ଲକ୍‌ଡାଉନ୍‌ରେ କଳାବଜାରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଚାହିଦାଠାରୁ ଅଧିକ ମହଜୁଦ ଅଛି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର : କରୋନା ମହାମାରୀର ଦ୍ରୁତ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଆଜିଠାରୁ ୧୫ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ କିଛି ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀ ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦାମ ଲୋକମାନଙ୍କଠାରୁ ନେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହା ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି। ଏପରି ଅସାଧୁ ବେପାରିମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ସ୍ବାଇଁ କହିଛନ୍ତି, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍‌ ରହିଛି। ଚାଉଳ, ଡାଲି ଓ ଗହମଜାତୀୟ ଦ୍ରବ୍ୟ ଯଥା ଅଟା, ମଇଦା, ସୁଜି ଓ ଖାଇବା ତେଲ, ଆଳୁ, ପିଆଜ, ଚିନି ଇତ୍ୟାଦି ସାମଗ୍ରୀ ଚାହିଦାଠାରୁ ଅଧିକ ରହିଛି। ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ବି ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୬ଟାରୁ ଦିନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ଓ ପରିବହନରେ କୌଣସି କଟକଣା ଜାରି କରାଯାଇ ନାହିଁ। ଜନସାଧାରଣ ବ୍ୟସ୍ତ ନ ହୋଇ ନିଜର ଆବଶ୍ୟକତା ଅନୁଯାୟୀ ଜିନିଷ କିଣିବାକୁ ଶ୍ରୀ ସ୍ବାଇଁ ନିବେଦନ କରିଛନ୍ତି। କଳାବଜାରି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଯୋଗାଣ ବିଭାଗ କର୍ମଚାରୀ ଓ ଅଧିକାରୀମାନେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ଉପରେ ଚଢ଼ଉ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣ କୌଣସି ଗୁଜବରେ ବିଶ୍ବାସ ନ କରି ନିଜର ଆବଶ୍ୟକତା ଅନୁଯାୟୀ ସାମଗ୍ରୀ କିଣନ୍ତୁ ଓ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର