ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ପାଇଁ ବଡ଼ ସ୍ବପ୍ନ ଦେଖାଇଲେ ସରକାର। କିନ୍ତୁ କିଛି ମାସ ଭିତରେ ଧୂଳିସାତ୍ ହୋଇଯାଇଛି ସେହି ସ୍ବପ୍ନ। ଘାଟିରେ ଷ୍ଟ୍ରବେରି ଚାଷକୁ ନେଇ ଯେଉଁ ପ୍ରଚାର ହୋଇଥିଲା ତାହା ବର୍ତ୍ତମାନ ବଣ୍ଡା ଜନଜାତିଙ୍କ ପାଇଁ ଭେଳିକିରେ ପରିଣତ ହୋଇଛି।
ଘାଟିର ଶୀତୁଆ ପରିବେଶ ଷ୍ଟ୍ରବେରି ପାଇଁ ବେଶ୍ ଉପଯୋଗୀ। ତେଣୁ ଗତବର୍ଷ ଓପିଲିପି ପକ୍ଷରୁ ବଣ୍ଡା ଜନଜାତିଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ନିମନ୍ତେ ଷ୍ଟ୍ରବେରି ଚାଷକୁ ଗୁରୁତ୍ବ ଦିଆଗଲା। ଏଥିପାଇଁ ଜନଜାତିଙ୍କୁ ଉତ୍ସାହିତ କରାଯାଇଥିଲା। ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ଓପିଲିପି ପକ୍ଷରୁ ବଣ୍ଡାପଡ଼ା ଗାଁରେ ଗୋଟିଏ ଏକର ଜମିରେ ପରୀକ୍ଷାମୂଳକ ଭାବେ ଷ୍ଟ୍ରବେରି ଚାଷ ଆରମ୍ଭ ହୋଇଥିଲା। ଗୋଟିଏ ଏକର ଜମିରେ ପ୍ରାୟ ୭ହଜାର କ୍ବିଣ୍ଟାଲ ଷ୍ଟ୍ରବେରି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଥିଲା। ଯାହାଫଳରେ ଗୋଟିଏ ବର୍ଷରେ ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର ହେବ ବୋଲି ଆକଳନ ହୋଇଥିଲା।
ଓପିଲିପି ନିଜେ ଚାଷଜମିକୁ ସମତଳ କରିବା ସହ ଚାଷ ପ୍ରଣାଳୀ ବିଷୟରେ ବଣ୍ଡା ଜନଜାତିଙ୍କୁ ତାଲିମ ଦେଇଥିଲା। ଏହାପରେ ଚାଷ ନିମନ୍ତେ ମଧ୍ୟ ସହଯୋଗ କରିଥିଲା। ଚାଷ କରିବାକୁ ମୁଦୁଲିପଡ଼ା ଗ୍ରାମର ଦୁଇ ଭାଇ ଲକ୍ଷ୍ମଣ ମୁଦୁଲି ଓ ମଙ୍ଗଳୁ ମୁଦୁଲି ଆଗ୍ରହ ଦେଖାଇଥିଲେ। ଯୋଜନା ମଧ୍ୟ ସଫଳ ହେଲା। ଚାଷ ଭଲ ହେବା ସହ ଭଲ ଉତ୍ପାଦନ ହୋଇଥିଲା। ତେଣୁ ବଣ୍ଡାଘାଟିର ଅନ୍ୟ ଗାଁର ଲୋକ ମଧ୍ୟ ଆକୃଷ୍ଟ ହେବେ ବୋଲି ଅନୁମାନ ଥିଲା। କିନ୍ତୁ ଓପିଲିପି ଅନୁଦାନ ବନ୍ଦ ହେବା ପରେ ଷ୍ଟ୍ରବେରି ଚାଷରୁ ମୁହଁ ଫେରାଇ ନେଇଛନ୍ତି ବଣ୍ଡା ଜନଜାତି। କାରଣ ଚାଷ ପ୍ରଣାଳୀ ତାଲିମ କିମ୍ବା ଆର୍ଥିକ ସହଯୋଗ ମିଳୁନଥିବା ଜଣାପଡ଼ିଛି। ପ୍ରତିବର୍ଷ ସେପ୍ଟେମ୍ବର ମାସ ବେଳକୁ ଷ୍ଟ୍ରବେରି ଚାଷ ଆରମ୍ଭ ହୋଇଥାଏ। ଡିସେମ୍ବର ମାସ ବେଳକୁ ଉତ୍ପାଦନ ହୋଇଥାଏ। ପ୍ରଥମ ବର୍ଷ ଭଲ ଉତ୍ପାଦନ ଯୋଗୁ ବହୁ ଲୋକ ଚାଷ କରିବାକୁ ଆଗଭର ହୋଇଥିଲେ। ତେବେ ଗୋଟିଏ ବର୍ଷ ପରେ ସରକାରୀ ଯୋଜନା ବନ୍ଦ ହୋଇଯିବାରୁ ଷ୍ଟ୍ରବେରି ଚାଷ ପରିମାଣ ବଢ଼ିବା ସମ୍ଭାବନା ଅତ୍ୟନ୍ତ କମ୍। ଏବେ ବି ବହୁ ବଣ୍ଡା ପରିବାର ନିଜ ଜମିରେ ଚାଷ କରିବାକୁ ଚାହୁଥିଲେ ସୁଦ୍ଧା କୌଣସି ପ୍ରକାର ସହାୟତା ମିଳିବ ନାହିଁ ବୋଲି ଜାଣିବା ପରେ ନିରାଶ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।