଥିଲେ। ତାଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା। ଆଜି ଘର ଭାଙ୍ଗିଯିବାରୁ ପରିବାର ଅସହାୟ ହୋଇପଡ଼ିଛନ୍ତି।

ଏହାର ପ୍ରତିବାଦରେ  ସଂଧ୍ୟାରେ ସ୍ଥାନୀୟ ଲୋକେ ନାରଙ୍ଗପୁର-ଦେଓଗାଁ ରାସ୍ତା ଅବରୋଧ କରିଥିଲେ। ଘସିପୁରା ତହସିଲଦାର ନୀଳକଣ୍ଠ ବେହେରା ଓ ଘସିପୁରା ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।