କଟକ: ଧୀରେଧୀରେ ଅଧିକରୁ ଅଧିକ ଅପରାଧ ପ୍ରବଣ ଆଉ ବିଶୃଙ୍ଖଳିତ ହେଉଛନ୍ତି ଛାତ୍ରଗୋଷ୍ଠୀ। କ୍ୟାମ୍ପସ୍ରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି। ସାଇବର ଅପରାଧରେ ସଂପୃକ୍ତ ରହି ଛାତ୍ରୀଙ୍କ ଜୀବନ ସହିତ ଖେଳୁଛନ୍ତି। ଏଭଳି ବିପଥଗାମୀ ଛାତ୍ରଗୋଷ୍ଠୀଙ୍କୁ ସାବାଡ଼ କରିବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ପୁଲିସ ଡିଜି ଡାକ୍ତର ଆର୍.ପି.ଶର୍ମା। କ୍ୟାମ୍ପସ୍ରେ ଏଭଳି କାର୍ଯ୍ୟରେ ସାମିଲ ଛାତ୍ରଙ୍କୁ ସାବାଡ଼ କରିବା ଉଦ୍ଦେଶ୍ୟରେ ପୁଲିସ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏବଂ ଅବିଭାବକଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେମାନଙ୍କୁ ଆଇନର ଭୟ ଦେଖାଇବା ସହ ପ୍ରେରଣାଦାୟକ ପାଠ ପଢ଼ାଇ ଅସାମାଜିକ କାର୍ଯ୍ୟକଳାପରୁ ନିବୃତ୍ତ ରଖିବାକୁ ଆଜି ଡାକ୍ତର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାର ଏସ୍ପି, କଟକ ଓ ରାଉରକେଲା ରେଳବାଇ ଏସ୍ପି, ଅର୍ଥନୈତିକ ଅପରାଧ ଶାଖା ଏସ୍ପି, ସ୍ପେଶାଲ ଟାସ୍କ ଫୋର୍ସ ଏବଂ ଭୁବନେଶ୍ୱର ଓ କଟକ କମିସନରେଟ୍ ପୁଲିସର ଡିସିପିଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଡିଜିପି ଦର୍ଶାଇଛନ୍ତି ଯେ, ଶିକ୍ଷାନୁଷ୍ଠାନ ଆଖପାଖରେ ସ୍ଥାନୀୟ ପୁଲିସ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯିବ। ତମାଖୁ ଏବଂ ମାଦକ ଜାତୀୟ ଦ୍ରବ୍ୟ ଯେପରି ବିକ୍ରି କରାନଯାଏ, ସେଥିପ୍ରତି ଦୃଷ୍ଟି ଦିଆଯିବ। କ୍ୟାମ୍ପସ୍କୁ ବାହାରୁ ଆସୁଥିବା ଅଣଛାତ୍ର ଏବଂ ଆସାମାଜିକ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରାଯିବ। କ୍ୟାମ୍ପସ୍ ପରିସରରେ ଛାତ୍ରୀଙ୍କ ଉପରେ ହେଉଥିବା ନିର୍ଯାତନାକୁ ଦୃଢ଼ ହସ୍ତରେ ଦମନ କରିବାକୁ ସାଦା ପୋଷାକରେ ପୁଲିସ ଅଧିକାରୀ କିମ୍ବା ଗୁପ୍ତଚରଙ୍କୁ ମୁତୟନ କରାଯିବ। ପୁଲିସ ନିୟମିତ ଭାବେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଯୋଗାଯୋଗରେ ରହିବ। ଏହା ସହିତ କଲେଜ୍ରେ ଛାତ୍ରଙ୍କ ସହିତ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଅପରାଧୀକ ମନୋଭାବରୁ କିପରି ଛାତ୍ରମାନେ ଦୂରେଇ ରହିବେ ଏବଂ ଅପରାଧରେ ସଂପୃକ୍ତ ହେଲେ କିଭଳି ଦଣ୍ଡ ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ। ତାଙ୍କ ବିରୋଧରେ ଥାନାରେ ମାମାଲା ରୁଜୁ ହେଲେ ଭବିଷ୍ୟତରେ ନିଯୁକ୍ତି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ସମ୍ପର୍କରେ ପୁଲିସ ଛାତ୍ରଗୋଷ୍ଠୀଙ୍କୁ ସତର୍କ କରାଇବ। ଶିକ୍ଷାନୁଷ୍ଠାନରୁ ୧୦୦ ମିଟର ପରିସୀମା ମଧ୍ୟରେ ଉଚ୍ଚ ସ୍ୱରରେ କୌଣସି ଡାକବାଜି ଯନ୍ତ୍ରର ବ୍ୟବହାର ନକରିବା ଉପରେ ପୁଲିସ ନଜର ରଖିବ। ସ୍ଥାନୀୟ ଆର୍ଟିଓଙ୍କ ସହଯୋଗରେ ପୁଲିସ ଛାତ୍ରଙ୍କ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରିବ।
ଛାତ୍ରଙ୍କ ଡାଟାବେସ୍ ରଖିବ ପୁଲିସ
ହଷ୍ଟେଲ୍ରେ ଲାଗିବ ସିିସି କ୍ୟାମେରା
ମୋବାଇଲ ମାଧ୍ୟମରେ ହେଉଥିବା ସାଇବର ଅପରାଧ ରୋକିବାକୁ ଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ଘରୋଇ ହଷ୍ଟେଲ୍ କିମ୍ବା ମେସ୍ରେ ରହୁଥିବା ଛାତ୍ରଙ୍କ ନିକଟକୁ ପୁଲିସ ନିୟମିତ ଭାବେ ଯିବା ସହିତ ସେମାନଙ୍କର କୌଣସି ପ୍ରକାର ଅସାମାଜିକ କାର୍ଯ୍ୟକଳାପ ଏବଂ ସମସ୍ୟା ଉପରେ ନଜର ରଖିବ। ଛାତ୍ରଙ୍କ ସହିତ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରି ଗୁଇନ୍ଦା ତଥ୍ୟ ସଂଗ୍ରହ କ୍ଷେତ୍ରରେ ଉଦ୍ୟମ କରିବା ଉଦ୍ଦେଶ୍ୟରେ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି। ସେହିପରି ଶିକ୍ଷାନୁଷ୍ଠାନ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି କି, ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧୀକ କାର୍ଯ୍ୟକଳାପରେ ଅନୁଷ୍ଠାନର କର୍ତ୍ତୃପକ୍ଷ ପୁଲିସକୁ ଘଟଣାରୁ ଦୂରେଇ ରଖାଯାଉଛି। ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ପୁଲିସ ପଦକ୍ଷେପ ଗ୍ରହଣ କରାଯିବ। କର୍ତ୍ତୃପକ୍ଷ ନିଜ ଅନୁଷ୍ଠାନର ଛାତ୍ରଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରିବା ସହିତ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ। କର୍ତ୍ତୃପକ୍ଷ ଛାତ୍ରଙ୍କ କଲେଜ ହଷ୍ଟେଲ୍ କିମ୍ବା ଭଡ଼ା ଘରକୁ ନିୟମିତ ବ୍ୟବଧାନରେ ଗସ୍ତ କରିବା ସହିତ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିବେ। ପଞ୍ଜିକୃତ ହୋଇଥିବା ଘରୋଇ ସିକ୍ୟୁରିଟି ସଂସ୍ଥାକୁ କ୍ୟାମ୍ପସ୍ରେ ନିୟୋଜିତ କରିବେ। କ୍ୟାମ୍ପସ୍, ହଷ୍ଟେଲ୍ ଏବଂ କ୍ୟାଣ୍ଟିନ୍ରେ ସିସି କ୍ୟାମେରା ଖଞ୍ଜି ଛାତ୍ରଙ୍କ ଗତିବିଧି ଉପରେ ନଜର ରଖାଯିବ। ଛାତ୍ରଙ୍କ ଆଚରଣରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ନିୟମିତି ବ୍ୟବଧାନରେ ଅବିଭାବକଙ୍କ ସହିତ ବୈଠକର ଆୟୋଜନ କରିବେ।
ସେହିପରି ଅବିଭାବକଙ୍କ ଉଦ୍ଦେଶ୍ୟରେ ଜାରି ପରାମର୍ଶବଳୀରେ ଦର୍ଶାଯାଇଛି କି, ଘରଠାରୁ ଦୂରର ରହି ପଢ଼ୁଥିବା ପିଲାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହିତ କୌଣସି ଅପରାଧୀ କାର୍ଯ୍ୟକାଳପ ସମ୍ପର୍କରେ ସୂଚନା ମିଳିଲେ, ସେମାନେ ତୁରନ୍ତ ପୁଲିସକୁ ଅବଗତ କରିବେ। ସୋସିଆଲ୍ ମିଡିଆର ଅପବ୍ୟବହାର ନକରିବା ଏବଂ ମାଦକ ଦ୍ରବ୍ୟଠୁ ଦୂରରେ ରହିବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଥିବା ପୁଲିସ ଡିଜି ଡାକ୍ତର ଆର୍.ପି. ଶର୍ମା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/amity-university-students-noida_43bc7ad6-8ec4-11e6-957d-83f787ac5cdf.jpg)