ମହାନଦୀ ପାଇଁ ଧାରଣା

୧୮ରେ ଦିଲ୍ଲୀରେ ଜନପ୍ରତିବାଦ ସଭା

ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀ ଜଳ ଟ୍ରିବ୍ୟୁନାଲ ଗଠନ ଦାବି ନେଇ ରାଜଭବନ ସମ୍ମୁଖରେ ଆଜି ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଆବାହକ ସୁଦର୍ଶନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଜନ ପ୍ରତିବାଦ ସଭାରେ କେନ୍ଦ୍ର ସରକାରକୁ ଆଭିମୁଖ୍ୟକୁ ନିନ୍ଦା କରିବା ସହିତ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହାସହ ଆସନ୍ତା ୧୮ତାରିଖରେ ଦିଲ୍ଲୀରେ ଏକ ଜନ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଧାରଣାସ୍ଥଳରେ ଯୋଗ ଦେଇଥିବା ରାଜନୈତିକ ନେତୃମଣ୍ଡଳୀ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ। ଦାବି କରିଥିଲେ, କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା ଛାଡ଼ି ଯଥାଶୀଘ୍ର ମହାନଦୀ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ କରନ୍ତୁ। ଟ୍ରିବ୍ୟୁନାଲ ଗଠନ ହୋଇ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଛତିଶଗଡ଼ ଦ୍ୱାରା ନିର୍ମିତ ସମସ୍ତ ପ୍ରକଳ୍ପକୁ ବନ୍ଦ କରାଯାଉ। ପରେ ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମକର୍ତା ଓ ରାଜନୈତିକ ଦଳର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଆଜିର ଧାରଣାରେ ବିଜେଡିର ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅନନ୍ତ ନାରାୟଣ ଜେନା, କଂଗ୍ରେସର ଯୁଧିଷ୍ଠିର ଜେନା, ଗଣେଶ୍ୱର ବେହେରା, ଲଲାଟେନ୍ଦୁ ମହାପାତ୍ର, ସମତାକ୍ରାନ୍ତି ଦଳର ଲଳିତମୋହନ ପଟ୍ଟନାୟକ, ସିପିଏମ୍‌ର ଜମ୍ବେଶ୍ୱର ସାମନ୍ତରାୟ, ସିପିଆଇଏମ୍‌ଏଲର ଯୁଧିଷ୍ଠିର ମହାପାତ୍ର, ସିପିଆଇର ଦିବାକର ନାୟକ, ରାମକୃଷ୍ଣ ପଣ୍ଡା, ନାରାୟଣ ରେଡ୍ଡି, ତୃଣମୂଳ କଂଗ୍ରେସର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, କଳିଙ୍ଗ ସେନାର ହେମନ୍ତ ରଥ, ଫରଓ୍ଵାର୍ଡ ବ୍ଲକ୍‌ର ଜ୍ୟୋତିରଂଜନ ମହାପାତ୍ର, ସମାଜବାଦୀ ପାର୍ଟିର ରବି ବେହେରା, ସୁଦର୍ଶନ ପ୍ରଧାନ, ଉତ୍କଳ ଭାରତର କମିଲଉଦ୍ଦିନ ଅହମ୍ମଦ, ସମୃଦ୍ଧ ଓଡ଼ିଶାର ନିରାକାର ବେଉରା, ରାଷ୍ଟ୍ରୀୟ ଜନତା ଦଳର ହରିଶ ଚନ୍ଦ୍ର ମହାପାତ୍ର ଓ ଅରୁଣ ଜେନା ପ୍ରମୁଖ ଯୋଗ ଦେଇଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋୟୀ, ବିଜୟ ପ୍ରଧାନ, ମନୋଜ ଜେନା, ନିରୋଧ ଖୁଣ୍ଟିଆ, ପରେଶ ଜାଲି, ଅଶୋକ ପାଇକରାୟ, ତୁଷାରକାନ୍ତ, ପ୍ରଭାସିନୀ ରାଉତ, ଦେବୀପ୍ରସାଦ ମହାରଣା ଓ ପଞ୍ଚାନନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର