ଭୁବନେଶ୍ବର : ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଯଦି ଜନବସତି ଥିବ ସେହି ରାସ୍ତାରେ ଷ୍ଟ୍ରିଟ ଲାଇଟ୍ ଲାଗିବ। ଏହିଭଳି ଛକ ଓ ଜନବସତି ଅଞ୍ଚଳ ତୁରନ୍ତ ଚିହ୍ନଟ କରିବାକୁ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ଆଜି ବିଭାଗୀୟ ମୁଖ୍ୟଯନ୍ତ୍ରୀ (ରାସ୍ତା)ଙ୍କୁ ଚିଠି ଲେଖିଛନ୍ତି। ଏଥିରେ କିନ୍ତୁ ଗୋଟେ କେଁ ରଖିଛନ୍ତି। ୧୦୦କୋଟିର ଖର୍ଚ୍ଚ ଆକଳନ ଦେବାକୁ କୁହାଯାଇଛି। ତାହା ପୁଣି ଯେଉଁଠି ନିହାତି ଆବଶ୍ୟକ ସେଠାରେ ଷ୍ଟ୍ରିଟ ଲାଇଟ୍ ଲାଗିବ।
ଏହାପୂର୍ବରୁ ଦୁଇ ସପ୍ତାହ ତଳେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା) ଏବଂ ଜାତୀୟ ରାଜପଥ ମୁଖ୍ୟ ଯନ୍ତ୍ରୀ ମିଳିତ ଭାବେ ରିପୋର୍ଟ ଦେଇଥିଲେ ଯେ, ସମ୍ବେଦନଶୀଳ ଅଞ୍ଚଳରେ ଷ୍ଟ୍ରିଟଲାଇଟ୍ ଲଗାଇବା ପାଇଁ ୬୦୦କୋଟି ଖର୍ଚ୍ଚ ହେବ। ହେଲେ ଟଙ୍କା ଦେବାକୁ ଥିବା ପରିବହନ ବିଭାଗ କହିଲା ଯେ, ଏତେ ଟଙ୍କା ଦେଇହେବନି। ତେଣୁ ଯେଉଁଠି ନିତାନ୍ତ ଆବଶ୍ୟକ ସେଠାରେ ଏବେ ଷ୍ଟ୍ରିଟ ଲାଇଟ୍ ଲଗାଅ। ଏଥିପାଇଁ ୧୦୦କୋଟି ଦେବାକୁ ପରିବହନ ବିଭାଗକୁ କୁହାଯିବ। କେଉଁ ଜିଲ୍ଲାର କେଉଁ ରାସ୍ତାରେ, କେଉଁ ଛକରେ ଷ୍ଟ୍ରିଟ୍ ଲାଇଟ୍ ଲାଗିବ ସେଥିପାଇଁ ମୁଖ୍ୟଯନ୍ତ୍ରୀ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ କୁହାଯାଇଛି। ଏହାର ତାଲିକା ଦେଲେ ଏଥିପାଇଁ ୧୦୦କୋଟି ଟଙ୍କା ମଞ୍ଜୁର କରିବାକୁ ପରିବହନ ବିଭାଗକୁ ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା କମାଇବା ପାଇଁ ୬୦୦କୋଟିର ଯୋଜନା ହୋଇଥିବାେବଳେ ଏବେ ୧୦୦କୋଟି ଖର୍ଚ୍ଚ କଲେ ଦୁର୍ଘଟଣା କମିବ ତ ବୋଲି ପ୍ରଶ୍ନ ଉଠିଲାଣି।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ଗତ ଅକ୍ଟୋବର ମାସରୁ ରାଜ୍ୟ ସରକାରଙ୍କୁ ଏନେଇ ତାଗିଦ୍ କଲେଣି। ଓଡ଼ିଶାରେ ସଡ଼କ ଦୁର୍ଘଟଣା ହୁ ହୁ ହୋଇ ବଢ଼ୁଥିବାରୁ ଏହାର ସ୍ଥାୟୀ ଏବଂ ତୁରନ୍ତ ପ୍ରତିକାର ପାଇଁ ପ୍ରମୁଖ ରାସ୍ତା ନିକଟରେ ଆବାସିକ ଅଞ୍ଚଳ ଥିଲେ ଏହାକୁ ଆଲୋକୀକରଣ କରିବାକୁ କହିଥିଲେ। ହେଲେ ଏହି ନିର୍ଦ୍ଦେଶ ପାଇବାର ତିନି ମାସ ପରେ ବି ରାଜ୍ୟ ସରକାର ଏପର୍ଯ୍ୟନ୍ତ କେଉଁଠି ଆଲୋକୀକରଣ କରିବେ ନିଷ୍ପତ୍ତି ନେଇପାରିଲେନି। ଏପରିକି ଯେପରି କମ୍ ଅର୍ଥ ଖର୍ଚ୍ଚ ହେବ ସେଥିପାଇଁ ଅଳ୍ପ କିଛି ଅଞ୍ଚଳରେ ଆଲୋକୀକରଣ କରି ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟିକୁ ଭୁତାଇବାକୁ ଯୋଜନା ହେଉଛି। ସଡ଼କ ଦୁର୍ଘଟଣାରେ ପ୍ରତି ଦିନ ବହୁ ଲୋକଙ୍କର ମୃତ୍ୟୁ ହେଉଥିଲେ ହେଁ ରାଜ୍ୟ ସରକାରଙ୍କର ଏଥିପ୍ରତି ଯେମିତି ନିଘା ନାହିଁ।