ଭୁବନେଶ୍ବରରେ ରାସ୍ତା ପାର୍ଶ୍ୱ ଖାଦ୍ୟ ଯାଞ୍ଚ୍ କଡ଼ାକଡ଼ି ହେବ; ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବାରୋପ

ଭୁବନେଶ୍ବର : ବିଭିନ୍ନ ସହରାଞ୍ଚଳରେ ରାସ୍ତା ପାର୍ଶ୍ୱରେ ଖାଦ୍ୟ ବିକ୍ରି ବଢ଼ିଚାଲିଛି। କିନ୍ତୁ ତାହାର ଗୁଣାତ୍ମକ ମାନ ଠିକ୍ ରହୁ ନ ଥିବାର ଅଭିଯୋଗ ଆସୁଛି। ସ୍ଥାନୀୟ ପୌରପାଳିକା କର୍ତ୍ତୃପକ୍ଷ ଏ ଦିଗରେ ଅଧିକ ତତ୍ପରତା ପ୍ରକାଶ କରୁ ନାହାନ୍ତି। ଏହାକୁ ନଜରରେ ରଖି ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସହରାଞ୍ଚଳ ଖାଦ୍ୟ ନିରାପତ୍ତା ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥ‌ିଲେ। ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଆଖି ଆଗରେ ରଖି ରାସ୍ତାପାର୍ଶ୍ବ ଭେଣ୍ଡିଂ ଜୋନ୍‌ଗୁଡ଼ିକରେ ଖାଦ୍ୟ ନିରାପତ୍ତା ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ବାରୋପ କରିଥିଲେ। ରାସ୍ତା ପାର୍ଶ୍ବ ଖାଦ୍ୟ ବ୍ୟବସାୟୀମାନଙ୍କୁ ନିରାପଦ ଖାଦ୍ୟ ପ୍ରସ୍ତୁତି, ପରିବେଶ ଓ ପରିଚ୍ଛନ୍ନତା ଆଦି ବିଷୟରେ ତାଲିମ୍ ଦେବା ପାଇଁ ସେ ନିର୍ଦ୍ଦେଶ ‌ଦେଇଥିଲେ।

ଅଭିଜ୍ଞ ସଂସ୍ଥାମାନଙ୍କ ମାଧ୍ୟମରେ ଖାଦ୍ୟ ନିରାପତ୍ତା ପ୍ରବର୍ତ୍ତନକୁ ଅଧିକ ବ୍ୟାପକ ଓ କଡ଼ାକଡ଼ି କରିବାର ସମ୍ଭାବନା ଅନୁଧ୍ୟାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପାଞ୍ଚଟି ମହାନଗର ନିଗମ ଅଞ୍ଚଳରେ କ୍ଷମତାପ୍ରାପ୍ତ ଖାଦ୍ୟ ନିରାପତ୍ତା ଅଧିକାରୀ ନିର୍ଦ୍ଦିଷ୍ଟ କରିବା ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ନୀତିଗତ ଅନୁମୋଦନ ଦେଇଥିଲେ। ପ୍ରବର୍ତ୍ତନ କାର୍ଯ୍ୟକଳାପର ଏକ ଅନ୍‌ଲାଇନ୍‌ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା। ଭୁବନେଶ୍ବର ସହରର କିଛି ଅଞ୍ଚଳରେ ନିରାପଦ ରାସ୍ତାପାର୍ଶ୍ବ ଖାଦ୍ୟ ଅଞ୍ଚଳ ଭାବେ ବିକଶିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଭୁବନେଶ୍ୱର‌େର ନିରାପଦ ରାସ୍ତାପାର୍ଶ୍ୱ ଖାଦ୍ୟ ଅଞ୍ଚଳ ବିକଶିତ ହେବ
ଲୋକସେବା ଭବନରେ ସହରାଞ୍ଚଳ ଖାଦ୍ୟ ନିରାପତ୍ତା ପାଇଁ ବୈଠକ

ଖାଦ୍ୟ ନିରାପତ୍ତା କମିସନର୍‌ ଯାମିନୀ ଷଡ଼ଙ୍ଗୀ ଜଣାଇଥିଲେ ଯେ ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ଖାଦ୍ୟ ବ୍ୟବସାୟୀମାନଙ୍କ ପଞ୍ଜୀକରଣ ବହୁ ପରିମାଣରେ ବୃଦ୍ଧି ପାଇଛି। ୨୦୧୬-୧୭ରେ ମୋଟ ୫୦୨୬ ବ୍ୟବସାୟୀ ପଞ୍ଜୀକୃତ ହୋଇଥିଲେ। ୨୦୧୭-୧୮ ଓ ୨୦୧୮-୧୯ରେ ଏହି ପରିମାଣ ଯଥାକ୍ରମେ ୨୫,୮୨୨ ଓ ୩୬,୬୨୨ ହୋଇଛି।

ରାଜ୍ୟରେ ଖାଦ୍ୟ ବ୍ୟବସାୟୀ ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍ କରାଯାଇଛି। ଏହା ମଧ୍ୟରେ ରାଜ୍ୟର ଖାଦ୍ୟ ପରୀକ୍ଷାଗାର ଭାରତୀୟ ଫୁଡ୍‌ ‌ସେଫ୍ଟି ଷ୍ଟାଣ୍ଡାର୍ଡ କର୍ତ୍ତୃପକ୍ଷଙ୍କ ସ୍ବୀକୃତି ଲାଭ କରିଛି। ରାଜ୍ୟରେ ‘ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର’ ବ୍ୟବସ୍ଥା ମଧ୍ୟ କରାଯାଇଛି। ୨୦୧୮-୧୯ରେ ମୋଟ୍‌ ୩୨୭ଟି ‘ଲିଗାଲ୍‌ ସାମ୍ପଲ୍‌’ ସଂଗ୍ରହ ଓ ପରୀକ୍ଷା କରାଯାଇ ୪୭ଟି ମକଦ୍ଦମା କରାଯାଇଛି। ଏହା ବାଦ୍ ବିଭିନ୍ନ ପ୍ରକାର ସାର୍ବଜନୀନ ମେଳା, ମହୋତ୍ସବ ଆଦି ସ୍ଥାନରୁ ସଂଗୃହୀତ ୧୫୯୯ଟି ନମୁନା ମଧ୍ୟରୁ ୪୭୭ଟି ନମୁନା ଅପମିଶ୍ରିତ ବା ନକଲି ‘ବ୍ରାଣ୍ଡ୍‌’ର ବୋଲି ଜଣାପଡ଼ିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭ୍ରାମ୍ୟମାଣ ପରୀକ୍ଷାଗାର ମାଧ୍ୟମରେ ୧୮୩୨ଟି ନମୁନା ସଂଗ୍ରହ ଓ ପରୀକ୍ଷା କରାଯିବା ସହ ୧୪୦ଟି ସଚେତନତା ଶିବିର ଓ ୨୦ଟି ତାଲିମ ଶିବିର ଆୟୋଜନ କରାଯାଇଛି।

ବୈଠକରେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥାନନ୍‌ ଓ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର