ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟ ସୁନାବେଡ଼ା ଅଭୟାରଣ୍ୟରେ ​ଷ୍ଟ୍ରବେରି ଚାଷ କରି ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ପ୍ରଥମ କରି ୨୦୨୨-୨୩ ବର୍ଷରେ ପରୀକ୍ଷାମୂଳକ ଭାବେ ୧୦ ଏକରରେ ୧୦ ଜଣ ଏହି ଚାଷ କରିଥିଲେ। ଏହି ଚାଷୀମାନେ ପ୍ରଥମ ବର୍ଷ ପ୍ରାୟ ୬୦ ଲକ୍ଷ ଟଙ୍କା ରୋଜଗାର କରିଥିବା ପ୍ରକାଶ କରିଛନ୍ତି। ଗତବର୍ଷର ସଫଳତା ପରେ ଚଳିତ ବର୍ଷ ନୂଆପଡ଼ା ଚକୋଟିଆ ଭୁଂଜିଆ ଉନ୍ନୟନ ସଂସ୍ଥା (ସିବିଡିଏ) ସହାୟତାରେ ଅଭୟାରଣ୍ୟରେ ପୁଣି ଷ୍ଟ୍ରବେରି ଚାଷ ଆରମ୍ଭ କରିଛନ୍ତି। ଏଥର ନବିଲା, କାମରାଜା, ମୋରାନୋ, ମେରିସଲ ୪ଟି ପ୍ରଜାତିର ଷ୍ଟ୍ରବେରି ଚାଷ କରାଯାଇଛି। ଚଳିତ ବର୍ଷ ଏକଲକ୍ଷ କେଜି ଷ୍ଟ୍ରବେରି ଉତ୍ପାଦନ କରିବାକୁ ଏମାନେ ଲକ୍ଷ୍ୟ ରଖିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାପାଳ ହେମକାନ୍ତ ସୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସିବିଡିଏ ପକ୍ଷରୁ ଷ୍ଟ୍ରବେରି ଚାଷ ପାଇଲଟ ପ୍ରୋଜେକ୍ଟ ଭାବେ ଅଭୟାରଣ୍ୟର ଆଦିବାସୀ ଚାଷୀଙ୍କୁ ନେଇ କାର୍ଯ୍ୟକାରୀ କରାଯାଇଥିଲା। ଗତ ବର୍ଷ ୧୦ ଜଣ ଚାଷୀଙ୍କ ୧୦ ଏକର ଜମିରୁ ୬୦ ହଜାର କେଜି ଷ୍ଟ୍ରବେରି ଉତ୍ପାଦନ ହୋଇଥିଲା। ଆରମ୍ଭରୁ ଏହାର କେଜି ପ୍ରତି ଦର ୫୦୦ ଟଙ୍କା ରହିଥିଲା। ଫଳରେ ଚାକଲିରାମ ସୁଆର ୭ ଲକ୍ଷ ଟଙ୍କା, ଯୁବରାଜ ଛତ୍ରିଆ ୭ ଲକ୍ଷ ଟଙ୍କା ସାଲେପଡ଼ାର ଗାଁଓସିଂ ମାଝି ୮ଲକ୍ଷ ଟଙ୍କାର ଷ୍ଟ୍ରବେରି ବିକ୍ରି କରିଥିଲେ। ସେମାନଙ୍କ ଷ୍ଟ୍ରବେରି ରାୟପୁର, ଅନ୍ଧ୍ରପ୍ରଦେଶ, ବିଶାଖାପାଟଣା, ବିଜୟନଗରମ ସହ ଓଡ଼ିଶାର ନୂଆପଡ଼ା, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ଭୁବନେଶ୍ବର, କୋରାପୁଟ, ନବରଙ୍ଗପୁର, କଟକ ବଜାରରେ ବିକ୍ରି ହୋଇଥିଲା। ସିବିଡିଏ ସ୍ବତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ରଙ୍କ କହିବା ହେଲା, ଚଳିତ ବର୍ଷ ୪ ପ୍ରଜାତିର ଷ୍ଟ୍ରବେରି ୨୦ ଏକର ଜମିରେ ଚାଷ କରାଯାଇଛି। ଏଥିରୁ ୧୦୦ ଟନ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ କରାଯାଇଛି। ଆଉ ୧୦ରୁ ୧୫ ଦିନ ଭିତରେ ନୂଆ ଷ୍ଟ୍ରବେରି ବଜାରକୁ ଆସିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/fhfhfff-1.jpg)