ଡିସେମ୍ବର ସୁଦ୍ଧା ସହରର ସବୁ ରାସ୍ତା ଝଲ୍‌ସିବ

ସାଢ଼େ ୩ ଲକ୍ଷ ନୂଆ ଏଲ୍‌ଇଡି ଲାଇଟ୍‌ ଲାଗୁଛି, ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର : ରାଜ୍ୟରେ ସବୁ ସହରକୁ ଏଲ୍‌ଇଡି ଲାଇଟ୍‌ରେ ଝଲ୍‌ସାଇବା ପାଇଁ ଗତ ବର୍ଷ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ସେହି ଅନୁଯାୟୀ କାମ ବି ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା ୧୧୪ ପୌରାଞ୍ଚଳରେ ସବୁ ପୁରୁଣା ବଲ୍‌ବ ଖୋଲାଯାଇ ନୂଆ ଏଲ୍‌ଇଡି ଲାଇଟ୍‌ ଲାଗିବ। ସେହିପରି ସବୁ ସହରାଞ୍ଚଳରେ ହୋଇଥିବା ନୂଆ ରାସ୍ତାକୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ଆଲୋକୀକରଣ କରାଯିବ। ନୂଆ ବ୍ୟବସ୍ଥାରେ ସାଢ଼େ ୩ ଲକ୍ଷରୁ ଅଧିକ ନୂଆ ଏଲ୍‌ଇଡି ଲାଇଟ୍‌ ମାଧ୍ୟମରେ ପୂରା ସହର ଆଲୋକିତ ହେବା ସହ ଶକ୍ତି ସଞ୍ଚୟ ବି ହୋଇପାରିବ।

ଆଜି ‌େଲାକସେବା ଭବନରେ ସହରାଞ୍ଚଳ ଆଲୋକୀକରଣ ପ୍ରକଳ୍ପର ସମୀକ୍ଷା ଅବସରରେ ଏହି ସମୟସୀମା ଧାର୍ଯ୍ୟ କରାଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏଲ୍‌ଇଡି ଲାଇଟ୍‌ ଲଗାଇବା କାର୍ଯ୍ୟକୁ ୩ଟି ପର୍ଯ୍ୟାୟ‌େର ନିର୍ବାହ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ୫ଟି ମହାନଗର ନିଗମରେ ଅଧିକ ବିଦ୍ୟୁତ ଶକ୍ତି ବ୍ୟବହାର କରୁଥିବା ପୁରାତନ ବଲ୍‌ବଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବଦଳାଯାଇ ତାହା ପରିବର୍ତ୍ତେ ଶକ୍ତି ସଞ୍ଚୟକାରୀ ଏଲ୍‌ଇଡି ବଲ୍‌ବ ତଥା ତାହାର ଆନୁଷଙ୍ଗିକ ଉପକରଣ ବ୍ୟବହାର କରିବା ପାଇଁ ଯୋଜନା କରାଯାଇଛି। ଏହା ସହିତ ଭୁବନେଶ୍ବର ମହାନଗର ନିଗମର ଆଲୋକୀକରଣ ବ୍ୟବସ୍ଥା ନ ଥିବା ସମସ୍ତ ରାସ୍ତାକୁ ଏଲ୍‌ଇଡି ବଲ୍‌ବ ଦ୍ବାରା ଆଲୋକିତ କରିବା ପାଇଁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରକଳ୍ପକୁ ଘରୋଇ ଉଦ୍ୟୋଗ ସହାୟତାରେ କାର୍ଯ୍ୟକାରୀ କରାଯାଇଛି। ବିଭିନ୍ନ ମହାନଗର ନିଗମରେ ଏହି ପ୍ରକଳ୍ପରେ ୮୨୪୧୪ଟି ବଲ୍‌ବ ଓ ୨୭୦୪ ବିଦ୍ୟୁତ ଖୁଣ୍ଟର ଆବଶ୍ୟକତା ରହିଛି। ଏହା ମଧ୍ୟରୁ ୭୩୫୪୯ ବଲ୍‌ବ ଓ ୧୦୯୩ ଖୁଣ୍ଟ ବଦଳାଯାଇଛି। ପ୍ରକଳ୍ପକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ବଳକା ୧୦୯ଟି ପୌରସଂସ୍ଥାରେ ପୁରୁଣା ବିଜୁଳୀବତୀଗୁଡ଼ିକୁ ବଦଳାଇ ସେହି ସ୍ଥାନରେ ଶକ୍ତି ସଞ୍ଚୟକାରୀ ଏଲ୍‌ଇଡି ବଲ୍‌ବ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଇଇଏସ୍‌ଏଲ୍‌ ନାମକ ସଂସ୍ଥାକୁ ରାଜ୍ୟ ସରକାର ଦାୟିତ୍ବ ଦେଇଛନ୍ତି। ଇଇଏସ୍‌ଏଲ୍‌ ମଧ୍ୟ ୭ ବର୍ଷ ରକ୍ଷଣାବେକ୍ଷଣ ଦାୟିତ୍ବ ବହନ କରିଛି। ପ୍ରକଳ୍ପରେ ୨,୧୩,୩୪୫ ବଲ୍‌ବର ଆବଶ୍ୟକତା ରହିଛି ବୋଲି ପ୍ରାଥମିକ ଆକଳନ କରାଯାଇଥିଲା। ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ଆଜି ସୁଦ୍ଧା ୨,୨୦,୮୩୬ ବଲ୍‌ବ ବଦଳାଯାଇସାରିଲାଣି। ୩୧ ଅକ୍ଟୋବର ସୁଦ୍ଧା ଏହି ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ହେବ।

ତୃତୀୟ ପର୍ଯ୍ୟାୟରେ ସହରାଞ୍ଚଳର ନୂଆ ରାସ୍ତାକୁ ନିଆଯାଇଛି। ଏହି ରାସ୍ତାଗୁଡ଼ିକରେ ଆଲୋକୀକରଣ ବ୍ୟବସ୍ଥା ପାଇଁ ଭୁବନେଶ୍ବର ବାଦ୍ ରାଜ୍ୟର ଅନ୍ୟ ୧୧୩ଟି ପୌରସଂସ୍ଥାରେ ନୂଆ ଆଲୋକ ପ୍ରକଳ୍ପ ନିମନ୍ତେ ଘରୋଇ ଉଦ୍ୟୋଗୀମାନଙ୍କ ସହାୟତାରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି। ଟେଣ୍ଡର୍ ମାଧ୍ୟମରେ ୩ଟି ଘରୋଇ ସଂସ୍ଥା ଚୟନ କରାଯାଇ ପ୍ରକଳ୍ପକୁ ସରକାରୀ-ଘରୋଇ ସହଭାଗିତାରେ କରାଯାଉଛି। ଏହି ପ୍ରକଳ୍ପରେ ୬୩,୦୫୨ ବଲ୍‌ବ ଓ ୬୦,୫୧୩ ଖୁଣ୍ଟର ଆବଶ୍ୟକତା ରହିଛି। ଏହାକୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ବୈଠକରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥାନନ୍, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ସ୍ବତନ୍ତ୍ର ଶାସନ ସଚିବ ପି କେ ଝା ଓ ଶୁଭେନ୍ଦୁ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର