ଭୁବନେଶ୍ବର : ଧାମନଗର ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ବାରମ୍ବାର ଉଲ୍ଲଂଘନ ହେବା ନେଇ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଆସିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମସ୍ତ ରାଜନୈତିକ ଦଳ, ସରକାରୀ କର୍ମଚାରୀ, ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ସମସ୍ତ ହିତାଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଯେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ, ନିର୍ବାଚନ ସମୟରେ ବେଆଇନ କାର୍ଯ୍ୟ ଯଥା ଭୋଟରମାନଙ୍କୁ ଟଙ୍କା ଦେଇ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଇବା କିମ୍ବା ଭୋଟରଙ୍କୁ ନିୟମିତ ଭୟଭୀତ କରାଇ ଭୋଟ୍‌ ଦେବା ପାଇଁ ବାଧ୍ୟ କରିବା ଜଘନ୍ୟ ଅପରାଧ। ଏସବୁ କାର୍ଯ୍ୟରେ ଯେକୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳର କର୍ମକର୍ତ୍ତା କିମ୍ବା ପ୍ରାର୍ଥୀ, ଯେକେହିବି ଏଥିରେ ସଂପୃକ୍ତ ଥିବାର ପ୍ରମାଣ ମିଳିଲେ ସେମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ୍ ଧାରା ୧୭୧(ଖ), ୧୭୧(ଗ), ୧୭୧(ଙ), ୧୭୧ (ଚ) ଏବଂ ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩(୧) ଏବଂ ୧୨୩(୨) ଅନୁସାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ନିର୍ବାଚନବେଳେ ଯଦି କୌଣସି ପ୍ରକାରର ବେଆଇନ୍ କାମ ଯଥା ଭୋଟରଙ୍କୁ ଟଙ୍କା ବାଣ୍ଟିବା ବା ଧମକଚମକ ଦେଇ ଭୋଟ୍‌ ଦେବା ପାଇଁ ବାଧ୍ୟ କରିବା ଇତ୍ୟାଦି କାର୍ଯ୍ୟ ହେଉଥାଏ ତେବେ ଲୋକମାନେ ନିଜ ମୋବାଇଲ୍‌ରେ ଭିଡ଼ିଓ ରେକର୍ଡିଂ କରି ସଂପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଲେ ୧୦୦ମିନିଟ୍ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲା ପ୍ରଶାସନ ତରଫରୁ ବିଧାନସଭା ନିର୍ବାଚନମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ପାଳନ ନିମନ୍ତେ ସବୁ ପ୍ରକାରର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସହ ଏନଫୋର୍ସମେଣ୍ଟ ଟିମ୍ ମୁତୟନ କରାଯାଇଛି ବୋଲି ଶ୍ରୀ ଲୋହାନୀ କହିଛନ୍ତି।