ଭୁବନେଶ୍ୱର: ୯ ଦଫା ଦାବି ନେଇ ଆଜି ବିଧାନସଭା ଘେରାଉ କରିଛି ୬୬୨ ଓ ନୂତନ ପ୍ରତିଷ୍ଠିତ ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ। ନିଖିଳ ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣ-ଅନୁଦାନପ୍ରାପ୍ତ ଶିକ୍ଷକ ସଂଘର ଆହ୍ଵାନରେ ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସଭାପତି ସନ୍ତୋଷ ନାରାୟଣ ଓ ଅଭୟ ପ୍ରଧାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସଂଘର ଦାବି ମଧ୍ୟରେ ରହିଛି, ସରକାରୀ ଜିଆଇଏ ନିର୍ଦେଶନାମା-୨୦୧୪କୁ ୨୦୧୭ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଉ। ଏହାସହ ପରିଚାଳନା କମିଟି ଦ୍ୱାରା ଉଭୟ +୨ ଓ +୩ କଲେଜରେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ କାର୍ଯ୍ୟଭାର ଅନୁଯାୟୀ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଉ। ଇମ୍ପ୍ଲିମେଣ୍ଟେସନ୍ ଅଫ କଣ୍ଟିନ୍ୟୁଟି ପୋଷ୍ଟ ଲାଗୁ କରିବା ସହିତ ୧୯୭୭ ୟାର୍ଡଷ୍ଟିକ୍ ଅନୁଯାୟୀ କାର୍ଯ୍ୟଭାର ନିର୍ଧାରଣ କରାଯାଉ। ୧୯୯୪ ୟାର୍ଡଷ୍ଟିକ ଅନୁଯାୟୀ କାର୍ଯ୍ୟଭାର ନିର୍ଧାରଣ ସହିତ କନିଷ୍ଠ କିରାଣି ଓ ସହାୟକ ପଦବିଗୁଡ଼ିକରେ ସେମାନଙ୍କ କାର୍ଯ୍ୟଭାର ଅନୁଯାୟୀ ମାନ୍ୟତା ପ୍ରଦାନ କରାଯାଉ। ଲ୍ୟାବ ଆସିଷ୍ଟାଣ୍ଟ ପଦବିକୁ ଶିକ୍ଷକ ଭାବେ ଓ ଲ୍ୟାବ୍ ବିୟରର ପଦବିକୁ ସହାୟକ କର୍ମଚାରୀଭାବେ ସ୍ୱୀକୃତି ପ୍ରଦାନ କରାଯାଉ। ଲାଇବ୍ରେରି ଆଟେଣ୍ଡାଣ୍ଟ, ମହିଳା ଆଟେଣ୍ଡାଣ୍ଟ, ଜଗୁଆଳି ଓ ଚପରାସୀ ପଦବିଗୁଡ଼ିକର ଅନୁମୋଦନ ସହିତ ସମସ୍ତ ବିଭାଗର ଷ୍ଟୋର କିପର ପଦବିର ଅନୁମୋଦନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ତେବେ ଆଜି ସଂଘର କର୍ମକର୍ତା ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ବିଭାଗୀୟ ସଚିବଙ୍କୁ ଭେଟିଥିଲେ। ମନ୍ତ୍ରୀ ସଂଘର ଦାବି ଉପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେବା ପରେ ସଂଘର ଆନ୍ଦୋଳନକୁ ସ୍ଥଗିତ ରଖିଥିବା ସୂଚନା ଦେଇଛି।
ବିକ୍ଷୋଭରେ ସୁକାନ୍ତ ବେହେରା, ଦିବ୍ୟକାନ୍ତ ତ୍ରିପାଠୀ, ସତ୍ୟବାନ ପଣ୍ଡା, ଶୁଭ୍ରାଂଶୁ ଦ୍ୱିବେଦୀ, ଦୀପ୍ତିରଂଜନ ସାହୁ ଓ ପ୍ରିୟବ୍ରତ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।