ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ କରି ଆଦିବାସୀ ମହିଳା ଚାଷୀ ଭଲ ରୋଜଗାର କରିଛନ୍ତି। ପ୍ରଥମ ବର୍ଷରେ ଉତ୍ପାଦିତ ଷ୍ଟ୍ରବେରିକୁ ସେମାନେ ୧୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଫୁଲବାଣୀ ବ୍ଲକ୍ର ମିଣିଆ ଓ ତୁଡ଼ିପାଜୁ, ଫିରିଙ୍ଗିଆ ବ୍ଲକ୍ର କୁଟିବାରି, ଚକାପାଦ ବ୍ଲକ୍ର ଶଙ୍କରାଖୋଲ, ରାଇକିଆ ବ୍ଲକ୍ର ମାଣିକେଶ୍ବର, ବାଲିଗୁଡ଼ା ବ୍ଲକ୍ର ବାଟାଗୁଡ଼ା ଓ ଦାରିଙ୍ଗବାଡ଼ି ବ୍ଲକ୍ର ଗ୍ରୀନ୍ବାଡ଼ିରେ ଏସଏଚଜି ମହିଳାମାନେ ପ୍ରଶାସନର ପ୍ରୋତ୍ସାହନରେ ପ୍ରଥମ ଥର ୧୪ ଏକର ଜମିରେ ପରୀକ୍ଷାମୂଳକ ଭାବେ ଏହି ଚାଷ କରିଥିଲେ। ଉଦ୍ୟାନ କୃଷି, ଜଳଛାୟା ମିସନ୍ ଏବଂ ମିସନ୍ ଶକ୍ତି ପକ୍ଷରୁ ଏସଏଚ୍ଜି ସଦସ୍ୟାଙ୍କୁ ଏହି ଚାଷ ପାଇଁ ଆର୍ଥିକ ପ୍ରୋତ୍ସାହନ ମିଳିଥିଲା। ଗତବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଏହି ଚାଷ ଆରମ୍ଭ କରା ଯାଇଥିବା ବେଳେ ଚଳିତବର୍ଷ ଫେବ୍ରୁଆରିରେ ଅମଳ ହୋଇଛି।
୫ଟି ବ୍ଲକ୍ର ମୋଟ ୧୦ଟି ଏସଏଚ୍ଜି ଏହି ଚାଷ କରିଥିଲେ। ଷ୍ଟ୍ରବେରି ଅମଳ ପରେ ପ୍ଲାଷ୍ଟିକ୍ ପ୍ୟାକେଜିଂ କରାଯିବା ସହ ପ୍ୟାକେଟ୍ ଉପରେ 'କନ୍ଧମାଳ ଷ୍ଟ୍ରବେରି'ର ମୋହର ଲଗାଇ ବଜାରକୁ ଛଡ଼ାଯାଇଛି। କନ୍ଧମାଳର ଜଳବାୟୁ ଷ୍ଟ୍ରବେରି ଚାଷ ପାଇଁ ଅନୁକୂଳ ବୋଲି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ମିହିର ସାମନ୍ତରାୟ ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲାରେ ଯେଉଁ ଷ୍ଟ୍ରବେରି ଅମଳ ହୋଇଛି ତାହା ମହାରାଷ୍ଟ୍ରର ଚାଷୀଙ୍କଠାରୁ ଉନ୍ନତମାନର ଥିଲା ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ଚଳିତବର୍ଷ ୬ ଲକ୍ଷ ଟଙ୍କାର ଷ୍ଟ୍ରବେରି ବିକ୍ରି ହୋଇଥିବା ରାଇକିଆ ବରେପଙ୍ଗା ଏସ୍ଏଚ୍ଜି ଗ୍ରୁପ୍ର ସଦସ୍ୟା ତଥା ଆଦିବାସୀ ମହିଳା ଚାଷୀ ପୁଷ୍ପବତୀ ପ୍ରଧାନ, ଝିଙ୍କିମା ପ୍ରଧାନ ଏବଂ ସରିତା ପ୍ରଧାନ କହିଛନ୍ତି। ସେହିଭଳି ଦାରିଙ୍ଗବାଡ଼ିର ଏଲିଜାବେଥ୍ ଏସଏଚଜି ୭ ଲକ୍ଷ ଟଙ୍କାର ଷ୍ଟ୍ରବେରି ବିକ୍ରି କରିଛି। ଜିଲ୍ଲାର ସମସ୍ତ ଏସ୍ଏଚ୍ଜିମାନେ ମୋଟ ୧୭ ଲକ୍ଷ ଟଙ୍କାର ଷ୍ଟ୍ରବେରି ବିକ୍ରି କରିଛନ୍ତି। ପ୍ରତି ଏସଏଚଜିରେ ୨୦ରୁ ୨୫ ଜଣ ମହିଳା ଚାଷୀ ଅଛନ୍ତି ଏବଂ ଏମାନେ ମୁକ୍ତ ଜମିରେ ଷ୍ଟ୍ରବେରି ଚାଷ କରିଛନ୍ତି। ଏହି ଷ୍ଟ୍ରବେରି ଗୁଡ଼ିକୁ ଭୁବନେଶ୍ବର, କଟକ, ବ୍ରହ୍ମପୁର, ନୟାଗଡ଼, ବୌଦ୍ଧ ଓ ବଲାଙ୍ଗୀର ଆଦି ସହରକୁ ପଠାଯାଇଛି। ଏହି ଷ୍ଟ୍ରବେରିର ଆକାର ଖୁବ୍ ବଡ଼ ଏବଂ ଗାଢ଼ ଲାଲ୍ ରଙ୍ଗର ହୋଇଥିବାରୁ ଏହାର ଚାହିଦ ଭଲ ରହିଛି। ଆସନ୍ତା ବର୍ଷରେ ଜିଲ୍ଲାରେ ୫୦ ଏକର ଜମିରେ ଷ୍ଟ୍ରବେରି ଚାଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଥିବା ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ସୂଚନା ଦେଇଛନ୍ତି।