ମେଡିକାଲ କଲେଜ, ସିଡିଏମ୍ଓ ଓ ଲ୍ୟାବ୍ମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି
ନମୁନା ସଂଗ୍ରହ ହୋଇଥିବା ହସ୍ପିଟାଲରେ କେତେ ହେବ ତଦନ୍ତ?
ଦୁଇଦିନ ହେଲା ରିପୋର୍ଟର ତର୍ଜମା କରୁଛି ବିଏମ୍ସି
ଭୁବନେଶ୍ୱର : ଟଙ୍କା ଦେଲେ ରାଜଧାନୀରେ କୋଭିଡ ପଜିଟିଭ୍ ରିପୋର୍ଟ ମିଳୁଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏହି ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବର ସହ ନେଇଛି। ଆଗମୀ ଦିନରେ କିପରି ଜାଲ୍ କୋଭିଡ ରିପୋର୍ଟ ପ୍ରସ୍ତୁତ ନ ହେବ ସେଥିପାଇଁ ଆଇସିଏମ୍ଆର୍ ଗାଇଡଲାଇନ୍ ଅନୁଯାୟୀ ପରୀକ୍ଷା କରିବା ଲାଗି ସବୁ ମେଡିକାଲ୍ ସୁପରିନ୍ଟେଣ୍ଡେଣ୍ଟ, ସିଡିଏମ୍ଓ ଓ ଆର୍ଟି-ପିସିଆର୍ ଲ୍ୟାବ୍ର ଭାରପ୍ରାପ୍ତ ଅଧିକାରୀମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଚିଠି ଜାରି ହୋଇଛି। ଜାଲ୍ ରିପୋର୍ଟ ପ୍ରସ୍ତୁତ ହେଉଥିବା ନଜରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାଇ ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ କିଛି ଲୋକ ନିଜର ବ୍ୟକ୍ତିଗତ ସ୍ବାସ୍ଥ୍ୟ ପାଇଁ ଜାଲ୍ ଆର୍ଟି-ପିସିଆର୍ ରିପୋର୍ଟକୁ ବ୍ୟବହାର କରୁଥିବା ନଜରକୁ ଆସିଛି। ଜାଲ୍ କୋଭିଡ ରିପୋର୍ଟ ଜରିଆରେ ଛୁଟି ହାତେଇବାଠାରୁ ଆରମ୍ଭ କରି ଆର୍ଥିକ ସହାୟତା ଓ ଅନ୍ୟ କାର୍ଯ୍ୟରେ ଏହାକୁ ବେଆଇନ ଭାବେ ବ୍ୟବହାର କରାଯାଉଛି। ଯାହାଫଳରେ ରାଜ୍ୟର କୋଭିଡ୍ ସଂକ୍ରମିତ ସଂଖ୍ୟା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ତେଣୁ କୌଣସି ପ୍ରକାର ଜାଲ୍ ରିପୋର୍ଟ କିମ୍ବା ରିପୋର୍ଟରେ ହେରଫେର୍ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସମସ୍ତ ସଂସ୍ଥାଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଜାଲ୍ ଆର୍ଟି-ପିସିଆର୍ ରିପୋର୍ଟ ପ୍ରସ୍ତୁତରେ ଆଇସିଏମ୍ଆର ନିୟମର ଉଲ୍ଲଂଘନ ହୋଇଛି କି ନାହିଁ ତାହାର ଯାଞ୍ଚ କରିବା ପାଇଁ ଦୁଇଦିନ ତଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରଏମ୍ଆରସି ନିର୍ଦେଶିକାଙ୍କୁ ଚିଠି ଜାରି ହୋଇଥିଲା। ଏକ ଟିମ୍ ଜରିଆରେ ଏହାର ତଦନ୍ତ କରିବା ଲାଗି ଚିଠିରେ ଉଲ୍ଲେଖ ରହିଥିଲା। ମାତ୍ର ଏହି ଘଟଣାରେ ଆର୍ଏମ୍ଆର୍ସି ପକ୍ଷରୁ କୌଣସି ତଦନ୍ତ ଆରମ୍ଭ ହୋଇନାହିଁ। ନିର୍ଦେଶିକା ଡା.ସଂଘମିତ୍ରା ପତି କହିଛନ୍ତି, ତାଙ୍କୁ ଏ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗର ଚିଠି ହସ୍ତଗତ ହୋଇନାହିଁ। ଚିଠି ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ସେହିପରି ଟଙ୍କା ନେଇ ଜାଲ୍ କୋଭିଡ ରିପୋର୍ଟ ଦିଆଯାଉଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବାର ୩ଦିନ ବିତି ଯାଇଥିଲେ ହେଁ, ଘଟଣାରେ ସଂପୃକ୍ତ ଦଲାଲ କିମ୍ବା ହସ୍ପିଟାଲ ନିକଟରେ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍ସି ପହଞ୍ଚି ପାରିନାହିଁ। ନମୁନା ପରୀକ୍ଷା କରିଥିବା ଲ୍ୟାବ୍କୁ କେବଳ କାରଣ ଦର୍ଶାଅ ନୋଟିସ୍ ଜାରି କରି ଚୁପ୍ ବସି ଯାଇଛନ୍ତି। ଜାଲ୍ ରିପୋର୍ଟ ପ୍ରସ୍ତୁତ କରୁଥିବା ଏହି ରୢାକେଟ୍ର ପର୍ଦ୍ଦାଫାସ୍ କରିବା ଦିଗରେ ବିଏମ୍ସି ସେତେଟା ଆଗ୍ରହ ଦେଖାଉ ନ ଥିବା ସାଧାରଣରେ ଚର୍ଚା ହେଉଛି। ଯେଉଁ ଘରୋଇ ହସ୍ପିଟାଲରୁ ନମୁନା ସଂଗ୍ରହ କରାଯାଇ ଅନ୍ୟ ଜଣକ ନାଁରେ ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଗଲା ସେଠାରେ ଏ ପର୍ଯ୍ୟନ୍ତ ଖୋଳତାଡ଼ କରାଯାଇ ନାହିଁ। ଯେହେତୁ ଲ୍ୟାବ୍ଗୁଡ଼ିକ ନିକଟରେ ପଜିଟିଭ୍ ଚିହ୍ନଟ ହେଉଥିବା ନମୁନାକୁ ଅତିକମ୍ରେ ୧ମାସ ପର୍ଯ୍ୟନ୍ତ ରଖିବା ଲାଗି ନିୟମ ରହିଛି ତେଣୁ ଆଗକୁ ମଧ୍ୟ ଏଭଳି ଜାଲ୍ ରିପୋର୍ଟ ପ୍ରସ୍ତୁତି ଜାରି ରହିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ସୂଚନା ଅନୁସାରେ, କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ଜେନ୍ଏକ୍ସ ଡାଏଗ୍ନୋଷ୍ଟିକ୍ସ ଗତକାଲିଠାରୁ ବିଏମ୍ସି ଓ ସ୍ବାସ୍ଥ୍ୟ ବିଭାଗକୁ ନିଜର ଉତ୍ତର ରଖି ସାରିଛି। ମାତ୍ର ଲ୍ୟାବ୍ କର୍ତୃପକ୍ଷ ଦେଇଥିବା ଉତ୍ତରରେ ବିଏମ୍ସି କେତେଦୂର ସନ୍ତୁଷ୍ଟ ସେ ନେଇ କୌଣସି ସୂଚନା ଦେଇନାହିଁ। ଲ୍ୟାବ୍ ରଖିଥିବା ଉତ୍ତରର ଏବେ ତର୍ଜମା କରାଯାଉଛି। ତର୍ଜମା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଲମ୍ସିର ଜଣେ ଅଧିକାରୀ କହିଛନ୍ତି। ଏହାସହ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ମତରେ ଏଭଳି ଜାଲ୍ ରିପୋର୍ଟ ପ୍ରସ୍ତୁତ କରିବାକୁ ଏକ ଫ୍ରଡ୍ ବା ଠକେଇ ବୋଲି ବିଚାର କରାଯିବ। ନମୁନା ସଂଗ୍ରହ ଦିନ ସିସିଟିଭିର ଯାଞ୍ଚ କରାଗଲେ ପ୍ରକୃତ ତଥ୍ୟ ମିଳିପାରିବ। ମାତ୍ର ବିଭାଗ ନିକଟରେ ଏହି ଠକେଇର ଯାଞ୍ଚ କ୍ଷମତା ନାହିଁ। ତେଣୁ ତଦନ୍ତକାରୀ ସଂସ୍ଥା ହିଁ ଏହାର ଯାଞ୍ଚ କରିପାରିବେ। ତେଣୁ ତଦନ୍ତକାରୀ ସଂସ୍ଥାକୁ ଏହାର ଯାଞ୍ଚ କରିବା ଲାଗି ଦାୟିତ୍ବ ଦିଆଯିବ କି ନାହିଁ ତାହାର ଆଲୋଚନା କରାଯାଉଛି। ସେହି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।